ନୂଆଦିଲ୍ଲୀ, ୨୪।୬: ଡେଙ୍ଗୁରେ ପୁଅର ମୃତ୍ୟୁ ହେବା ପରେ ଭାଙ୍ଗି ନ ପଡି ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଦେଇଛନ୍ତି ବବି ସହଗଲ। ପୁଅ ସ୍ମୃତିରେ ଫ୍ରି ଆମ୍ବୁଲାନ୍ସ ସେବା ସେ ଆରମ୍ଭ କରି ଗରିବ ଲୋକଙ୍କ ସେବାରେ ସେ ଲାଗିପଡିଛନ୍ତି। ଗତ ୫ ବର୍ଷ ଭିତରେ ୨ଟି ଆମ୍ବୁଲାନ୍ସ ଦାନ କରିଛନ୍ତି ସେ। ରୋହିଣୀ ସେକ୍ଟର-୭ରେ ରହୁଥିବା ବବିଙ୍କ ପୁଅ ସାହିଲ(୧୮) ଯୁକ୍ତଦୁଇରେ ପଢୁଥିବାବେଳେ ଡେଙ୍ଗୁରେ ମୃତ୍ୟୁବରଣ କରିଥିଲେ। ପୁଅକୁ ହରାଇବା ପରେ ସେ କିଛିଦିନ ସମ୍ପୂର୍ଣ୍ଣ ଭାଙ୍ଗିପଡିଥିଲେ। କିନ୍ତୁ ବିଶ୍ୱାସ ନ ହରାଇ ଲୋକଙ୍କ ସେବା ପାଇଁ କାମ କରିବା ପାଇଁ ଶପଥ ନେଇଥିଲେ। ନିଜେ ଆମ୍ବୁଲାନ୍ସ ଚଳାଇ ଲୋକଙ୍କୁ ଡାକ୍ତରଖାନାରୁ ନେବା ଆଣିବା କରିଥାନ୍ତି। ଏପର୍ଯ୍ୟନ୍ତ ବବି ୫୦୦ରୁ ଅଧିକ ଲୋକଙ୍କୁ ସହାୟତା କରିସାରିଲେଣି।