ବିଜେପୁର,୧୨।୪(ଡି.ଏନ୍.ଏ.): କରୋନା ମହାମାରୀକୁ ପ୍ରତିରୋଧ କରିବାକୁ ସାରା ରାଜ୍ୟରେ ଲକ ଡାଉନ ଅବ୍ୟାହତ ରହିଛି। ଏହି ସମୟରେ ବାଇକ୍ ବ୍ୟବହାର କରିବାକୁ ପ୍ରଶାସନ ପକ୍ଷରୁ ବାରଣ କରାଯାଇଛି। ହେଲେ କିଛି ଅମାନିଆ ବାଇକ ଚାଳକ ସବୁ ନିୟମକୁ ଫୁ କରି ବେଧଡକ ଗାଡି ଚଳାଉଛନ୍ତି। ଏଣୁ ବରଗଡ଼ ଜିଲା ବିଜେପୁର ଥାନା ପକ୍ଷରୁ ଅମାନିଆ ବାଇକ ଚାଳକ ଧରପଗଡ ଅଭିଯାନକୁ କଡାକଡି କରାଯାଇଛି। ଶନିବାର ୧୫ଜଣ ଏବଂ ରବିବାର ମଧ୍ୟାହ୍ନ ସୁଦ୍ଧା ୫୦ଜଣ ଅମାନିଆ ବାଇକ ଚାଳକଙ୍କ ନାମ ପଞ୍ଜୀକରଣ କରାଯାଇଥିବା ଜଣାପଡିଛି। ଅପରପକ୍ଷେ ଜବତ ହୋଇଥିବା ୨୦ ବାଇକକୁ ଶନିବାର ବ୍ୟକ୍ତିଗତ ମୁଚାଲିକାରେ ଛଡାଯାଇଛି। ଏ ନେଇ ଆଇଆଇସି ରାଜେନ୍ଦ୍ର ସିଆଲଙ୍କୁ ପଚାରିବାରୁ ଅମାନିଆମାନଙ୍କ ନାମକୁ ଅନଲାଇନରେ ପଞ୍ଜୀକରଣ କରାଯାଉଛି। ସରକାର ଯାହା ଧାର୍ଯ୍ୟ କରିବେ ସେହି ଅନୁଯାୟୀ ଜରିମାନା ଆଦାୟ କରାହେବ ବୋଲି ସେ କହିଛନ୍ତି। ପୋଲିସର ଗାଡି ଧରପଗଡ ଯୋଗୁ ବାଇକ ଚାଳକମାନଙ୍କ ମଧ୍ୟରେ ଛନକା ପଶିଯାଇଛି। ତେଣୁ ପୂର୍ବାପେକ୍ଷା ରାସ୍ତାରେ ବାଇକ ଚଳାଚଳରେ ଭଟ୍ଟା ପରିଲକ୍ଷିତ ହେଉଛି।
Posted inଆମ ଜିଲା ଖବର, ବରଗଡ଼