ନୂଆଦିଲ୍ଲୀ,୧୦ା୭: ପୁରୀକୁ ଦେଶର ସାଂସ୍କୃତିକ ରାଜଧାନୀ କରିବା ପାଇଁ ଭାଜପା ଏହାର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ଏହାକୁ ବାସ୍ତବରେ ପରିଣତ କରିବା ପାଇଁ ବିଜେଡି ଏମ୍ପି ଅନୁଭବ ମହାନ୍ତି ସ୍ମରଣ କରାଇ ଦେଇଛନ୍ତି। ଲୋକ ସଭାରେ ମଙ୍ଗଳବାର ସେ କହିଛନ୍ତି, ୨୦୧୯-୨୦ ବଜେଟରେ ଦେଶର ୧୭ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନର ବିକାଶ ପାଇଁ ପ୍ରସ୍ତାବ ଥିବାବେଳେ ଓଡ଼ିଶାର କୌଣସି ପର୍ଯ୍ୟଟନ ସ୍ଥଳକୁ ଅନ୍ତର୍ଭୁକ୍ତ କରା ନ ଯିବା ଉଦ୍ବେଗଜନକ। ବଜେଟ ସମ୍ପର୍କିତ ଆଲୋଚନାରେ ଭାଗନେଇ ଅନୁଭବ କହିଲେ, ୨୦୧୯ ସାଧାରଣ ନିର୍ବାଚନ ବେଳେ ପୁରୀକୁ ଭାରତର ସାଂସ୍କୃତିକ ରାଜଧାନୀ କରିବା ପାଇଁ ଭାଜପା ପ୍ରତିଶ୍ରୁତି ଦେଇଥିଲା। କିନ୍ତୁ ଦେଶର ୧୭ଟି ପର୍ଯ୍ୟଟନ ସ୍ଥଳକୁ ବିଶ୍ୱ ଶ୍ରେଣୀୟ ମାନ୍ୟତା ଦେବା ପାଇଁ ଚିହ୍ନଟ କରାଯାଇଥିବାବେଳେ ଏ କ୍ଷେତ୍ରରେ ପୁରୀକୁ ଭୁଲିଯିବା ଦୁର୍ଭାଗ୍ୟଜନକ।