ଡ. ସନ୍ତୋଷ କୁମାର ମହାପାତ୍ର
ଗତ ଅଗଷ୍ଟ ୨୭ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନଙ୍କ ଅଧ୍ୟକ୍ଷତାରେ ଦ୍ରବ୍ୟ ଓ ସେବାକର(ଜିଏସ୍ଟି) ପରିଷଦର ୪୧ତମ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକର ମୁଖ୍ୟ ଆଲୋଚନା ପ୍ରସଙ୍ଗ ଥିଲା ଜିଏସ୍ଟି ଆଦାୟ ବାବଦରେ ରାଜ୍ୟଗୁଡ଼ିକ ଯେତିକି କ୍ଷତି ସହୁଛନ୍ତି ତାକୁ କେନ୍ଦ୍ର କିପରି ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଭରଣା କରିବ। କିନ୍ତୁ ଅର୍ଥମନ୍ତ୍ରୀଙ୍କ ସିଦ୍ଧାନ୍ତ ରାଜ୍ୟଗୁଡ଼ିକୁ ନିରାଶ କରିଛି। ଉଲ୍ଲେଖଯୋଗ୍ୟ ଯେ, ଜିଏସ୍ଟି ଭାରତ ଇତିହାସରେ ଏକ ବଡ଼ ପରୋକ୍ଷ ଟିକସ ସଂସ୍କାର। ଏହା ୧୦୧ତମ ସମ୍ବିଧାନ ସଂଶୋଧନ ପରେ ୨୦୧୭ ଜୁଲାଇ ୧ରୁ ପ୍ରଚଳିତ ହୋଇଆସୁଛି। ‘ଏକ ଦେଶ ଏକ ଟିକସ’ ରୂପରେ ୨୦୧୭ ଜୁନ୍ ୩୦-ଜୁଲାଇ ୧ ମଧ୍ୟରାତିରେ ସଂସଦର କେନ୍ଦ୍ରୀୟ ହଲ୍ରେ ଏକ ସ୍ବତନ୍ତ୍ର ଅଧିବେଶନରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଭାବେ ଜିଏସ୍ଟି ଉଦ୍ଘାଟନ କରିଥିଲେ। ସଂସଦର କେନ୍ଦ୍ରୀୟ ହଲ୍ରେ ମଧ୍ୟରାତିରେ ପୂର୍ବରୁ ୪ ଥର ଏପରି ପାଳନ ହୋଇଥିଲା। ୧୯୪୭ ମସିହା ଅଗଷ୍ଟ ୧୪-୧୫ରେ ସ୍ବାଧୀନତା ଦିବସ ଉପଲକ୍ଷେ ଏବଂ ଏହାର ରୌପ୍ୟ ଜୟନ୍ତୀ (ଅଗଷ୍ଟ ୧୪-୧୫, ୧୯୭୨), ସୁବର୍ଣ୍ଣ ଜୟନ୍ତୀ(ଅଗଷ୍ଟ ୧୪-୧୫, ୧୯୯୭) ଏବଂ ଭାରତଛାଡ଼ ଆନ୍ଦୋଳନର ୫୦ ବର୍ଷ ପୂର୍ତ୍ତି ଉପଲକ୍ଷେ(ଅଗଷ୍ଟ ୯, ୧୯୯୨), ସେତେବେଳେ ଏହି ଜିଏସ୍ଟି ସମ୍ପର୍କିତ ଉତ୍ସବକୁ ଏପରି ପାଳନ କରାଗଲା ଯେ ଜଣେ ଭାବିବ ଏହା ଦେଶରେ ଟିକସ କ୍ଷେତ୍ରରେ ସ୍ବଚ୍ଛତା, ବୈପ୍ଳବିକ ସଂସ୍କାର ଆଣିବା ସହିତ ଟିକସ ଫାଙ୍କି ରୋକିବା, ବିଭିନ୍ନ ଦ୍ରବ୍ୟ ଓ ସେବାର ମୂଲ୍ୟ ହ୍ରାସ ଘଟାଇବା ଏବଂ ସର୍ବୋପରି ଆର୍ଥିକ ଅଭିବୃଦ୍ଧି ଅଧିକ କରିବାରେ ସହାୟକ ହେବ। ତତ୍କାଳୀନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ କହିଥିଲେ ଯେ, ଜିଏସ୍ଟି ଭାରତ ନିର୍ମାଣକୁ ସାକାର କରିବ। କିନ୍ତୁ ସେତେବେଳେ ଅନେକ ବିଶେଷକରି ବିରୋଧୀ ଦଳ ତରଫରୁ ବିରୋଧ କରାଯାଇଥିଲା। ସେହି ସମୟରେ ବିଭିନ୍ନ ନିବନ୍ଧରେ ଆମେ ଏହାକୁ ବିରୋଧ ନ କରିଥିଲେ ମଧ୍ୟ ଭାରତରେ ପ୍ରଚଳିତ ଜିଏସ୍ଟି ବହୁତ ଜଟିଳ, ଏହା ଗରିବକୁ ଅଧିକ ଗରିବ କରିବ ଏବଂ ଗୁଡ଼ିଏ ଟିକସ ସ୍ଲାବ ସାଙ୍ଗକୁ ବିଶ୍ୱର ସର୍ବାଧିକ ଟିକସ ହାର ଯୋଗୁ ଏହା ତା’ର ଲକ୍ଷ୍ୟ ହାସଲ କରିପାରିବ ନାହିଁ ବୋଲି ମତ ଦେଇଥିଲୁ।
ସୂଚନାଯୋଗ୍ୟ ଯେ, ଜିଏସ୍ଟି ଉଭୟ କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ପରୋକ୍ଷକର ଯଥା ଅବକାରୀ ବା ଉତ୍ପାଦନ ଶୁଳ୍କ, ସେବାକର, ଅତିରିକ୍ତ ସୀମାଶୁଳ୍କ ସରଚାର୍ଜ, ରାଜ୍ୟ ଭାଟ୍, ଅକ୍ଟ୍ରାଇ ଆଦି ବିଭିନ୍ନ କରର ସମ୍ମିଶ୍ରଣରେ ସୃଷ୍ଟି କରାଯାଇଥିଲା। ଗତ ୨୦୧୮ ମାର୍ଚ୍ଚ ମାସରେ ବିଶ୍ୱ ବ୍ୟାଙ୍କ ଭାରତରେ ପ୍ରଚଳିତ ଜିଏସ୍ଟି ଏକ ଜଟିଳ ଟିକସ ବ୍ୟବସ୍ଥା ବୋଲି ମତ ଦେଇଛି। ୧୧୫ଟି ଦେଶର ତଥ୍ୟକୁ ସମୀକ୍ଷା କରି ଏହା କହିଛି। ୪୯ଟି ଦେଶରେ ଗୋଟିଏ ଜିଏସ୍ଟି ସ୍ଲାବ୍ ପ୍ରଚଳନ ବେଳେ ୨୮ଟି ଦେଶରେ ୨ଟି ସ୍ଲାବ୍ ପ୍ରଚଳନ ହେଉଛି। ଇଟାଲୀ, ଲକ୍ସେମବର୍ଗ, ପାକିସ୍ତାନ ଓ ଘାନାରେ ୪ ବା ତଦୂର୍ଦ୍ଧ୍ୱ ସ୍ଲାବ୍ ରହିଛି। ବିଶ୍ୱର ଭାରତରେ ସର୍ବାଧିକ ଟିକସ ସ୍ଲାବ୍ ରହିଛି। ତାହା ହେଲା, ୦.