କଟକ ଅଫିସ, ୨୦।୪: ଦିନ ଯେତିକି ବଢୁଛି ମନରେ ଭୟ ମଧ୍ୟ ସେତିକି ବଢିବାରେ ଲାଗିଛି। କରୋନା ଭୂତାଣୁ ସଂକ୍ରମଣରୁ ନିଜକୁ ବଞ୍ଚାଇବା ପାଇଁ ମଣିଷ ଘରେ ରହୁଛି। ନିତିଦିନ ଗହଳି ଲାଗି ରହୁଥିବା ରାସ୍ତାଘାଟ ଆଜି ଶୂନଶାନ। ଜଣେ ଜଣକ ସହ ମିଶିବା ପାଇଁ ଡର ଲାଗୁଛି। ହେଲେ ଅନେକ ବ୍ୟକ୍ତି ପରିବାରର ବୋଝ ଆଗରେ ଜୀବନକୁ ତୁଚ୍ଛ ମନେ କରୁଛନ୍ତି। ପରିବାର ଲୋକଙ୍କ ମୁହଁରେ ଦାନା ମୁଠାଏ ଦେବା ପାଇଁ ଦିନତମାମ ଖରାରେ ବୁଲୁଛନ୍ତି। ଲକଡାଉନ ଯୋଗୁ ଗାଡ଼ିି, ଦୋକାନ ବଜାର ବନ୍ଦ ରହିଛି। ରାତି ପାହିଲା ପରେ ଭଲ ରୋଜଗାର ଆଶାରେ ବାହାରି ଯାଉଥିବା ଲୋକ ଆଜି ବେରୋଜଗାର ହୋଇ ବସିଛି। ଏମିତି ଆଉ କେତେ ଦିନ…..।
ଗଞ୍ଜାମରେ ବିଶ୍ୱନାଥ ନାୟକଙ୍କ ଘର। ଭଲ ରୋଜଗାର ପାଇଁ ପରିବାରକୁ ସାଙ୍ଗରେ ଧରି ୧୦ ବର୍ଷ ତଳେ କଟକ ସହରକୁ ଚାଲି ଆସିଥିଲେ। ପରିବାର କହିଲେ ସ୍ତ୍ରୀ, ଗୋଟିଏ ପୁଅ ଓ ଝିଅ। ରାଣୀହାଟ ଅଞ୍ଚଳରେ ଏକ ଭଡ଼ାଘରେ ରହୁଛନ୍ତି। ସେ ସୁଇପର ଭାବେ କାର୍ଯ୍ୟ କରନ୍ତି । ଦିନକୁ ୧୬ ଘଣ୍ଟା ଖଟିଲେ ପରିବାର ଚଳେ। ୮ଘଣ୍ଟା କଟକ ରେଳ ଷ୍ଟେଶନରେ କାମ କରନ୍ତି। ବାକି ସମୟ ଅନ୍ୟ କିଛି କାମ କରନ୍ତି । କରୋନା ପାଇଁ ରେଳ ଷ୍ଟେଶନରେ ୪ ଘଣ୍ଟା କାମ ହେଉଥିବା ବେଳେ ଅନ୍ୟ କିଛି କାମ ମିଳୁ ନାହିଁ। ଯାହା କିିଛି ରୋଜଗାର ହେଉଛି ବହୁ କଷ୍ଟରେ ଚଳିବାକୁ ପଡୁଛି। ଯଦି କିଛି ଅସୁବିଧା ହୁଏ ସେଦିନ ଚଳିବା ଅସମ୍ଭବ। କାମ କରି ଘରକୁ ଫେରିଲେ ଘରଣୀ ମୁହଁକୁ ଚାହିଁ ରହୁଛି। ଆଗ ଭଳି ମୁହଁରେ ତା’ର ହସ ନାହିଁ। ଖାଲି ଭରି ରହିଛି ଭୟ। ହେଲେ ବିଶ୍ୱନାଥ କହନ୍ତି ପରିବାର ଆଗରେ ନିଜ ଜୀବନ ବା କ’ଣ। ସେମାନଙ୍କ ଖୁସି ଆଗରେ ସବୁ ତୁଚ୍ଛ। ସେହିପରି ଆନ୍ଧ୍ରପ୍ରଦେଶରୁ ଆସି କଟକ ଖପୁରିଆ ଅଞ୍ଚଳରେ ରହୁଛନ୍ତି ରବି ରାଓ । ସେ ଟ୍ରଲି ଚଲାଇ ନିଜ ପରିବାର ଚଳାନ୍ତି। ହେଲେ ଲକଡାଉନ ଯୋଗୁ ଆଉ କିଛି କାମ ମିଳୁନାହିଁ। ସକାଳୁ ଟ୍ରଲି ଧରି ସହର ସାରା ଘୂରି ବୁଲିଲେ ବି ୫୦ ଟଙ୍କାର ପୂରିବା ବହୁତ କଷ୍ଟକର। ଯଦି କେହି କୌଣସି କାମ ପାଇଁ ଡାକେ ତାହେଲେ କିଛି ଭଲ ଭଡ଼ା ମିଳିଯାଏ। ନ ହେଲେ ସ୍ବେଚ୍ଛାସେବୀମାନେ ଦେଉଥିବା ଭାତ, ଡାଲି ଖାଇ କିଛି ସମୟ ସେହି ଟ୍ରଲି ଉପରେ ବସିପଡ଼େ। ପୁଣି କାମ ସନ୍ଧାନରେ ବୁଲିବାକୁ ପଡ଼େ ବୋଲି ରବି ପ୍ରକାଶ କରିଥିଲେ।