ଭବାନୀପାଟଣା,୨୩।୧୦(ଡି.ଏନ୍.ଏ.): କଳାହାଣ୍ଡି ଜିଲା ଭବାନୀପାଟଣା ବ୍ଲକ ବୋର୍ଡା ଫାଣ୍ଡି ଅନ୍ତର୍ଗତ ଗୁରୁଜୁଙ୍ଗ ଗାଁରେ ଜଣେ ବିଧବାଙ୍କୁ ବିବାହର ପ୍ରତିଶ୍ରୁତି ସହ ସେହି ଗାଁର ଭୂପେନ୍ଦ୍ର ହରପାଲ ଦୁଇବର୍ଷ ହେଲା ପ୍ରେମ ସମ୍ପର୍କ ରଖିଥିଲେ। ଫଳରେ ମହିଳା ଜଣକ ଗର୍ଭବତୀ ହେବାରୁ ସେ ଫେରାର ହୋଇଯାଇଥିଲେ। ନିରାଶ ହୋଇ ଶେଷରେ ବିଧବା ମହିଳା ଜଣକ ବୋର୍ଡା ଫାଣ୍ଡିରେ ଅଭିଯୋଗ କରିଥିଲେ। ଏନେଇ ବୋର୍ଡା ଫାଣ୍ଡିରେ ଏକ ମାମଲା ରୁଜୁ କରାଯାଇଥିବା ବେଳେ ଫାଣ୍ଡି ଅଧିକାରୀ ରାଜେଶ କୁମାର ଅଗସ୍ତି ତଦନ୍ତ ଜାରି ରଖିଥିଲେ। ତେବେ ସଂପୃକ୍ତ ଯୁବକଙ୍କ ପରିବାରକୁ ଫାଣ୍ଡିରେ ଅଟକ ରଖିବା ପରେ ପରିବାର ଲୋକେ ରାୟପୁରରୁ ଭୂପେନ୍ଦ୍ରଙ୍କୁ ଫାଣ୍ଡିରେ ଆଣି ହାଜର କରିଥିଲେ। ଭୂପେନ୍ଦ୍ର ନିଜ ଦୋଷ ସ୍ବୀକାର କରିବା ପରେ ମଙ୍ଗଳବାର ଫାଣ୍ଡିରେ ଉଭୟଙ୍କ ବିବାହ କରାଯାଇଥିଲା।