ବଲାଙ୍ଗୀର ଅଫିସ, ୮।୪: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଓ ଜିଲା ପ୍ରଶାସନ ପକ୍ଷରୁ ଲକ୍ଡାଉନକୁ କଡ଼ାକଡ଼ି କରିବା ସହ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଉଛି। ମାତ୍ର ଏହି ନିୟମକୁ ବଲାଙ୍ଗୀର ଜିଲାରେ ଖୋଲାଖୋଲି ଭାବେ ଉଲ୍ଲଂଘନ କରାଯାଉଛି। ପିଡିଏସ୍ ହିତାଧିକାରୀଙ୍କୁ ଚାଉଳ ବଣ୍ଟନ ବେଳେ ସାମାଜିକ ଦୂରତ୍ୱ ପାଳନ କରାଯାଉ ନ ଥିବା ଦେଖିବାକୁ ମିଳୁଛି। ଚାଉଳ ନେବାବେଳେ ହିତାଧିକାରୀମାନେ ପ୍ରବଳ ଭିଡ଼ କରୁଥିବା ଦେଖାଯାଇଛି। ଫଳରେ କରୋନା ସଂକ୍ରମଣ ଭୟ ବଢ଼ିବାରେ ଲାଗିଛି । ଅନ୍ୟ ଅଞ୍ଚଳ ଭଳି ବଲାଙ୍ଗୀର ରୁଗୁଡ଼ିପଡା ଲିଟିଲ ଫ୍ଲାଓ୍ବାର ନର୍ସରୀ ସ୍କୁଲ ସମ୍ମୁଖରେ ପିଡିଏସ୍ ଚାଉଳ ବଣ୍ଟନ ବେଳେ ହିତାଧିକାରୀମାନେ ସାମାଜିକ ଦୂରତ୍ୱକୁ ମାନୁ ନ ଥିବା ଦେଖାଯାଉଛି।