ଆରଡ଼ି, ୭।୮ (ଡି.ଏନ.ଏ.) – ନାଟ୍ୟକଳା ପ୍ରତି ପିଲାଦିନର ଆକର୍ଷଣ ତାଙ୍କ ଜୀବନର ଗତି ବଦଳାଇ ଦେଇଥିଲା। ସେ ଏକାଧାରରେ ଥିଲେ ଅଭିନେତା ଓ ନାଟ୍ୟକାର। ଉଚ୍ଚଶିକ୍ଷା ଲାଭ ପରେ ପରିବାରର ବୋଝ ସମ୍ଭାଳିବାକୁ ସେ ଶିକ୍ଷକତା ବୃତ୍ତିକୁ ଆଦରି ନେଇଥିଲେ। ଅବସର ସମୟରେ ନାଟକ ରଚନା କରି କଳା ଦୁନିଆର ଆକର୍ଷଣ ବଢ଼ାଇବାକୁ ଉଦ୍ୟମ କରିଥିଲେ। ଦୀର୍ଘ ୩୫ ବର୍ଷ ଧରି ଶିକ୍ଷକତା କରିବା ପରେ ୨୦୦୮ରେ ଅବସର ଗ୍ରହଣ କରିଥିଲେ। ତାଙ୍କର ସ୍ବପ୍ନ ଥିଲା ଅବସର ଜୀବନରେ କଳା ବିକାଶ କେନ୍ଦ୍ର ଖୋଲି ନୂଆ କଳାକାର ସୃଷ୍ଟି କରିବା ଓ ଗରିବ କଳାକାରଙ୍କୁ ପ୍ରଶିକ୍ଷଣ ଦେବା। କିନ୍ତୁ ରୋଗାକ୍ରାନ୍ତ ଶରୀର ତାଙ୍କ ବାଟ ଓଗାଳିଲା। ଏଣୁ ତାଙ୍କ ସ୍ବପ୍ନ ଏଯାଏ ଅଧୁରା ରହିଛି। କଳା ପାଇଁ ଜୀବନ ନା ଜୀବନ ପାଇଁ କଳା ଏହାର ଅର୍ଥ ସେ ଏବେ ମଧ୍ୟ ଖୋଜି ଚାଲିଛନ୍ତି।
ଏହି ନାଟ୍ୟ ପ୍ରତିଭା ହେଲେ ଭଦ୍ରକ ଜିଲା ଆରଡ଼ି ନିକଟସ୍ଥ ନାନ୍ଦପୁର ଗ୍ରାମର ରମେଶ ଚନ୍ଦ୍ର ପଣ୍ଡା। ଏକ ସାକ୍ଷାତ୍କାରରେ ସେ କହିଛନ୍ତି, ପିଲାଦିନେ ଗଁା ଆଖପାଖରେ ଯେଉଁଠି ବି ଯାତ୍ରା କି ନାଟକ ମଞ୍ଚସ୍ଥ ହୁଏ, ସେଠାକୁ ଛୁଟି ଯାଆନ୍ତି। ସେ ଥିଲେ ନାଟ୍ୟ ମାୟାରେ ବିମୁଗ୍ଧ ଦର୍ଶକ। ନାଟକ ଦେଖୁ ଦେଖୁ ମଞ୍ଚରେ ଅଭିନୟ ଆରମ୍ଭ କରିଥିଲେ। ଶିକ୍ଷକତା ଚାକିରି ସମୟରେ କଳାର ଆକର୍ଷଣକୁ ଏଡ଼ାଇ ନ ପାରି ଦିନରେ ପିଲାଙ୍କୁ ପାଠ ପଢାଇ ସାରି ରାତିରେ ସାଜୁଥିଲେ କଳାର ପୂଜାରୀ। ନାୟକ, ଖଳନାୟକ ଭଳି ବିଭିନ୍ନ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ଅନେକ ପ୍ରଶଂସା ଓ କରତାଳି ସାଉଁଟିଛନ୍ତି। କେତେକ ଯାତ୍ରା ଅନୁଷ୍ଠାନରେ ନିର୍ଦ୍ଦେଶନା ଦେବା ସହ ପ୍ରାୟ ୨୫ଟି ନାଟକ ରଚନା କରିଛନ୍ତି। ବିଭିନ୍ନ ଗଁାକୁ ଯାଇ ଯୁବକଙ୍କୁ ଡ୍ରାମା ଶିଖାଇ ନାଟକ ମଞ୍ଚସ୍ଥ କରି ସେ ନିଜ ପାଇଁ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ତାଙ୍କ ରଚିତ ‘ନଦୀର ନାମ ଅଶ୍ରୁଧାର ତଟର ନାମ ପ୍ରେମ’, ‘ସତୀ ଚଉଁରା’, ‘କାହାଣୀ ଏକ ବିପ୍ଲବୀର’, ‘ପ୍ରେୟସୀକୁ ଚିଠି’, ‘କିଏ ଭାଙ୍ଗିଦେଲା ସୁନା ସଂସାର’, ‘ମାଧବୀ ଅପାର ଗୋଲାପି ଓଠ’, ‘ପୁଅ ଚିହ୍ନିଲାନି ନିଜ ଗଁାକୁ’ ବହୁଚର୍ଚ୍ଚିତ ସଫଳ ନାଟକ। ଯାଜପୁର କଳା ନିକେତନ, ପୂରୀ ନାଟ୍ୟସଂସ୍ଥା, ଭଦ୍ରକ ପୂଜ୍ୟପୂଜ୍ୟା ସଂସ୍ଥା, ବାଙ୍କସାହି ନାଟ୍ୟ ପରିଷଦ ଭଳି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସେ ଏଥିପାଇଁ ସମ୍ବର୍ଦ୍ଧିତ ଓ ସମ୍ମାନିତ ହୋଇଛନ୍ତି। ହୃଦ୍ରୋଗରେ ପୀଡ଼ିତ ହେବା ପରଠାରୁ ସେ କଳା ଦୁନିଆଠାରୁ ଦୂରେଇ ଯାଇଛନ୍ତି। ଏବେ ରୋଗଶଯ୍ୟାରେ ବିତୁଛି ତାଙ୍କ ଦିନ। ଭଲରେ କଥାବାର୍ତ୍ତା କରିପାରୁ ନାହାନ୍ତି। ମନର କଥା କହିବାକୁ ଚାହିଁଲେ, ଲେଖି କରି ଦିଅନ୍ତି। ଜଣେ ଆଦର୍ଶ ଶିକ୍ଷକ ଓ କଳାକାର ଭାବେ ରମେଶ ଏକ ବିରଳ ଓ ଭିନ୍ନ ପ୍ରତିଭାର ଅଧିକାରୀ ହୋଇଥିଲେ ବି ଅବହେଳିତ ଓ ଅନାଲୋଚିତ ହୋଇ ରହିଛନ୍ତି ବୋଲି ଓଡ଼ିଶାର ବରିଷ୍ଠ ନାଟ୍ୟକାର ସନ୍ତୋଷ ପାଢ଼ୀ ମତବ୍ୟକ୍ତ କରିଛନ୍ତି।