ପରିବେଶକୁ ସଜାଡ଼ିବା ପ୍ରୟାସ

ଡ. ବିଜୟ କେତନ ପଟ୍ଟନାୟକ
ଗତ ମେ ୩ ତାରିଖରେ ଶ୍ରୀକ୍ଷେତ୍ର ପୁରୀ ନିକଟରେ ଭୂମିପାତ ହେବା ଅବସରରେ ମହାବାତ୍ୟା ଫନୀ ଭିତ୍ତିଭୂମିର ବ୍ୟାପକ କ୍ଷୟକ୍ଷତି ଘଟାଇଛି। ସବୁଠାରୁ ଅଧିକ ଧ୍ୱସ୍ତବିଧ୍ୱସ୍ତ ହୋଇଛି ପରିବେଶ। ସମ୍ପୂର୍ଣ୍ଣ ଭାବେ ଉଜୁଡିଯାଇଛି ପ୍ରାକୃତିକ ସବୁଜିମା। ରାସ୍ତା ପାର୍ଶ୍ୱରେ, ଗାଁଗଣ୍ଡା ସହରବଜାରରେ ଏବଂ ଜଙ୍ଗଲରେ ଲକ୍ଷ ଲକ୍ଷ ଗଛ ଭୂପତିତ ହୋଇଛି। ଫନୀ ବିଶେଷ ଭାବେ ରାଜ୍ୟର ପୁରୀ, ଖୋର୍ଦ୍ଧା ଓ କଟକ ଜିଲାର ପରିବେଶକୁ ସମ୍ପୂର୍ଣ୍ଣ ଉଜାଡି ଦେଇଛି। କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲାରେ ମଧ୍ୟ ଆଂଶିକ କ୍ଷୟକ୍ଷତି ଘଟିଛି।
ଭୁବନେଶ୍ୱରଠାରେ ଅବସ୍ଥିତ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗବେଷଣାଗାର ପରିସର ଯଥା ଉତ୍କଳ ବିଶ୍ୱବିଦ୍ୟାଳୟ, ପଦାର୍ଥବିଜ୍ଞାନ ପ୍ରତିଷ୍ଠାନ, ଆଇଆଇଏମ୍‌ଟି (ପୂର୍ବାଞ୍ଚଳ ଗବେଷଣା କେନ୍ଦ୍ର), ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର, ରାଜ୍ୟ ଉଦ୍ୟାନ ବିଭାଗ ପରିସର, ଔଷଧୀୟ ଉଦ୍ୟାନ, ସ୍ମୃତିବନ, ଜୟଦେବବାଟିକା, ନନ୍ଦନକାନନ ଓ ଫରେଷ୍ଟ ପାର୍କ, ଇନ୍ଦିରା ଗାନ୍ଧୀ ପାର୍କ ଏବଂ ମଧୁସୂଦନ ପାର୍କ ଆଦି ବୁଲି ଦେଖିବା ଅବସରରେ ମନେହେଲା, ଯେପରି ଫନୀ ତାଣ୍ଡବରେ ବିବର୍ଣ୍ଣ ହୋଇଯାଇଥିଲା ପ୍ରକୃତିର ସବୁଜିମା।
ଏବେ ବର୍ଷାଋତୁ ଆସିଯାଇଛି। ଚାରାରୋପଣ କରିବାର ପ୍ରକୃଷ୍ଟ ସମୟ। ସାରା ରାଜ୍ୟରେ, ବିଶେଷକରି ଏହି ତିନୋଟି ଜିଲାରେ ଉଜୁଡିଯାଇଥିବା ପରିବେଶକୁ ସଜାଡିବା ନିମନ୍ତେ ରାଜ୍ୟ ବନ ବିଭାଗ ପ୍ରୟାସ ଆରମ୍ଭ କରିଛି। ଆମେ ସମସ୍ତେ ଜାଣୁ ଘରଟିଏ ଭାଙ୍ଗିଗଲେ ଛଅମାସ କିମ୍ବା ବର୍ଷେ ଭିତରେ ନୂଆ ଘରଟିଏ ତୋଳିଦେଇ ହେବ। କିନ୍ତୁ ଗଛଟିଏ ଉପୁଡିଗଲେ ଠିକ୍‌ ସେହିପରି ଗଛଟିଏ ଉତାରିବାକୁ ଅତି କମ୍‌ରେ ପନ୍ଦରରୁ କୋଡିଏ ବର୍ଷ ଲାଗିଯିବ। ଗଛଗୁଡିକ ପ୍ରାପ୍ତବୟସ୍କ ହେବା ପାଇଁ ଏହାଠାରୁ ଅଧିକ ସମୟ ମଧ୍ୟ ଲାଗିଯାଇପାରେ।
ରାଜ୍ୟ ବନ ବିଭାଗର ଆକଳନ ମୁତାବକ ଜଙ୍ଗଲ ଓ ପୁରୀ ବାଲୁଖଣ୍ଡ ଅଭୟାରଣ୍ୟରେ ଉପୁଡି ଯାଇଥିବା ବୃକ୍ଷ ସଂଖ୍ୟା ପ୍ରାୟ ୯ ଲକ୍ଷ, ଜଙ୍ଗଲ ବାହ୍ୟ ଅଞ୍ଚଳରେ ନଷ୍ଟ ହୋଇଥିବା ବୃକ୍ଷ ୫ ଲକ୍ଷ, ସହରାଞ୍ଚଳ ଓ ପଥପାର୍ଶ୍ୱ ବନୀକରଣରେ ନଷ୍ଟ ହୋଇଯାଇଥିବା ବୃକ୍ଷ ୭.୯୦ ଲକ୍ଷ ଓ ସର୍ବମୋଟ ପ୍ରାୟ ୨୨ ଲକ୍ଷ ବଡ ଗଛ ଉପୁଡି ପଡିଛି। ଏହା ବ୍ୟତୀତ ବେସରକାରୀ ଜମିରେ ନଷ୍ଟ ହୋଇଥିବା ବୃକ୍ଷକୁ ବିଚାରକୁ ନେଲେ ଏହି ସଂଖ୍ୟା ୨୫ ଲକ୍ଷକୁ ଟପିଯିବ। ପୁରୀ ସନ୍ନିକଟ ବାଲୁଖଣ୍ଡ ଅଭୟାରଣ୍ୟ ଏବଂ ସଂସ୍କୃତ ବିଶ୍ୱବିଦ୍ୟାଳୟ ଯେଉଁଠି ଫନୀ ବାତ୍ୟା ଭୂପୃଷ୍ଠରେ ପ୍ରବେଶ କରିଥିଲା, ସେଠାରେ ଥିବା ସମସ୍ତ ଗଛ ଧରାଶାୟୀ ହୋଇଛି। ଏହି ଗଛଗୁଡିକ ମଧ୍ୟରେ ଝାଉଁ, ୟୁକାଲିପଟାସ ଓ ଆକାଶିଆ ଆଦି ରହିଛି। ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡରେ ଲଗାଯାଇଥିବା ଗଛଗୁଡିକ ମଧ୍ୟ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି।
ଚଳିତ ବର୍ଷ ରାଜ୍ୟ ବନ ବିଭାଗ ଫନୀ ପ୍ରଭାବିତ ଅଞ୍ଚଳରେ ଉପକୂଳବର୍ତ୍ତୀ ତଥା ସମୁଦ୍ର ତଟବର୍ତ୍ତୀ ବନୀକରଣ ମିଶନ ନାମରେ ଏକ ୬ ବର୍ଷିଆ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି। ଏଥିନିମନ୍ତେ ୧୮୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ୬ ବର୍ଷରେ ହେବାକୁ ଥିବା ମୋଟ ୬୦୦୦ ହେକ୍ଟର ତଟବର୍ତ୍ତୀ ଇଲାକାରେ ଝାଉଁ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟରୁ ୨୦୧୯-୨୦ରେ ୪୫୦ ହେକ୍ଟର ଜମିରେ ପ୍ରାୟ ୮୦,୦୦୦ ଗଛ ଲଗାଯିବାର ପ୍ରସ୍ତାବ ରହିଛି। ରାଜ୍ୟରେ ବାରମ୍ବାର ଘଟୁଥିବା ବାତ୍ୟା ପ୍ରକୋପକୁ ହ୍ରାସ କରିବାରେ ଝାଉଁ ଓ ହେନ୍ତାଳ ବନ ପ୍ରାକୃତିକ ପ୍ରତିବନ୍ଧକ ଭାବେ କାର୍ଯ୍ୟ କରିଥାଏ। ପୁରୀ ଜିଲାର ବାଲୁଖଣ୍ଡ ଅଭୟାରଣ୍ୟରେ ସ୍ଥାନୀୟ ଗ୍ରାମବାସୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନମାନଙ୍କ ସହାୟତାରେ ୫୦ ଲକ୍ଷ ଚାରା ଲଗାଯିବାର ପ୍ରସ୍ତାବ ରହିଛି।
ବାତ୍ୟା ପରେ ପରେ ରାଜ୍ୟ ବନ ବିଭାଗର ଅନ୍ୟ ଏକ କାର୍ଯ୍ୟକ୍ରମ ଏଥର ବିଶେଷ ଭାବେ ଦୃଷ୍ଟି ଆକର୍ଷଣ କରିଛି। ତାହା ହେଉଛି ଅଧା ଉପୁଡି ପଡିଥିବା କିମ୍ବା ଅଧାରୁ ଭାଙ୍ଗିଯାଇଥିବା ଗଛଗୁଡିକୁ ପୂରାପୂରି କାଟି ନ ଦେଇ ତାକୁ କିପରି ପୁନଃ ସଂସ୍ଥାପନ କରି ଜୀବନ୍ୟାସ ଦିଆଯାଇପାରିବ, ସେ ଦିଗରେ ଉଦ୍ୟମ କରାଯାଇଛି। ବାତ୍ୟା ପରେ ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରେ ୮୦୦୦ ଭଙ୍ଗା ଗଛକୁ ଛିଡା କରାଯାଇଥିବା ବେଳେ, ପୁରୀରେ ୪୦୦୦ ଏବଂ କଟକରେ ୨୦୦୦ ଏବଂ ଅନ୍ୟତ୍ର ୧୦୦୦, ଏହିପରି ୧୫୦୦୦ ଗଛକୁ ଜୀବନ୍ୟାସ ଦିଆଯାଇପାରିଛି। ଏପରିକି ବେସରକାରୀ ଅନୁଷ୍ଠାନ ଏବଂ ବ୍ୟକ୍ତିଗତ ଜମିରେ ମଧ୍ୟ କିଛି ଗଛ ଅଧା ଉପୁଡି ପଡିଥିଲେ ସେଗୁଡିକୁ ପୁନର୍ବାର ଠିଆକରି ବଞ୍ଚେଇବା ପାଇଁ ବନ ବିଭାଗ ସହାୟତାର ହାତ ବଢାଇଛି। ଏହା ବ୍ୟତୀତ ବାତ୍ୟା ପ୍ରଭାବିତ ୩ଟି ଜିଲାରେ ୧୨୦ କିଲୋମିଟର ପଥପାର୍ଶ୍ୱ ବନୀକରଣ, ସଘନ ବନୀକରଣ ୧୦୦ ହେକ୍ଟର ଏବଂ ସହରାଞ୍ଚଳରେ ମଧ୍ୟ ବନୀକରଣ ନିମନ୍ତେ ଲକ୍ଷ୍ୟ ରଖାଯାଇଛି।
ରାଜ୍ୟ ବନ ବିଭାଗର ସୂଚନା ମୁତାବକ, ରାଜ୍ୟ ବାହାରୁ ୮୦,୦୦୦ ବାତ୍ୟା ପ୍ରତିରୋଧକ ଚାରା ଆଣି ଲଗାଇବାର ପ୍ରୟାସ ମଧ୍ୟ ଜାରି ରହିଛି। ଏଠି ପ୍ରଶ୍ନ ଉଠିପାରେ ବାତ୍ୟା ପ୍ରତିରୋଧକ ଗଛ କ’ଣ। ମୋ ମତରେ ଯେଉଁ ଗଛଗୁଡିକ ଶୀଘ୍ର ଶୀଘ୍ର ବା ଚଞ୍ଚଳ ବଢିଯାଏ, ସେଗୁଡିକ ମଟକା ବା ନହନହକା ହୋଇଥାଏ। ୟୁକାଲିପଟାସ, ଆକାଶିଆ, ଚାକୁଣ୍ଡା, କୃଷ୍ଣଚୂଡା, କଦମ୍ବ ଏହାର ଉଦାହରଣ। ସାମାନ୍ୟ ବାତ୍ୟାରେ ଏହି ଗଛଗୁଡିକ ଭାଙ୍ଗିପଡେ। ବାତ୍ୟା ବା ପବନର ତୀବ୍ରତା ସହ୍ୟ କରିପାରୁଥିବା ଗଛଗୁଡିକ ହେଉଛି କରଞ୍ଜ, କୁସୁମ, ନିମ୍ବ, ବଉଳ, ଆମ୍ବ, ପଣସ, ଜାମୁ, କୋଚିଲା, ଛତିଆନ, ବର, ଅଶ୍ୱତ୍ଥ, ଶିରୀଶ, ମେହଗାନି, ଅସନ, ପାହାଡି ଶିଶୁ, ଫାଶି, ତେନ୍ତୁଳି, ବାଉଁଶ ଇତ୍ୟାଦି। ପଥପାର୍ଶ୍ୱ ବୃକ୍ଷରୋପଣ ସମୟରେ ଏଥିପ୍ରତି ବିଶେଷ ଧ୍ୟାନ ଦେଇ ବଉଳ, ଅଶୋକ, ଛତିଆନ, ନିମ୍ବ, ଶିଶୁ ଆଦି ଚାରା ଲଗାଯାଇପାରେ। ତଟବର୍ତ୍ତୀ ଇଲାକାରେ ବା ଉପକୂଳ ବାଲିଆମାଟିରେ ଝାଉଁ, ହେନ୍ତାଳ ଓ ପୋଲାଙ୍ଗ ଆଦି ଗଛ ବାତ୍ୟାର ପ୍ରଭାବକୁ ପ୍ରତିହତ କରିବା ସହିତ ଉପକୂଳ ଅଞ୍ଚଳର ଚାଷଜମି, ଗ୍ରାମ, ବାସଗୃହ ତଥା ଗ୍ରାମାଞ୍ଚଳର ଅନ୍ୟାନ୍ୟ ଭିତ୍ତିଭୂମିକୁ ସୁରକ୍ଷା ଦେଇପାରିବ। ଉଜୁଡା ପରିବେଶକୁ ସଜାଡିବା ପାଇଁ ପ୍ରଯତ୍ନ କରିବା ଅବସରରେ ବନ ବିଭାଗ ଏହିସବୁ ଗଛ ଲଗାଇବା ଦିଗରେ ଯତ୍ନବାନ ହେବା ଉଚିତ।
୫୭, ଜଗମୋହନ ନଗର, ଜାଗମରା, ଖଣ୍ଡଗିରି, ଭୁବନେଶ୍ୱର, ମୋ-୯୪୩୭୦୦୦୯୦୪


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri