ନୟାଗଡ଼ ଅଫିସ,୧୬।୧୦-ନୟାଗଡ଼ ଜିଲାରେ କାର୍ଯ୍ୟରତ ନିର୍ମାଣ ଶ୍ରମିକ ମହାସଂଘ ପକ୍ଷରୁ ମଙ୍ଗଳବାର ଖଣ୍ଡପଡ଼ା ରୋଡ଼ସ୍ଥିତ ଶ୍ରମ ଆୟୁକ୍ତ କାର୍ଯ୍ୟାଳୟ ଆଗରେ ବିଭିନ୍ନ ଦାବି ନେଇ ଧାରଣା ଦିଆଯାଇଥିଲା। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଶ୍ରମିକମାନେ ଧାରଣା ଦେଇଥିଲେ। ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଏହିଭଳି ଧାରଣା ଜାରି ରହିବ ବୋଲି ସଂଘର ସାଧାରଣ ସମ୍ପାଦକ ବାସୁଦେବ ମହାନ୍ତି ସୂଚନା ଦେଇଛନ୍ତି। ଧାରଣାକାରୀ ଶ୍ରମିକମାନଙ୍କ କହିବାନୁଯାୟୀ ଜିଲାରେ ୩ ବର୍ଷ ହେଲାଣି ଶ୍ରମିକ ପରିଚୟ ପତ୍ର ପାଇଁ ଜିଲାରେ ଥିବା ଶ୍ରମ ଆୟୁକ୍ତ କାର୍ଯ୍ୟାଳୟରେ ପାଖାପାଖି ୨୧ ହଜାର ଶ୍ରମିକ ଆବେଦନ କରିଥିଲେ ମଧ୍ୟ ସେମାନଙ୍କୁ କାର୍ଡ଼ ପ୍ରଦାନ କରାଯାଉ ନାହିଁ। ଏ ନେଇ ବିଭନ୍ନ ସମୟରେ ଅଧିକାରୀଙ୍କୁ ଦେଖା କରି ଜଣାଉଥିଲେ ମଧ୍ୟ ସେମାନେ ବିଭିନ୍ନ ବାହାନା ଦେଖାଇ କାର୍ଡ଼ ହେଉ ନ ଥିବା କହୁଛନ୍ତି। ସେହିଭଳି ବହୁଦିନ ଧରି ପଡ଼ି ରହିଥିବା ବିଭିନ୍ନ ସହାୟତା ରାଶିକୁ ମଞ୍ଜୁର କରାଯାଉ ନାହିଁ। ଫଳରେ ନିର୍ମାଣ ଶ୍ରମିକମାନେ ସରକାରଙ୍କ ବିଭିନ୍ନ ଯୋଜନାରୁ ବଞ୍ଚତ୍ତ ହେଉଥିବା ପ୍ରକାଶ କରିଥିଲେ। ଏହି ଧାରଣାରେ ସଂଘର ସଭାପତି ରାଜକିଶୋର ମହାନ୍ତି, ଉପସଭାପତି ପ୍ରକାଶ ଚନ୍ଦ୍ର ମହାନ୍ତି, କୋଷାଧ୍ୟକ୍ଷ ବସନ୍ତ କୁମାର ଜେନା, କାର୍ଯ୍ୟକାରୀ ସଦସ୍ୟ ପ୍ରମୋଦ କୁମାର ମହାରଣା, ସଦସ୍ୟ ସବିତା ରାଣୀ ସାଥୁଆ, ରଘୁନାଥ ମହାରଣାଙ୍କ ସମେତ ଏକାଧିକ ଶ୍ରମିକ ଉପସ୍ଥିତ ଥିଲେ। ଜିଲା ଶ୍ରମ ଅଧିକାରୀ ଛୁଟିରେ ଥିବାରୁ ମଙ୍ଗଳବାର ଏ ନେଇ କୌଣସି ଆଲୋଚନା ହୋଇ ପାରି ନ ଥିଲା।