ପେନସିଲ୍ଭାନିଆ,୬।୨: ପ୍ରାୟ ୬୬ ନିୟୁତ ବର୍ଷ ତଳେ ପୃଥିବୀ ସହିତ ଚିକ୍ସିଲୁବ୍ ଗ୍ରହାଣୁପିଣ୍ଡ ଧକ୍କା ହୋଇଥିଲା। ଏହାର ପ୍ରଭାବରେ ଭୂମିକମ୍ପ ହେବା ସହିତ ଅଗ୍ନି ଉଦ୍ଗୀରଣ ହେବାକୁ ଲାଗିଥିଲା। ଆକାଶରେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ବହଳ ଧୂଆଁ ଆସ୍ତରଣ ସୃଷ୍ଟି ହୋଇଥିଲା। ଫଳରେ ସୂର୍ଯ୍ୟ ରଶ୍ମୀ ପୃଥିବୀ ଉପରେ ପଡ଼ିପାରି ନ ଥିଲା। ବୃକ୍ଷଲତାଙ୍କ ଦ୍ୱାରା ଆଲୋକ ସଂଶ୍ଲେଷଣ(ଫଟୋସିନ୍ଥେସିସ୍) ପ୍ରକିୟା ଧିମା ହୋଇଯାଇଥିଲା। ସୂର୍ଯ୍ୟ ରଶ୍ମୀର ଅଭାବରେ ସମୁଦ୍ରରେ ଥିବା ଫାଇଟୋପ୍ଲାଙ୍କଟନ୍ ଅମ୍ଳଜାନ ଉତ୍ପାଦନ କରିବା ବନ୍ଦ କରିଦେଇଥିଲେ। ଏହା ଦ୍ୱାରା ଜୀବନ ଧାରଣ ଲାଗି ଆବଶ୍ୟକ ଅମ୍ଳଜାନର ଘୋର ଅଭାବ ଦେଖାଦେଇଥିଲା। ଧୀରେଧୀରେ ପୃଥିବୀର ପ୍ରାଣୀ ଜଗତ ନଷ୍ଟ ହେବାରେ ଲାଗିଥିଲା। ପୃଥିବୀର ବିରାଟକାୟ ପ୍ରାଣୀ ବୋଲାଉଥିବା ଡାଏନୋସୋରସ୍ଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା। ଗ୍ରହାଣୁ ପିଣ୍ଡ ସହିତ ଧକ୍କା ହୋଇ ପୃଥିବୀର ୭୬ ପ୍ରତିଶତ ପ୍ରଜାତି ଧ୍ୱଂସ ହୋଇଯାଇଥିଲେ। ତେବେ ପରବର୍ତ୍ତୀ ସମୟରେ ଯେତେବେଳେ ସ୍ଥିତିରେ ପରିବର୍ତ୍ତନ ଆସିଥିଲା। ଆଗ୍ନେୟଗିରି ଉଦ୍ଗୀରଣ ବନ୍ଦ ହୋଇଯାଇଥିଲା। ଏହାର ମୁଖ ବୋଲି କୁହାଯାଉଥିବା ଅଂଶ ଶୀତଳ ହୋଇଥିଲା। ତେବେ ଏଠାରେ ପୁଣି ଉଷ୍ଣତା ପାଇ ପୃଥିବୀରେ ଜୀବନ ସୃଷ୍ଟି ଆରମ୍ଭ ହୋଇଥିଲା। ପ୍ରଥମ କରି କେତେକ ବ୍ୟାକ୍ଟେରିଆ ଆଗ୍ନେୟଗିରି ମୁଖରେ ସୃଷ୍ଟି ହୋଇଥିଲେ। ଏନେଇ ପେନସିଲ୍ଭାନିଆ ବିଶ୍ୱବିଦ୍ୟାଳୟର କିଛି ଗବେଷକଙ୍କ ଦ୍ୱାରା ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଗବେଷକ ଦଳର ନେତୃତ୍ୱ ନେଉଥିବା ଜିଓ ସାଇନ୍ସ୍ ପ୍ରଫେସର ତିମୋଥି ବ୍ରାଲୋୟର ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଏସମ୍ପର୍କିତ ତଥ୍ୟ ଜିଓଲୋଜି ପତ୍ରିକାରେ ମଧ୍ୟ ପ୍ରକାଶିତ ହୋଇଛି।