ପାଟଣା,୨୬।୫(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତର ଜଣେ ୧୮ ବର୍ଷୀୟ ଯୁବକ କରୋନା ପଜିଟିଭ୍ ହୋଇଥିବା ଜଣାପଡ଼ିଛି। ଏନେଇ ମଙ୍ଗଳବାର ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଉକ୍ତ ଯୁବକ ଜଣକ ଚେମେଣା ସ୍ଥିତ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରହୁଥିଲେ। ଉକ୍ତ ଯୁବକ ଗୁଜୁରାଟ ଅହମଦବାଦର ଏକ କାରଖାନାରେ କାମ କରୁଥିଲେ। ଗତ ୧୯ରେ ଉକ୍ତ ଯୁବକ ଟ୍ରେନ୍ରେ ଆସି ଭଦ୍ରକରେ ଓହ୍ଲାଇବା ପରେ ସେଠାରୁ ବସ୍ ଯୋଗେ ପାଟଣା ମୁଖ୍ୟାଳୟରେ ପହଞ୍ଚିଥିଲେ। ଫିଭର କ୍ଲିନିକରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ପରେ ତାଙ୍କୁ ଚେମେଣା ସ୍ଥିତ କ୍ୱାରାଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା। ସୋମବାର ଯୁବକଙ୍କ ଆସିଥିବା ସ୍ବାବ ରିପୋର୍ଟରେ କରୋନା ପଜିଟିଭ୍ ବାହାରିଥିଲା। ଏହାପରେ ତାଙ୍କୁ ଚିକିତ୍ସା ପାଇଁ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅପରପକ୍ଷେ ତାଙ୍କ ସହ ଗୋଟିଏ କକ୍ଷରେ ରହୁଥିବା ଅନ୍ୟ ବ୍ୟକ୍ତିମାନଙ୍କ ସ୍ବାବ ପରୀକ୍ଷା ପାଇଁ ପଠାଯିବ ବୋଲି ସୂଚନା ମିଳିଛି। ମଙ୍ଗଳବାର ପାଟଣା ଅଗ୍ନିଶମ ବାହିନୀ ସମ୍ପୃକ୍ତ କ୍ୱାରାଣ୍ଟାଇନ୍ ସେଣ୍ଟରକୁ ବିଶୋଧିତ କରିଛି।