୫%, ୧୨%, ୧୮%, ୨୮%। ଏହା ବ୍ୟତୀତ ସୁନା ଉପରେ ୩% ଏବଂ ମୂଲ୍ୟବାନ ପଥର ଉପରେ ୦.୨୫%। ସେତେବେଳେ ରାଜ୍ୟଗୁଡ଼ିକ ଏହି ଜିଏସ୍ଟିକୁ ବିରୋଧ କରୁଥିଲେ କାରଣ ଏହା ତାଙ୍କର ଟିକସ ଆଦାୟ କରିବାର କ୍ଷମତାକୁ ସଙ୍କୁଚିତ କରିଥିଲା। ଏହା ଦ୍ୱାରା ରାଜ୍ୟଗୁଡ଼ିକର ରାଜସ୍ବ ହ୍ରାସ ପାଇବ ବୋଲି ମତ ପ୍ରକାଶ ପାଇଥିଲା। ଏଣୁ ରାଜ୍ୟଗୁଡ଼ିକୁ ସମର୍ଥନ ହାସଲ ପାଇଁ ପେଟ୍ରୋଲିୟମଜାତ ଦ୍ରବ୍ୟ, ମଦ, ବିଦ୍ୟୁତ୍ ଉପରେ ରାଜ୍ୟ ନିଜେ ଟିକସ ବସାଇବାର ଅଧିକାର ଦିଆଗଲା। ତାହା ସହିତ କେନ୍ଦ୍ର ପ୍ରତିଶ୍ରୁତି ଦେଇଥିଲା ଯେ, ୨୦୧୭ ଜୁଲାଇ ୧ରୁ ୫ ବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ୨୦୨୨ ଜୁଲାଇ ୧ ପର୍ଯ୍ୟନ୍ତ ରାଜ୍ୟଗୁଡ଼ିକ ଜିଏସ୍ଟି ଯୋଗୁ ଯେତିକି ରାଜସ୍ବ ହରାଇବେ ତାହା କେନ୍ଦ୍ର ଭରଣା କରିବ। ପ୍ରତ୍ୟେକ ବର୍ଷ ୨୦୧୫-୧୬କୁ ବେସ୍ ଇୟର ବା ଭିତ୍ତି ବର୍ଷ ଭାବେ ଧରି ଏହା ୧୪% ବୃଦ୍ଧି ହେବ ବୋଲି ଧରାଯାଇଥିଲା। କେନ୍ଦ୍ର ରାଜ୍ୟଗୁଡ଼ିକର କ୍ଷତି କିପରି ଭରଣା କରିବା ତାହା ଉଲ୍ଲେଖ କରାଯାଇ ନ ଥିଲେ ମଧ୍ୟ କେନ୍ଦ୍ର ୨୮% ଧାର୍ଯ୍ୟ ହୋଇଥିବା ବିଭିନ୍ନ ସିନ୍ ବା ପାପ ଦ୍ରବ୍ୟ ବିଳାସମୟ ଦ୍ରବ୍ୟ ଉପରେ ସେସ୍ ଧାର୍ଯ୍ୟ କରି ତଜ୍ଜନିତ ସଂଗୃହୀତ ସମ୍ବଳ ଦ୍ୱାରା ରାଜ୍ୟମାଗୁଡ଼ିକର କ୍ଷତି ଭରଣା କରିବ ବୋଲି ସିଦ୍ଧାନ୍ତ ନେଇଥିଲା।
୨୦୧୭-୧୮ରେ କେନ୍ଦ୍ର ଜିଏସ୍ଟି ସେବା ବାବଦରେ ୬୨୫୯୬ କୋଟି ଟଙ୍କା ଆଦାୟ କରିଥିଲା ବେଳେ ୪୧୧୪୬ କୋଟି ଟଙ୍କା ରାଜ୍ୟଗୁଡ଼ିକୁ ଦେଇଥିଲା। ପରବର୍ତ୍ତୀ ବର୍ଷ ୨୦୧୮-୧୯ରେ କେନ୍ଦ୍ର ୯୫୦୮୧ କୋଟି ଟଙ୍କା ଆଦାୟ କରିଥିଲା ବେଳେ ରାଜ୍ୟଗୁଡ଼ିକୁ ୬୮୨୭୫ କୋଟି ଟଙ୍କା ଦେଇଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ ବିଭିନ୍ନ ତ୍ରୁଟିପୂର୍ଣ୍ଣ ନୀତି ଯୋଗୁ ୨୦୧୯-୨୦ରେ କେନ୍ଦ୍ର ଓ ରାଜ୍ୟର ଆର୍ଥିକ ସ୍ଥିତି ନିମ୍ନମୁଖୀ ହେବାରୁ ଟିକସ ଆଦାୟ ଆଶାନୁରୂପ ହେଲା ନାହିଁ। ୨୦୧୯-୨୦ରେ କେନ୍ଦ୍ର ୯୫୪୪୪ କୋଟି ଟଙ୍କା ଜିଏସ୍ଟି ସେସ୍ ବାବଦରେ ଆଦାୟ କରିଥିଲା ବେଳେ ରାଜ୍ୟଗୁଡ଼ିକ କ୍ଷତି ଭରଣା ପାଇଁ ୧.୬୫ ଲକ୍ଷ କୋଟି ଟଙ୍କା ଦେଇଥିଲା। ପୂର୍ବ ୨ ବର୍ଷରେ ଯେଉଁ ସମ୍ବଳ ବଳକା ଭାବେ ସେସ୍ରୁ ପାଇଥିଲା, କେନ୍ଦ୍ର ତାକୁ ରାଜ୍ୟଗୁଡ଼ିକୁ ଦେଇଥିଲା। କିନ୍ତୁ ଚଳିତ ଆର୍ଥିକ ବର୍ଷରେ କେବଳ ତ୍ରୁଟିପୂର୍ଣ୍ଣ ନୀତି ନୁହେଁ କରୋନା ସଂକ୍ରମଣର କୁପ୍ରଭାବରେ ଅର୍ଥନୀତି ବିପର୍ଯ୍ୟସ୍ତ ହେବା ଯୋଗୁ ଉଭୟ କେନ୍ଦ୍ର ଓ ରାଜ୍ୟଗୁଡ଼ିକର ରାଜସ୍ବ ଆଦାୟ ବହୁମାତ୍ରାରେ ହ୍ରାସ ପାଇବ। କେନ୍ଦ୍ର ହିସାବ ଅନୁଯାୟୀ ରାଜ୍ୟଗୁଡ଼ିକ କ୍ଷେତ୍ରରେ ଜିଏସ୍ଟି ବାବଦରେ ମୋଟ ୨.୩୫ ଲକ୍ଷ କୋଟି ଟଙ୍କା ହ୍ରାସ ପାଇବ ଏବଂ କରୋନା ପ୍ରଭାବକୁ ବାଦ୍ ଦେଲେ ଏହା ୯୭,୦୦୦କୋଟି ଟଙ୍କା ହେବ। ଅନେକ ଅର୍ଥନୀତିଜ୍ଞ ଏହି ତଥ୍ୟକୁ ଗ୍ରହଣ କରୁ ନାହାନ୍ତି। ଯଦି ୨୦୧୯-୨୦ରେ ଏହା ୧ଲକ୍ଷ ୬୫ ହଜାର କୋଟି ଟଙ୍କା ହେଲା ୨୦୨୦-୨୧ରେ ଏହା କିପରି କରୋନା ପ୍ରଭାବକୁ ବାଦ ଦେଲେ କିପରି ୯୭,୦୦୦ କୋଟି ଟଙ୍କା ହେବ। କେତେକଙ୍କ ମତରେ ରାଜ୍ୟଗୁଡ଼ିକ ଜିଏସ୍ଟିଜନିତ କ୍ଷତି ପ୍ରାୟ ୪ ଲକ୍ଷ କୋଟି ଟଙ୍କା ହୋଇପାରେ । ଯଦି ମୋଟ ଟିକସ ଆଦାୟ ହ୍ରାସ କଥା ବିଚାର କରାଯାଏ, ଏହା ୬ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିବ।
ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ଚଳିତ ଆର୍ଥିକବର୍ଷ କେନ୍ଦ୍ର ଜିଏସ୍ଟି କ୍ଷତିପୂରଣ ଦେବାରେ ଅବହେଳା କରିବା ଯୋଗୁ ରାଜ୍ୟଗୁଡ଼ିକ ବିଶେଷକରି ଅଣ-ଭାଜପା ସରକାର ତୀବ୍ର ପ୍ରତିକ୍ରିୟା କରିବାରୁ କେନ୍ଦ୍ର ଜିଏସ୍ଟି ପରିଷଦ ସତ୍ୟ ସମାପିତ ୪୧ତମ ଅଧିବେଶନରେ ଏ ସମ୍ପର୍କରେ ଆଲୋଚନା ହୋଇଛି। ଓଡିଶାର ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଜିଏସ୍ଟି ପରିଷଦ ବୈଠକରେ ଏହି ଆର୍ଥତ୍କ ବର୍ଷର ପ୍ରଥମ ୩ମାସର ଜିଏସ୍ଟି ବାବଦରେ କ୍ଷତିପୂରଣ ୩୬୭୪ କୋଟି ଟଙ୍କା ଏବଂ ପୂର୍ବ ବର୍ଷର ବକେୟାକୁ ମିଶାଇ ମୋଟ ୪୨୦୦ କୋଟି ଟଙ୍କା କେନ୍ଦ୍ରଠାରୁ ଦାବି କରିଛନ୍ତି। କିନ୍ତୁ ଅଗଷ୍ଟ ୨୭ର ଜିଏସ୍ଟି ପରିଷଦ ବୈଠକରେ କେନ୍ଦ୍ର ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ କ୍ଷତିପୂରଣ ନ ଦେଇ ୨ଟି ବିକଳ୍ପ ପ୍ରସ୍ତାବ ଦେଇଛି, ଯାହା ଅନ୍ୟାୟ, ଅନୁଚିତ। ଏହା ସଂଘୀୟ ବ୍ୟବସ୍ଥାର ପରିପନ୍ଥୀ ବୋଲି ମତ ପ୍ରକାଶ ପାଇଛି। କେନ୍ଦ୍ର ରାଜସ୍ବ ସଚିବଙ୍କ କହିବା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଜିଏସ୍ଟି ବାବଦରେ ରାଜ୍ୟଗୁଡ଼ିକର ୩ଲକ୍ଷ କୋଟି ଟଙ୍କା କମ୍ ଆଦାୟ ହେବ। କିନ୍ତୁ ସେସ୍ ବାବଦରେ ମାତ୍ର ୬୫୦୦୦ କୋଟି ଟଙ୍କା ଆଦାୟ ହେବ, ଯାହା ଫଳରେ ୨ ଲକ୍ଷ ୩୫ ହଜାର ୫ କୋଟି ଟଙ୍କା ଆବଶ୍ୟକ। କିନ୍ତୁ କରୋନା ପ୍ରଭାବକୁ କେନ୍ଦ୍ର ବିଚାରକୁ ନ ନେଇ ୯୭୦୦୦ କୋଟି ଟଙ୍କାର କ୍ଷତିପୂରଣ ବାବଦରେ ପ୍ରଥମ ବିକଳ୍ପ ରାଜ୍ୟଗୁଡ଼ିକ ଆଗରେ ଥୋଇଛି। ତାହା ହେଲା ରାଜ୍ୟଗୁଡ଼ିକ ରିଜର୍ଭ ବ୍ୟାଙ୍କରୁ ଏହି ୯୭୦୦୦ କୋଟି ଟଙ୍କା କମ ସୁଧ ବା ସ୍ବତନ୍ତ୍ର ଉଇଣ୍ଡୋ (ସ୍ପେଶିଆଲ ଉଇଣ୍ଡୋ)ରେ ପ୍ରାପ୍ତ ହେବ। ପରେ ଅଗଷ୍ଟ ୨୯ ତାରିଖରେ ରାଜ୍ୟ ଅର୍ଥ ସଚିବ ମାନଙ୍କ ପାଖକୁ ଯେଉଁ ଚିଠି ଆସିଛି ତାହା ଅନୁସାରେ ଋଣ ପରିବ୍ୟୟ ବା ସୁଧ ସରକାରୀ ଋଣପତ୍ର ବା ଗଭର୍ନମେଣ୍ଟ ସିକ୍ୟୁରିଟି ସୁଧ ସହିତ ସମାନ ହେବ। ଏହା ରାଜ୍ୟର ଋଣଭାବେ ଧରାଯିବ ନାହିଁ। ୨୦୨୨ ଜୁଲାଇ ପରେ ଯେଉଁ ଜିଏସ୍ଟି ସେସ୍ ଆଦାୟ ହେବ ତାହା ଦ୍ୱାରା ଏହା ଭରଣା କରାଯିବ। ରାଜ୍ୟମାନଙ୍କୁ ମୂଳ ବା ସୁଧ ଦେବାକୁ ପଡ଼ିବ ନାହିଁ। ଯଦି ଅଧିକ ହୁଏ ତେବେ କେନ୍ଦ୍ର ସରକାରୀ ଋଣପତ୍ର ଏବଂ ହାରାହାରି ରାଜ୍ୟ ଉନ୍ନୟନ ଋଣ (ଏସ୍ଡିଏଲ୍) ସୁଧହାର ପାର୍ଥକ୍ୟର ୦.୫% ସବ୍ସିଡି ବହନ କରିବ।
ଦ୍ୱିତୀୟ ବିକଳ୍ପ ପ୍ରସ୍ତାବ ହେଲା ରାଜ୍ୟଗୁଡ଼ିକ ବିତ୍ତୀୟ ନିଅଣ୍ଟ ଜିଡିପିର ୩%ରେ ସୀମିତ ରଖିବା କଥା। କିନ୍ତୁ ଏହାକୁ ଆଉ ୯.୫% ବୃଦ୍ଧି କରିପାରିବେ, ଯାହା ଫଳରେ ରାଜ୍ୟଗୁଡ଼ିକ ମୋଟ ଆଉ ୧ ଲକ୍ଷ କୋଟି ଟଙ୍କା ଋଣ କରିପାରିବେ। ଏଣୁ ମୋଟ କ୍ଷତି ଯେଉଁ ୨ ଲକ୍ଷ ୩୫ ହଜାର କୋଟି ଟଙ୍କା ହେବ ତାହା ରାଜ୍ୟଗୁଡ଼ିକ ବଜାରରୁ ଋଣ କରିପାରିବେ। ରିଜର୍ଭ ବ୍ୟାଙ୍କ ଋଣ କରିବା ପ୍ରକ୍ରିୟାରେ ସାହାଯ୍ୟ କରିବ କିନ୍ତୁ ସୁଧ ରାଜ୍ୟଗୁଡ଼ିକୁ ଦେବାକୁ ହେବ। ପ୍ରଥମ ୯୭୦୦୦ କୋଟି ଟଙ୍କା ପରେ ଅବଶିଷ୍ଟ ପରିମାଣ ରାଜ୍ୟଗୁଡ଼ିକର ଋଣ ଭାବେ ବିଚାର କରାଯିବ। ଋଣ ପରିମାଣ ୨୦୨୨ ଜୁଲାଇ ପରେ କେନ୍ଦ୍ର ଜିଏସ୍ଟି ସେସ୍ ବାବଦରେ ବହନ କରିବ। ରାଜ୍ୟଗୁଡ଼ିକ ମଧ୍ୟ ରାଜ୍ୟ ଜିଡିପିର ୪% ପର୍ଯ୍ୟନ୍ତ ