ପୁରୀ ଅଫିସ,୨୪।୪: ଏକ ପାରା ଚୋରିକୁ ନେଇ ପୁରୀ କୁମ୍ଭାରପଡ଼ାର ମସଜିଦ ଗଳିରେ ଶନିବାର ବୋମାମାଡ଼ ହୋଇଛି। ଏ ନେଇ କାଶୀନାଥ ମହାରଣା କୁମ୍ଭାରପଡ଼ା ଥାନାରେ ଅଭିଯୋଗ ଦେଇଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ୧୬ ତାରିଖରେ ମସଜିଦ୍ ଗଳିରେ ରହୁଥିବା କାଶୀନାଥଙ୍କ ଘରୁ ଜଣେ ଯୁବକ ପାରା ଚୋରି କରିଥିଲେ। ଏହାପରେ ସିସିଟିଭି ଫୁଟେଜରୁ ଅଭିଯୁକ୍ତଙ୍କୁ ଚିହ୍ନି କାଶୀନାଥ ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପରେ ଅଭିଯୁକ୍ତ ଯୁବକ ପ୍ରତିଶୋଧ ପରାୟଣ ହୋଇ କାଶୀନାଥଙ୍କ ପରିବାର ଲୋକଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ଏପରିକି ଶନିବାର କାଶୀନାଥଙ୍କ ଘରର କାନ୍ଥ ଉପରକୁ ରାତି ୯ଟା ସମୟରେ ବୋମାମାଡ଼ ହୋଇଛି। ତେବେ ମସଜିଦ ଗଳିର ଜଣେ ଯୁବକ ବୋମାମାଡ଼ରେ ସହାୟତା କରୁଥିବା ସନ୍ଦେହ ହେଉଛି। ପୋଲିସ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏପର୍ଯ୍ୟନ୍ତ ଅଭିଯୁକ୍ତ ଯୁବକଙ୍କ ପତ୍ତା ମିଳି ନ ଥିବାବେଳେ ପୋଲିସ ଖୋଜାଖୋଜି ଜାରି ରଖିଛି। ଏ ନେଇ ଆଇଆଇସି ବିଚିତ୍ରାନନ୍ଦ ସେଠୀ କହିଛନ୍ତି, ବୋମାମାଡ଼ ପୂର୍ବରୁ ଚୋରି ଅଭିଯୋଗ ହୋଇଥିଲା। ଅଭିଯୁକ୍ତଙ୍କ ଜଣେ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି।