କଣ୍ଟାମାଳ, ୧୪।୬ (ଡି.ଏନ.ଏ.) : ବୌଦ୍ଧ ଜିଲାରେ ଯୁବତୀ ଚାଲାଣ ର଼୍ୟାକେଟ ସକ୍ରିୟ ହୋଇ ପଡିଛନ୍ତି। ବିବାହ ନାଁରେ ପ୍ରତିବର୍ଷ ଶହ ଶହ ଯୁବତୀ ମଧ୍ୟପ୍ରଦେଶ, ଛତିଶଗଡ, ଉତ୍ତରପ୍ରଦେଶ ଓ ରାଜସ୍ଥାନ ଅଞ୍ଚଳରେ ବିକ୍ରି ହେଉଛନ୍ତି। ପୂର୍ବରୁ କଣ୍ଟାମାଳ ବ୍ଲକ ସିନ୍ଦୁରପୁର ଗାଁର ମଧୁ ରାଜହଂସ ତାଙ୍କ ବଡଝିଅ ଅପେଶ୍ୱରୀଙ୍କୁ ଦଲାଲ ମାଧ୍ୟମରେ ବିକ୍ରି କରିଥିବା ବେଳେ ଏବେ ମାଟ୍ରିକ ପାସ୍ କରିଥିବା ସାନ ଝିଅକୁ ରାଜ୍ୟ ବାହାରେ ବିକ୍ରି କରିବାକୁ ପ୍ରସ୍ତୁତ ହେଉଛନ୍ତି।
ମଧୁଙ୍କ ବୟସ ୬୮ ବର୍ଷ। ଚାଷଜମି କହିଲେ ଏକ ଏକର ଜମିରୁ କମ୍। ସମ୍ବଳ ନ ଥିବାରୁ ସେ ନିଜେ ଚାଷ କରିବାକୁ ସକ୍ଷମ ନୁହନ୍ତି। ଫଳରେ ଭାଗ ଚାଷରେ ଲଗେଇ ଦେଇଛନ୍ତି ଚାଷଜମି। ଆୟ କହିଲେ ସେଇ ଭାଗଚାଷର ୮ ବସ୍ତା ଧାନ। ପରିବାରରେ ସେ ଜଣେ ହିଁ ବାର୍ଦ୍ଧକ୍ୟ ଭତ୍ତା ବାବଦରେ ମାସିକ ୫ ଶହ ଟଙ୍କା ପାଆନ୍ତି। ତାଙ୍କ ସ୍ତ୍ରୀଙ୍କ ବୟସ ୬୦ବର୍ଷରୁ ଊର୍ଦ୍ଧ୍ୱ ହୋଇଥିଲେ ବି ସେ ଭତ୍ତା ପାଇନାହାନ୍ତି। ଭିନ୍ନକ୍ଷମ ଝିଅ ମଧ୍ୟ ଭତ୍ତା ପାଇବା କଥା। ବାରମ୍ବାର ପଞ୍ଚାୟତ ଅଫିସ୍କୁ ଦୌଡି ଦରଖାସ୍ତ ଦେଇ ନୟାନ୍ତ ହେଲେଣି। କିଛି ସୁଫଳ ମିଳିନାହିଁ। ପୁଅ ବି କାମକୁ ପାରିଲା ଭଳି ହୋଇନାହିଁ। ଭିନ୍ନକ୍ଷମ ଝିଅ ଉର୍ମିଳାର ଗୋଟେ ଆଖି ନଷ୍ଟ ହୋଇଯାଇଥିଲେ ବି ସେ ଚଳିତ ବର୍ଷ ମାଟ୍ରିକ ପାସ କରିଛନ୍ତି। ଆଗକୁ ପାଠ ପଢାଇବାକୁ ସମ୍ବଳ ନାହିଁ। ଭୋଜିଭାତ ଦେଇ ବାହା କରେଇବାକୁ ମଧୁଙ୍କ ସାହସ ହେଉନାହିଁ। ଏ ସମ୍ପର୍କରେ ମଧୁ କୁହନ୍ତି, କାଣା କରମି, ପାଠ ପଢାବାକେ କି ବିହା କରବାକେ ମୋର ବଲ ନାଇଁ। ଭାବୁଛେ, ଗରାଖି ହେଲେ ଝିକେ ବିକି ଦେମି। ମଧୁଙ୍କ କହିବା ଅନୁସାରେ, ତାଙ୍କ ଗାଁ ଓ ଆଖପାଖ ଗାଁରୁ ଅନେକ ଝିଅ ବାହାଘର ନାଁରେ ବିକ୍ରି ହେଉଛନ୍ତି। କେତେ କେତେ ଝିଅ ହଜି ଯାଉଛନ୍ତି। ତାଙ୍କର ଖୋଜ ଖବର ମିଳୁନାହିଁ। ତାଙ୍କ ବଡଝିଅ ଅପେଶ୍ୱରୀଙ୍କୁ ଗତ ୪ ବର୍ଷ ତଳେ ୨୦ ହଜାର ଟଙ୍କା ବଦଳରେ ସେ ଅଜଣା ଲୋକଙ୍କ ହାତରେ ଟେକି ଦେଇଥିଲେ। ୪ ବର୍ଷ ଭିତରେ ଝିଅ ଥରେ ଘରକୁ ଆସିଛି। ସେ କେତେବେଳେ କେମିତି ଗାଁର କାହାକୁ ଫୋନ ଲଗାଇ କଥା ହେଉଛି। ଏବେ ବିବାହ ବୋଝ ଉଠେଇବାକୁ ଅକ୍ଷମ ମଧୁ ସାନଝିଅକୁ ବିକି ଦେବାକୁ ଚାହୁଁଛନ୍ତି। ବିବାହ ନାଁରେ ଝିଅକୁ ବିକି ଦେଲାବେଳେ ବାପ ହିସାବରେ ଦୁଃଖ ଲାଗେ କି ନାଁ ପ୍ରଶ୍ନରେ ମଧୁ ଉତ୍ତର ଦିଅନ୍ତି, ଉପାୟ ବି ନାହିଁ। ଯାହା ତା’ର ଭାଗ୍ୟରେ ଥିବ ଭୋଗ କରିବ ବୋଲି ସେ କହିଛନ୍ତି।
Posted inସମ୍ବଲପୁର