ପୁରୁଣା ଭୁବନେଶ୍ୱର/ଜଟଣୀ, ୧୨।୧୦ (ଡି.ଏନ.ଏ.): ରାଜଧାନୀରେ ଜନସଂଖ୍ୟା ବଢୁଛି। ସେହି ଅନୁପାତରେ ଆବଶ୍ୟକ ସଂଖ୍ୟକ ଗୃହ ନିର୍ମାଣ ହେଉଛି। ବିଲଡରମାନେ ଗୃହ ପାଇଁ ସରକାରୀ କର୍ମଚାରୀଙ୍କୁ ହାତ କରି ବିଭିନ୍ନ ପ୍ରାକୃତିକ ଜଳଉତ୍ସ ଓ ନଦୀ ଅବବାହିକା ପୋତି ଦେଉଥିବାରୁ ଏହା ସଙ୍କୁଚିତ ହୋଇଗଲାଣି। ନଦୀ ଓ ନାଳଠାରୁ ଏକ ନିର୍ର୍ଦ୍ଦିିଷ୍ଟ ଦୂରତା ମଧ୍ୟରେ କୌଣସି ନିର୍ମାଣ ହେବନାହିଁ ବୋଲି ସରକାରୀ କଟକଣା ରହିଛି। ନ୍ୟାଶନାଲ ଗ୍ରୀନ ଟ୍ରିବ୍ୟୁନାଲ ମଧ୍ୟ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଛନ୍ତି। ହେଲେ ଏସବୁ ନୀତିନିୟମ କେବଳ କାଗଜକଲମରେ ରହିଯାଉଛି। ସମ୍ପ୍ରତି ଗଙ୍ଗୁଆ ନଦୀ ଏହାର ଜ୍ୱଳନ୍ତ ଉଦାହରଣ। ଏକଦା ଗନ୍ଧବତୀ ନଦୀ ନାମରେ ଖ୍ୟାତି ଥିବା ଏହି ଜଳଉତ୍ସଟି ବର୍ତ୍ତମାନ ସତ୍ତା ହରେଇଲାଣି। ନଦୀର ଉଭୟପାର୍ଶ୍ୱ ପଠା ଜବରଦଖଲ ହୋଇସାରିଛି। ନୂତନ ଭାବେ ଅନେକ କଲୋନୀ ଗଢ଼ି ଉଠିଥିବାରୁ ଏହା ସମ୍ପୂର୍ଣ୍ଣ ଭାବେ ସଙ୍କୁଚିତ ହୋଇଗଲାଣି। ଅନ୍ୟପକ୍ଷେ ରାଜଧାନୀର ମୁଖ୍ୟ ୯ଟି ଡ୍ରେନ ସଂଯୋଗ ଯୋଗୁ ଏହା ପ୍ରଦୂଷିତ ନାଳର ଆଖ୍ୟା ପାଇଲାଣି। ସେହିଭଳି ରାଜଧାନୀ ନିକଟ ଝରିଆ ନଦୀ, ଯାହାକି ପ୍ରଧାନସାହି, ବିରିବନ୍ଧ, ଜାମୁକୋଳି ଆଦି ଗ୍ରାମ ଦେଇ ଗଙ୍ଗୁଆରେ ମିଶିଛି। ପ୍ରାକୃତିକ ଜଳଉତ୍ସଗୁଡିକର ମଧ୍ୟ ଗଙ୍ଗୁଆ ନଦୀ ଭଳି ଅନୁରୂପ ଅବସ୍ଥା ପାଲଟିଛି। ଅବବାହିକା ପୋତା ହୋଇଯିବା, ବେଆଇନ ନିର୍ମାଣ କାରଣରୁ ଝରିଆ, ଚାନ୍ଦୁଆ ନଦୀ ଗତିପଥ ବଦଳାଇ ଚାଷୀ ଓ ଚାଷ ପ୍ରତି ବିପଦ ସୃଷ୍ଟି କରିଛି ବୋଲି ଚାଷୀମାନେ କହିଛନ୍ତି। ଜଳସେଚନ ବିଭାଗ ପକ୍ଷରୁ ବିରିବନ୍ଧ ନିକଟରେ ଝରିଆ ନଦୀରେ ୨ ଟି ଚେକ୍ ଡ୍ୟାମ ନିର୍ମାଣ ଅଧାପନ୍ତରିଆ ଭାବେ ପଡିରହିଛି। ଚାଷୀ ବନ୍ୟାଦାଉରୁ ରକ୍ଷା ପାଇ ପାରୁନାହାନ୍ତି। ଏଣୁ ଆଗାମୀ ଦିନରେ ପ୍ରଶାସନିକ ସ୍ତରରେ ଜଳସେଚନର ଉନ୍ନତି କରିବାକୁ ଗଙ୍ଗୁଆ, ଝରିଆ ଓ ଚାନ୍ଦୁଆ ନଦୀ କୂଳବାସୀ ଦାବି କରିଛନ୍ତି।