ଧର୍ମେନ୍ଦ୍ର ପ୍ରଧାନ
ଆମ ସମସ୍ତଙ୍କୁ ଅଳ୍ପ-ବହୁତ ବିଶ୍ୱତାପନର ଗୁରୁତର ପରିଣାମ ଭୋଗିବାକୁ ପଡ଼ୁଛି। ଭୂପୃଷ୍ଠର ତାପମାତ୍ରା ଅତି ସାମାନ୍ୟ ପରିମାଣରେ, ମାତ୍ର ୦.୩ରୁ ୧.୭ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧିର ଗମ୍ଭୀର ପ୍ରଭାବ ମଧ୍ୟ ଆମ ଉପରେ ପଡ଼ୁଛି। ଉଦାହରଣ ସ୍ବରୂପ ନିକଟରେ ଅଷ୍ଟ୍ରେଲିଆରେ ଯେଉଁ ଭୟାବହ ବନାଗ୍ନି ଦେଖାଦେଇଥିଲା ତାହା ଭୌଗୋଳିକ ଅଗ୍ନିଛାୟା ଓ ଅଙ୍ଗାରକ ନିର୍ଗମନ ସମସ୍ୟା ପ୍ରତି ସମଗ୍ର ବିଶ୍ୱର ଚିନ୍ତାକୁ ବଢ଼ାଇ ଦେଇଛି। ପ୍ରଭାବ ଭିନ୍ନ ହୋଇଥିଲେ ବି ଆମେ ସମସ୍ତେ ବିଶ୍ୱତାପନର ଗମ୍ଭୀର ସମସ୍ୟା ଭୋଗୁଥିବାରୁ ଏହାର ନିରାକରଣ ଦିଗରେ ଆମକୁ ମିଳିତ ପ୍ରୟାସ କରିବାକୁ ହେବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ନିଜର ଇନ୍ଧନ ଚାହିଦା ମେଣ୍ଟାଇବା ଲାଗି ଅକ୍ଷୟ ଶକ୍ତି ଉପରେ ଅଧିକ ନିର୍ଭରଶୀଳ ହେବା ଦିଗରେ ଅଗ୍ରସର ହେଉଛି ଏବଂ ଇନ୍ଧନ ମିଶ୍ରଣରେ ପୁନଃ ସନ୍ତୁଳନ ପ୍ରତିଷ୍ଠା ପାଇଁ ପ୍ରୟାସ କରୁଛି। ତେବେ ଆମ ବିକାଶଚକ୍ରର ଏଭଳି ଏକ କ୍ଷଣରେ ଭାରତ ଯେ ସମ୍ପୂର୍ଣ୍ଣ ଭାବେ ଜୀବାଶ୍ମ ଇନ୍ଧନ ଉପଯୋଗ ବନ୍ଦ କରିଦେବ, ତାହା ଆଶା କରିବା ମଧ୍ୟ ଉଚିତ ହେବ ନାହିଁ। ଭାରତ ବର୍ତ୍ତମାନ ମୁଣ୍ଡପିଛା ୧.୬ ଟନ ଅଙ୍ଗାରକାମ୍ଳ ନିର୍ଗମନ କରୁଛି। ଏହା ବିଶ୍ୱର ହାରାହାରି ୪.୪ ଟନଠାରୁ ଯଥେଷ୍ଟ ତଳେ ରହିଛି। ବିଶ୍ୱର ମୋଟ ଅଙ୍ଗାରକାମ୍ଳ ନିର୍ଗମନରେ ଭାରତର ଭାଗ ମାତ୍ର ୬.୪ ପ୍ରତିଶତ। ଏହା ସତ୍ତ୍ୱେ ଶକ୍ତି ଉପତ୍ାଦନକୁ ଯଥାସମ୍ଭବ ଅଙ୍ଗାରକମୁକ୍ତ କରିବା ଲାଗି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଉଛି। ଅକ୍ଷୟ ଶକ୍ତିର ଉପଯୋଗ ବୃଦ୍ଧି ଓ କମ୍ ପ୍ରଦୂଷଣଯୁକ୍ତ ଜୀବାଶ୍ମ ଇନ୍ଧନ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି।
ଏ ଦିଗରେ ଆମେ ନିରନ୍ତର ନୀତିଗତ ପଦକ୍ଷେପ ଗ୍ରହଣ କରୁଛୁ। ଭାରତକୁ ଏକ ବାଷ୍ପ-ନିର୍ଭରଶୀଳ ଅର୍ଥବ୍ୟବସ୍ଥାରେ ପରିଣତ କରିବା ଲାଗି ଆମେ ନୀତିଗତ ସୁଧାର ଆଣିବା ସହ ପରବର୍ତ୍ତୀ ପିଢ଼ିର ଭିତ୍ତିଭୂମି ନିର୍ମାଣ କରୁଛୁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିବା ଲାଗି ଆମେ ଭାରତର ପ୍ରାଥମିକ ଇନ୍ଧନ ମିଶ୍ରଣରେ ବାଷ୍ପର ଅଂଶକୁ ବର୍ତ୍ତମାନର ୬ ରୁ ୧୫ ପ୍ରତିଶତକୁ ବୃଦ୍ଧି କରିବୁ। ଏହି ଲକ୍ଷ୍ୟ ପ୍ରତି ସରକାର ସର୍ବାଧିକ ପ୍ରାଥମିକତା ଦେଉଛନ୍ତି। ବାଷ୍ପ ଆଧାରିତ ଅର୍ଥବ୍ୟବସ୍ଥା ଦିଗରେ ଅଗ୍ରସର ହେବା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅର୍ଥମନ୍ତ୍ରୀ ତାଙ୍କର ସଦ୍ୟ ବଜେଟ ଅଭିଭାଷଣରେ ତଥ୍ୟ ସହ ଉଲ୍ଲେଖ କରିଥିଲେ।
ବିଶ୍ୱର ସାମଗ୍ରିକ ଇନ୍ଧନ ଉପଯୋଗରେ ପ୍ରାକୃତିକ ବାଷ୍ପର ଭାଗ ୨୪ ପ୍ରତିଶତ। ଏକମାତ୍ର ଭାରତୀୟ ରାଜ୍ୟ ଗୁଜରାଟରେ ବିଶ୍ୱ ହାରାହାରିଠାରୁ ଅଧିକ ବାଷ୍ପ ମିଶ୍ରଣ ରହିଛି, ଯାହା କି ପାଖାପାଖି ୨୫ ପ୍ରତିଶତ। ଆମର ବାଷ୍ପ ଉପଯୋଗ ଆକାଂକ୍ଷାକୁ ବାସ୍ତବ ରୂପ ଦେବା ଲାଗି ଗତ ୫ବର୍ଷ ମଧ୍ୟରେ ଆମେ ଘରୋଇ ବାଷ୍ପ ମୂଲ୍ୟ ନିର୍ଦ୍ଧାରଣ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛୁ। ୨୦୧୪ରେ ଆମେ ଏହାକୁ ବିଶ୍ୱ ବାଷ୍ପ ବଜାର ମାନଦଣ୍ଡ ସହିତ ଯୋଡ଼ିଥିଲୁ। ୨୦୧୬ ପରଠାରୁ ଅନ୍ବେଷଣ ଏବଂ ଉପତ୍ାଦନ କାର୍ଯ୍ୟରେ ନିବେଶକୁ ଆକୃଷ୍ଟ କରିବା ଲାଗି ଆମେ ବିପଣନ ଓ ମୂଲ୍ୟ ନିର୍ଦ୍ଧାରଣ ପାଇଁ ସ୍ବାଧୀନତା ଦେଇଛୁ। ରାଜସ୍ବ ସଂଗ୍ରହ ବୃଦ୍ଧି କରିବା ପରିବର୍ତ୍ତେ ଆମେ ଉପତ୍ାଦନ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଛୁ। ଏଥିପାଇଁ ନିବେଶକଙ୍କ ସ୍ବାଧୀନତା ଅନୁଯାୟୀ ସେମାନଙ୍କୁ ବ୍ଲକ ଆବଣ୍ଟନ କରାଯାଇଛି। ନୂଆ ଟର୍ମିନାଲ ବିକଶିତ କରିବା ସହ ବର୍ତ୍ତମାନର କ୍ଷମତା ବୃଦ୍ଧି କରାଯାଇ ଏଲ୍ଏନ୍ଜି ଆମଦାନି ବୃଦ୍ଧି କରିଛୁ। ଏହାଛଡ଼ା ୨୬୫୦ କିମି ପ୍ରଧାନମନ୍ତ୍ରୀ ଊର୍ଜା ଗଙ୍ଗା ପ୍ରକଳ୍ପ ଏବଂ ୧୬୫୬ କିମି ଉତ୍ତର-ପୂର୍ବାଞ୍ଚଳ ଗ୍ୟାସ୍ ଗ୍ରୀଡ ପ୍ରକଳ୍ପ ବିକଶିତ କରାଯାଇ ଦେଶର ଉତ୍ତର ଏବଂ ଉତ୍ତର-ପୂର୍ବାଞ୍ଚଳକୁ ଗ୍ୟାସ୍ ଗ୍ରୀଡ ସହିତ ସଂଯୋଗ କରାଯାଇଛି। ଉପାନ୍ତ ଅଞ୍ଚଳକୁ ଗ୍ୟାସ୍ ଯୋଗାଣ ଉଦ୍ଦେଶ୍ୟରେ ଏସବୁ ପ୍ରକଳ୍ପ ପାଇଁ ୧୦,୭୧୯ କୋଟି ଟଙ୍କାର ପୁଞ୍ଜି ସହାୟତା ଯୋଗାଇ ଦିଆଯାଇଛି। ବଜେଟ ୨୦୨୦ର ଘୋଷଣା ଅନୁରୂପ ଆସନ୍ତା କିଛିବର୍ଷ ମଧ୍ୟରେ ପାଖାପାଖି ୨୭ ହଜାର କିମି ଜାତୀୟ ଗ୍ୟାସ୍ ଗ୍ରୀଡ ପାଇପ ଲାଇନ କଛରୁ କୋହିମା ଏବଂ କଶ୍ମୀରରୁ କନ୍ୟାକୁମାରୀକୁ ଯୋଡ଼ିବ।
ଆମେ ସହରାଞ୍ଚଳ ଗ୍ୟାସ୍ ବିତରଣ ନେଟ୍ୱର୍କ (ସିଜିଡି)କୁ ସମ୍ପ୍ରସାରଣ କରିବା ଉପରେ ବିଶେଷ ଗୁରୁତ୍ୱାରୋପ କରିଛୁ। ଏହା ଜନସଂଖ୍ୟାର ୭୦ ପ୍ରତିଶତ ଏବଂ ୪୦୦ରୁ ଊର୍ଦ୍ଧ୍ୱ ଜିଲାକୁ ସମ୍ପ୍ରସାରିତ ହେବ। ସିଜିଡିଗୁଡ଼ିକ ପରିବାର, ଶିଳ୍ପ ଓ ବାଣିଜି୍ୟକ ପ୍ରତିଷ୍ଠାନ ପାଇଁ ପିଏନ୍ଜି ଭଳି ସ୍ବଚ୍ଛ ରୋଷେଇ ଇନ୍ଧନ ସହିତ ସିଏନ୍ଜି ଭଳି ପରିବହନ ଇନ୍ଧନ ଯୋଗାଇ ଦେଇଥାନ୍ତି। ଆଗାମୀ ଦଶନ୍ଧିରେ ଏହି କ୍ଷେତ୍ରରେ ୧୨୦,୦୦୦ କୋଟି ଟଙ୍କାର ନିବେଶ ହେବ ବୋଲି ଆଶା କରାଯାଉଛି।
ପ୍ରାକୃତିକ ବାଷ୍ପ ସହିତ ଏକ ନୂଆ ପଦକ୍ଷେପ ‘ସୁଲଭ ପରିବହନ ଲାଗି ସ୍ଥାୟୀ ବିକଳ୍ପ’ (ଏସ୍ଏଟିଏଟି) ହାତକୁ ନିଆଯାଇଛି। ଏହା ମାଧ୍ୟମରେ କମ୍ପ୍ରେସ୍ଡ ବାୟୋଗ୍ୟାସ୍ (ସିବିଜି) ଏବଂ ଜୈବ ଖତ ଆକାରରେ ଜୈବିକ ବର୍ଜ୍ୟବସ୍ତୁରୁ ଆର୍ଥିକ ଲାଭ ପାଇବା ପାଇଁ ପ୍ରୟାସ କରାଯାଉଛି। ସହରାଞ୍ଚଳର କଠିନ ବର୍ଜ୍ୟବସ୍ତୁ, ଚିନି ଶିଳ୍ପର ବର୍ଜ୍ୟବସ୍ତୁ ଏବଂ କୃଷିକ୍ଷେତ୍ରର ବର୍ଜ୍ୟରୁ ବ୍ୟାପକ ପରିମାଣରେ ଜୈବିକ ବର୍ଜ୍ୟବସ୍ତୁ ବାହାରିଥାଏ। ଅଗ୍ରୀମ ବାଣିଜି୍ୟକ ରାଜିନାମା ଜରିଆରେ ଏହାର ଉପଯୋଗ ଲାଗି ଆମର ରାଷ୍ଟ୍ରାୟତ୍ତ ତୈଳ ଉଦ୍ୟୋଗଗୁଡ଼ିକ ଆଗେଇ ଆସିଛନ୍ତି। ସେମାନେ ପ୍ରଥମ ଦଶବର୍ଷ ଲାଗି ସିବିଜି କ୍ରୟ କରିବା ନିମନ୍ତେ ଏକ ଧାର୍ଯ୍ୟ ମୂଲ୍ୟ ପ୍ରସ୍ତାବ ଦେଇଛନ୍ତି। ଦେଶରେ ପ୍ରଚୁର ପରିମାଣରେ ଜୈବିକ ବର୍ଜ୍ୟ ମହଜୁଦ ଥିବାରୁ ଆଗାମୀ ଦିନରେ ଯାନବାହନ ଚଳାଚଳ, ଶିଳ୍ପ ଏବଂ ବାଣିଜି୍ୟକ ଉପଯୋଗ ଲାଗି ସିଏନ୍ଜିର ବିକଳ୍ପ ହେବାର ସମ୍ଭାବନା ସିବିଜି ନିକଟରେ ରହିଛି। ମୁଖ୍ୟତଃ ସ୍ବାଧୀନ ଉଦ୍ୟୋଗୀଙ୍କ ଦ୍ୱାରା ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା କରିବା ଲାଗି ଆମେ ପ୍ରସ୍ତାବ ରଖିଛୁ। ଏସବୁ ପ୍ଲାଣ୍ଟରେ ଉପତ୍ାଦିତ ସିବିଜି ସିଲିଣ୍ଡରରେ ଭର୍ତ୍ତି ହୋଇ ସବୁଜ ପରିବହନ ବିକଳ୍ପ ଇନ୍ଧନ ନିମନ୍ତେ ବିକ୍ରି ହେବା ଲାଗି ତୈଳ ବିପଣନ କମ୍ପାନୀଗୁଡ଼ିକର ଇନ୍ଧନ ଷ୍ଟେଶନ ନେଟ୍ୱର୍କ ନିକଟରେ ପହଞ୍ଚତ୍ବ।
ମଧ୍ୟମ ଏବଂ ଭାରିଯାନ ପାଇଁ ତରଳ ପ୍ରାକୃତିକ ବାଷ୍ପ (ଏଲ୍ଏନ୍ଜି) ମଧ୍ୟ ଶସ୍ତା ଓ ପରିବେଶ ଅନୁକୂଳ ଜୀବାଶ୍ମ ଇନ୍ଧନ ଆକାରରେ ଏକ ସମ୍ଭାବ୍ୟ ବିକଳ୍ପ ଭାବେ ଉଭା ହୋଇଛି। ଦେଶରେ ଏଲ୍ଏନ୍ଜି ଆଧାରିତ ପରିବହନ ପରିସଂସ୍ଥାନ ବିକଶିତ କରିବା ଉଦ୍ଦେଶ୍ୟରେ ସ୍ବର୍ଣ୍ଣିମ ଚତୁର୍ଭୁଜ ନିକଟରେ ଏଲ୍ଏନ୍ଜି ଫିଲିଂ ଷ୍ଟେଶନ ନିର୍ମାଣ କରିବା ଉପରେ ଜୋର ଦିଆଯାଉଛି। ପରିବହନ କ୍ଷେତ୍ରରେ ଏଲ୍ଏନ୍ଜିର ଉପଯୋଗ ମଧ୍ୟ ଆମଦାନି ଖର୍ଚ୍ଚ ହ୍ରାସ କରିବ।
ବାଷ୍ପ ଭିତ୍ତିଭୂମି ବିକଶିତ କରିବା ଲାଗି ଏସବୁ ପଦକ୍ଷେପ ଫଳରେ ବାଷ୍ପ ମୂଲ୍ୟ ଶୃଙ୍ଖଳାରେ ୪ ଲକ୍ଷ କୋଟି ଟଙ୍କା ନିବେଶ ପାଇଁ ମାର୍ଗ ପ୍ରଶସ୍ତ ହେବା ସହ ବ୍ୟାପକ ନିଯୁକ୍ତି ସମ୍ଭାବନା ସୃଷ୍ଟି ହେବ। ଭାରତୀୟ ବଜାରରେ ଦକ୍ଷ ମୂଲ୍ୟ ଅନ୍ବେଷଣ ଉଦ୍ଦେଶ୍ୟରେ ଏକ ଗ୍ୟାସ୍ ଟ୍ରେଡିଂ ଏକ୍ସଚେଞ୍ଜ ପ୍ରତିଷ୍ଠା କରାଯାଇ ଏକ ମୁକ୍ତ ବାଷ୍ପ ବଜାର ବ୍ୟବସ୍ଥା ହାସଲ ନିମନ୍ତେ ଯୋଜନା ରହିଛି। ଏହାଛଡ଼ା ପାଇପଲାଇନ ଦର ବ୍ୟବସ୍ଥାକୁ ଯୁକ୍ତିଯୁକ୍ତ କରିବା ଏବଂ ପ୍ରାକୃତିକ ବାଷ୍ପକୁ ଜିଏସ୍ଟି ଭଳି ଉଦାର ଟିକସ ବ୍ୟବସ୍ଥା ଅଧୀନକୁ ଆଣିବା ମଧ୍ୟ ବାଷ୍ପ ଆଧାରିତ ଅର୍ଥବ୍ୟବସ୍ଥା ଦିଗରେ ଏକ ବଡ଼ ପଦକ୍ଷେପ ହେବ।
ଚାହିଦା ପୂରଣ ଲାଗି ଆମେ ଆମ ବାଷ୍ପ ଉତ୍ସରେ ଭୌଗୋଳିକ ପରିବର୍ତ୍ତନ ଆଣିବା ପ୍ରକ୍ରିୟାରେ ରହିଛୁ। ଭାରତ କାତାର, ଆମେରିକା, ରୁଷ ଓ ଅଷ୍ଟ୍ରେଲିଆରୁ ଏଲ୍ଏନ୍ଜି ଆମଦାନି କରିଥାଏ। ତେବେ, ଶକ୍ତି କ୍ଷେତ୍ର ଏବଂ ଇସ୍ପାତ ଉଦ୍ୟୋଗ ଭଳି କେତେକ କ୍ଷେତ୍ର ଯେଉଁମାନେ ବାଷ୍ପର ବ୍ୟବହାର କରିଥାନ୍ତି କିମ୍ବା କରିପାରିବେ, ସେମାନେ ବର୍ତ୍ତମାନ ଏଲ୍ଏନ୍ଜିର ଅନାକର୍ଷକ ମୂଲ୍ୟ ଯୋଗୁ ଗ୍ୟାସ୍କୁ କଞ୍ଚାମାଲ ଭାବେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।
ତେଣୁ, ଗ୍ୟାସ୍ ଉପତ୍ାଦକ ରାଷ୍ଟ୍ରଗୁଡ଼ିକ ବର୍ତ୍ତମାନର ବଜାର ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନଙ୍କର ଦୀର୍ଘସ୍ଥାୟୀ ଏଲ୍ଏନ୍ଜି ରାଜିନାମାକୁ ନୂଆ ରୂପ ଦେବାର ଆବଶ୍ୟକତା ରହିଛି। ଆମର ସବୁଠୁ ବଡ଼ ପୁଞ୍ଜି ହେଉଛି ଆମ ବଜାରର ଆକାର ଏବଂ ଏହାର ବର୍ଦ୍ଧିଷ୍ଣୁ ଶକ୍ତି ଚାହିଦା।
(ଲେଖକ କେନ୍ଦ୍ର ପେଟ୍ରୋଲିୟମ, ପ୍ରାକୃତିକ ବାଷ୍ପ ଓ ଇସ୍ପାତ ମନ୍ତ୍ରୀ)