ନିଜର ଦୀପ ନିଜେ ହୁଅ

ପ୍ରବାସିନୀ ମହାକୁଡ଼
କୌଣସି ଲୋକ ଯଦି କୌଣସି ନଦୀକୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଅତିକ୍ରମ କରିସାରିଥାଏ ଏବଂ ପୁଣିଥରେ ସେଇ ନଦୀକୁ ପାରିହେବାକୁ ଚାହେଁ, ତେବେ ସେ ନଦୀର ପାଣି ସେମିତି ହୋଇ ନ ଥାଏ କି ସେଇ ସ୍ଥାନର ପାଣି ସେମିତି ହୋଇ ରହି ନ ଥାଏ-ସମୟର ଧାରାକୁ ଲକ୍ଷ୍ୟ କରି କନ୍‌ଫୁସିୟସ ଏକଥା କହିଥିଲେ। ବିଭିନ୍ନ ସମୟରେ ଅନେକ ମହାପୁରୁଷ ସମୟର ଧାରାକୁ ଅତିକ୍ରମ କରିଯାଇଛନ୍ତି କିନ୍ତୁ ସେମାନେ ପୁରୁଣା ଧାରାକୁ ଫେରି ଆସିବାକୁ ଚାହଁିନାହାନ୍ତି, କାରଣ ସେମାନେ ଜୀବନର ଏଇ ସତ୍ୟକୁ ଜାଣିଥିଲେ।
ବେଦର ଜ୍ଞାନ ବୃତ୍ତକୁ ଯେଉଁ ବ୍ୟକ୍ତି ବ୍ୟାସ ପରି କାଟି ଚାଲିଥାଏ ସେଇ ହିଁ ବେଦବ୍ୟାସ। ବେଦବ୍ୟାସ ଏକ ପଦବୀ। ବେଦବ୍ୟାସ ପ୍ରତିଯୁଗରେ ଜନ୍ମ ହୋଇଛନ୍ତି, ଠିକ୍‌ ସେହିପରି ବୁଦ୍ଧ ବି ପ୍ରତି ଯୁଗରେ ଜନ୍ମ ହୋଇଛନ୍ତି ଏବଂ ହେବେ। ବୁଦ୍ଧଦେବ ଦେହାବସାନ ପୂର୍ବରୁ ଆଜିକୁ ଅଢେଇ ହଜାର ବର୍ଷ ତଳେ ନିଜର ଶିଷ୍ୟମାନଙ୍କୁ କହିଥିଲେ ଯେ, ସିଏ କଲ୍ୟାଣ ମିତ୍ର ରୂପରେ ପୃଥିବୀକୁ ଆସିବେ। ସେତେବେଳେ ଲୋକେ ତାଙ୍କୁ ମୈତ୍ରେୟ ବୋଲି ଜାଣିବେ। ବେଳେବେଳେ ମନେହୁଏ ଯେ ଏ ପୃଥିବୀ ବୁଦ୍ଧ ଚେତନାରୁ ରିକ୍ତ ହୋଇଯାଉଛି ଅଥଚ ବିରୋଧାଭାସ ଏୟା ଯେ ଅହଂକାର, ଲୋଭ, ମୋହ, ମାୟାର ଅନ୍ଧକାରରେ ଆମେ ଅସହାୟ ଥିଲାବେଳେ ବୁଦ୍ଧ ଚେତନା ଆମକୁ ଉଦ୍‌ବୁଦ୍ଧ କରେ। ମୈତ୍ରେୟ କହିବାର ଅର୍ଥ ମିତ୍ର ରୂପରେ ଅବତରଣ କରିବେ। ସେଇ ଦୃଷ୍ଟିରୁ ଦେଖିଲେ ଯିଶୁ, ମହମ୍ମଦ, ଶ୍ରୀଚୈତନ୍ୟ, ଶ୍ରୀରାମକୃଷ୍ଣ- ଏମାନେ ସମସ୍ତେ ବୁଦ୍ଧ। ବୁଦ୍ଧତ୍ୱ ଚେତନା କୌଣସି ଏକ କାଳର, ଯୁଗର ବା ସମୟର ନୁହେଁ। ଏହା ଏକ ଚିରନ୍ତନ ପ୍ରବାହ। ଦେଖିବାକୁ ଗଲେ ବୁଦ୍ଧର ବ୍ୟାପକ ଅର୍ଥ ହେଉଛି ଜାଗ୍ରତ ବ୍ୟକ୍ତି ଯା’ ଭିତରେ ପରମ ଚୈତନ୍ୟର ଜାଗ୍ରତ ହୋଇଥାଏ।
