ଇସ୍ଲାମାବାଦ,୨୩।୬: କରୋନା ମହାମାରୀ ସାରା ବିଶ୍ୱରେ କାୟା ବିସ୍ତାର କରିଥିବା ବେଳେ ପାକିସ୍ତାନର ସ୍ଥିତି ମଧ୍ୟ ଉଦ୍ବେଗଜନକ ରହିଛି। ମିଳିଥିବା ଖବରରୁ ଜଣାପଡିଛି କି ପାକିସ୍ତାନରେ କରୋନାର ଆଗଧାଡିର ଯୋଦ୍ଧା ସାଜିଥିବା ସ୍ବାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କୁ ମଧ୍ୟ ଏଥିରୁ ନିସ୍ତାର ମିଳୁନାହିଁ। କୁହାଯାଉଛି କି ପିପିଇ କିଟ୍, ମାସ୍କ ଆଦି ଉପକରଣ ନ ମିଳିବାରୁ ସେଠାରେ ୬୫ ସ୍ବାସ୍ଥ୍ୟକର୍ମୀଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ହେଲାଣି। ଏମାନଙ୍କ ମଧ୍ୟରୁ କେବଳ ୪୨ ଜଣ ଡାକ୍ତର ରହିଛନ୍ତି। ଏମାନଙ୍କ ମଧ୍ୟରୁ ୩୦ ଜଣ ପଞ୍ଜାବ ଅଞ୍ଚଳର ହୋଇଥିବା ଜଣାପଡିଛି। ଅନ୍ୟପଟେ ୟୁନାଇଟେଡ ନେଶନ୍ସ ଡେଭଲପମେଣ୍ଟ ପ୍ରୋଗ୍ରାମ(ୟୁଏନ୍ଡିପି) କହିଛି କୋଭିଡ-୧୯ ସହ ଲଢିବାକୁ ପାକିସ୍ତାନ ସମ୍ପୂର୍ଣ୍ଣ ରୂପେ ଫେଲ୍ ମାରିଛି। ଶୁଣିବାକୁ ମିଳିଛି କି ପାକିସ୍ତାନରେ ଏବେ ପାଖାପାଖି ୫,୦୦୦ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କରୋନାରେ ପୀଡ଼ିତ ଅଛନ୍ତି। ଅନ୍ୟପଟେ ପାକିସ୍ତାନ ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁଯାୟୀ, ଏବେ ସେଠାରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ରହିଛି ୧,୮୧,୦୮୮। ଏମାନଙ୍କ ମଧ୍ୟରୁ ୩,୫୯୦ ଜଣଙ୍କ ମୃତ୍ୟୁ ହୋଇସାରିଲାଣି।