ଗୌତମ ବୁଦ୍ଧ କହିଥିଲେ, ତାଙ୍କ ପୂର୍ବରୁ ୨୮ ଜଣ ବୁଦ୍ଧ ହୋଇସାରିଛନ୍ତି ଓ ତାଙ୍କ ପରେ ବି ବହୁତ ବୁଦ୍ଧ ଏ ପୃଥିବୀକୁ ଆସିବେ। ପ୍ରତିଟି ମଣିଷର ବୁଦ୍ଧ ହେବାର ଅଧିକାର ଅଛି କିନ୍ତୁ ସିଏ ହୋଇପାରେନା କାରଣ ତା’ ପାଖରେ ସମ୍ୟକ୍‌ ସ୍ମୃତି ବା ରାଇଟ୍‌ ରିମେମ୍ବରିଂର ଅଭାବ। ମଣିଷ ଲୋଭ, ମୋହ, ମାୟାରେ ବୁଡି ରହିଛି, ଏହା ହେଉଛି ମଣିଷର ଅଜ୍ଞାନତା। ନିଜ ଭିତରର ଆଲୋକକୁ ସିଏ ଦେଖିପାରେନା। ତେଣୁ ଭ୍ରମରେ ପଡି ଅନ୍ଧକାରରେ ଚଳପ୍ରଚଳ ହେଉଥାଏ। ଆତ୍ମାର ଆଲୋକ ପରମାତ୍ମାଙ୍କୁ ଦେଖିବାରେ ସମର୍ଥ ହୁଏନା। ଥରେ ଯଦି ମଣିଷର ଜ୍ଞାନଚକ୍ଷୁ ଖୋଲିଯାଏ ଏବଂ ସିଏ ନିଜ ଭିତରର ଚୈତ୍ୟସତ୍ତାକୁ ଅନୁଭବ କରିପାରେ ସିଏ ହିଁ ଧନ୍ୟ। ଭଗବାନ ବୁଦ୍ଧଙ୍କ ଭାଷାରେ ‘ଅପ୍ପୋ ଦୀପୋ ଭବ’- ନିଜର ଦୀପ ନିଜେ ହୁଅ। ଜୀବନ ଦର୍ଶନର କଥା ନୁହେଁ। ଜୀବନକୁ ଜାଣିବା ପାଇଁ ମଣିଷକୁ କେତେବର୍ଷ ଲାଗିଯାଏ? ବର୍ଷ, ମାସ, ଦିନ, ଦଣ୍ଡ, ଲିତା-ବିଲିତାର କଥା ଏଠି କୁହାଯାଉନି। ସାଧାରଣ ମଣିଷଟିଏ ଜନ୍ମ ନିଏ, ଖାଏ ପିଏ। ନିଜର ସାଂସାରିକ ଦାୟିତ୍ୱ ତୁଲାଏ। ତା’ ପରେ ଦିନେ ବୁଢା ହୋଇ ମରିଯାଏ।
ଏଇ ପ୍ରସଙ୍ଗରେ ମନେପଡେ ଭଗବାନ ବୁଦ୍ଧଦେବଙ୍କ ସହ ଘଟିଥିବା ଗୋଟିଏ ଘଟଣା। ଥରେ ଜଣେ ବୃଦ୍ଧ ଭିକ୍ଷୁ ବୁଦ୍ଧଙ୍କ ପାଖକୁ ଆସିଲେ। ବୁଦ୍ଧ ପଚାରିଲେ, ତୁମ ବୟସ କେତେ? ବୃଦ୍ଧ ଭିକ୍ଷୁର ଉତ୍ତର ଥିଲା ଚାରି ବର୍ଷ। ବୁଦ୍ଧ ଭାବିଲେ ସିଏ ବୋଧେ ଠିକ୍‌ ଶୁଣିପାରିଲେନି। ତେଣୁ ପୁଣିଥରେ ପଚାରିଲେ, ‘କେତେ କହିଲ?’ ଉତ୍ତର-‘ଚାରି ବର୍ଷ’। ବୁଦ୍ଧ କହିଲେ- ”ଆଶ୍ଚର୍ଯ୍ୟ କଥା। ତୁମକୁ ଦେଖିଲେ ମନେହେଉଛି ଅତି କମ୍‌ରେ ସତୁରି କି ଅଶୀ ବର୍ଷର ହୋଇଥିବ।“ ବୃଦ୍ଧ ଭିକ୍ଷୁ କହିଲେ, ‘ଚାରିବର୍ଷ ପୂର୍ବର ଜୀବନ ଜୀବନ ନ ଥିଲା। ତେଣୁ ମୁଁ ତାକୁ ଗଣିନି। ଏଇ ଚାରିବର୍ଷ ଧରି ମୁଁ ଜୀବନର ଅର୍ଥକୁ ଖୋଜିପାଇଛି। ତେଣୁ ମୁଁ ଚାରିବର୍ଷର। ତା’ ଆଗରୁ ବାହାରେ ତ ମୃତ୍ୟୁ ଥିଲା, ଭିତରେ ହିଁ ଜୀବନ ଥିଲା। ମୁଁ ଚାରିବର୍ଷ ଆଗରୁ ହିଁ ଶାନ୍ତି କ’ଣ ଅନୁଭବ କଲି। କିନ୍ତୁ ଭିତରେ କ’ଣ ଅଛି, ଯାହାକୁ ଆମେ ଆତ୍ମା ବୋଲି କହୁ। ଜୀବନ ଭିତରେ କେତେ ଧାରା, କେତେ ଚେତନା ଅଛି। ଏ ଚର୍ମ ଦେହରେ ବାହ୍ୟରୂପରେ ମଣିଷର କେତେ ପଥ ରହିଥାଏ। ଯଦିଓ ଜାଣିଛ ଯେ ଦେହ ମରଣଶୀଳ। ଏ ଶରୀର କଷ୍ଟ ପାଏ ଆତ୍ମଜ୍ଞାନ ଅଭାବରୁ। ଭୌତିକ ସୁଖ ପଛରେ ପଡିଥିବାରୁ। ତେବେ ଜୀବନର ଅର୍ଥ କ’ଣ? ଜୀବନର ଅର୍ଥ ଖୋଜିବାକୁ ଯାଇ ରାଜମହଲର ଭୋଗବିଳାସ ତ୍ୟାଗ କରି ରାଜପୁତ୍ର ଗୌତମ କାହିଁକି ଜୀବନର ସନ୍ଧାନରେ ବୁଦ୍ଧତ୍ୱ ପ୍ରାପ୍ତି ପାଇଁ ଗୃହତ୍ୟାଗୀ ହୋଇଥିଲେ। ଜରା, ବ୍ୟାଧି ଓ ମୃତ୍ୟୁକୁ ଦେଖି ନଶ୍ୱର ଦେହର ଅସାରତା ପ୍ରତି ତାଙ୍କର ମୋହଭଙ୍ଗ ଘଟିଥିଲା। ଘୋର ସାଧନା ପରେ ହିଁ ସିଏ ବୁଦ୍ଧତ୍ୱ ପ୍ରାପ୍ତ ହୋଇଥିଲେ। ବୁଦ୍ଧ ସବୁକାଳେ ପ୍ରାସଙ୍ଗିକ, କାରଣ ମଣିଷ ପ୍ରବୁଦ୍ଧ ଚେତନାରେ ସବୁବେଳେ ବୌଦ୍ଧିକତା ଚଳପ୍ରଚଳ ହେଉଥାଏ। ଆମର କାର୍ଯ୍ୟକଳାପରେ ଏମିତି କିଛି ଫୁଟିଉଠୁ ଯାହା ଆମକୁ ଅନ୍ୟଠୁ ଭିନ୍ନ କରି ଗଢିତୋଳିବ।
ଏକବିଂଶ ଶତାବ୍ଦୀରେ ମଣିଷର ଜ୍ଞାନ, ବୁଦ୍ଧିର ସୀମା କହିବାକୁ ଗଲେ ଚରମ ଅବସ୍ଥାରେ ପହଞ୍ଚିସାରିଛି। ସାଂସାରିକ ସୁଖ ପାଇଁ ମଣିଷର ସବୁକିଛି ଅଛି କିନ୍ତୁ ମଣିଷ ଶାନ୍ତି, ଆନନ୍ଦ, ଅନ୍ୟକୁ ସହ୍ୟ କରିବାର ମନୋବୃତ୍ତି, ଦୟା, କ୍ଷମା, କରୁଣାଠୁ କ୍ରମଶଃ ଦୂରେଇଯାଉଛି, ଯେଉଁସବୁ ଗୁଣ ବୁଦ୍ଧଙ୍କର ପ୍ରିୟ ଥିଲା। ଜଗତର କଲ୍ୟାଣ ପାଇଁ ଆମ ଭିତରର ବୁଦ୍ଧତ୍ୱର ଜାଗରଣ ହେଉ। ଆମ ଭିତରେ ମାନବୀୟ ଗୁଣସବୁ ବିକଶିତ ହେଉ- ”ବୁଦ୍ଧଂ ଶରଣଂ ଗଚ୍ଛାମି, ସଙ୍ଘଂ ଶରଣଂ ଗଚ୍ଛାମି, ଧର୍ମଂ ଶରଣଂ ଗଚ୍ଛାମି।“
(ବୁଦ୍ଧ ଜୟନ୍ତୀ ଉପଲକ୍ଷେ)
-ଷ୍ଟେଶନ ବଜାର, ଢେଙ୍କାନାଳ


Enter your email to get our daily news in your inbox.

All Right Reserved By Dharitri.Com

ସଫଳତାର ପ୍ରଥମ ପାହାଚ ଜିଜ୍ଞାସା

ମସ୍ତେ ସଫଳତାର ପଛରେ ଧାବମାନ। କିନ୍ତୁ ସଫଳତା ବିଶୁଦ୍ଧ ଯୋଜନା ଓ ଉପଯୁକ୍ତ କ୍ରିୟାନ୍ବୟନର ଫଳ ଶ୍ରୁତି । ସେଥିପାଇଁ ପ୍ରଥମ ପାହାଚ ହେଉଛି ଜିଜ୍ଞାସା।...

ଘରୋଇ ଶିକ୍ଷାର ଅନ୍ତରାଳେ

ସମ୍ପ୍ରତି ଶିକ୍ଷା ବ୍ୟବସ୍ଥାରେ ଘରୋଇକରଣର ତୀବ୍ରତା ଯେ ଅଧିକ ଏହାକୁ ସ୍ବୀକାର କରିବାକୁ ପଡ଼ିବ। ଗାଆଁରୁ ସହର ସବୁଠି, ପ୍ରାଥମିକରୁ ଉଚ୍ଚଶିକ୍ଷା ସବୁ ସ୍ତରରେ ଶିକ୍ଷା...

ଶିକ୍ଷା ପାଣ୍ଠି

ମାର୍ଚ୍ଚ ୧୦ ତାରିଖରେ ଲୋକ ସଭାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାମିଲନାଡୁର ଡିଏମ୍‌କେ ସରକାରଙ୍କୁ ସମାଲୋଚନା କରି କହିଛନ୍ତି ଯେ, ଜାତୀୟ ଶିକ୍ଷାନୀତି (ଏନ୍‌ଇପି)...

ସମବାୟରେ ପରଦେଶୀ ନିଯୁକ୍ତି

ଦକ୍ଷିଣ ଆଫ୍ରିକା ନିକଟ ଭାରତ ମହାସାଗରରେ ମରିସସ୍‌ ଦେଶ କେତେକ ଛୋଟ ଛୋଟ ଦ୍ୱୀପକୁ ନେଇ ଗଠିତ। ୭ ସେପ୍ଟେମ୍ବର ୨୦୨୪ ମସିହା ସୁଦ୍ଧା ମରିସସ୍‌ର...

ଜନଜାତି ପର୍ଯ୍ୟଟନ: ବିକଳ୍ପ ଅର୍ଥନୀତି

୨୦୧୧ର ଏକ ପରିସଂଖ୍ୟାନକୁ ବିଶ୍ଲେଷଣ କଲେ ଜଣାଯାଏ ଯେ, ଓଡ଼ିଶାର ମୋଟ ଜନସଂଖ୍ୟାର ପ୍ରାୟ ଶତକଡ଼ା ୨୨.୮୪ ଭାଗ ହେଉଛନ୍ତି ଆଦିବାସୀ ଜନଜାତି ବର୍ଗର। ଏଠାରେ...

ମଣିପୁର ନିଆଁ ଲିଭୁନାହିଁ

ମୁଖ୍ୟମନ୍ତ୍ରୀ ପଦରୁ ଏନ୍‌. ବୀରେନ୍‌ ସିଂ ଇସ୍ତଫା ଦେବାର ୪ ଦିନ ପରେ ୧୩ ଫେବୃଆରୀ ୨୦୨୫ରେ ମଣିପୁରରେ ରାଷ୍ଟ୍ରପତି ଶାସନ ଜାରି କରାଯାଇଥିଲା। ଅଶା...

ସମସ୍ୟା ସୃଷ୍ଟି କରାଯାଉଛି

ବିଶ୍ୱର ସବୁ ମଣିଷ ମିଳିତ ଭାବେ କେତେକ ସମସ୍ୟା ସୃଷ୍ଟି କରିଛନ୍ତି ଓ ସେମାନେ ଏକାଠି ସେଗୁଡ଼ିକୁ ସମାଧାନ କରିବା ଦରକାର। କେତେକ ସମସ୍ୟା ସ୍ଥାନୀୟ...

ପିତା ଓ ପିତା

ଚପଳ ବୟସ ବାବୁଲାର। ଚଗଲାମିରେ ସୀମା ଟପିଗଲାଣି। ସାହି ପଡ଼ିଶାଙ୍କର ସବୁବେଳେ ଅଭିଯୋଗ। ବୋଉ ଭାରି ବ୍ୟସ୍ତ। କେତେ ବୁଝାଏ। ବାପା ଦିନେ ରାଗି ପିଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri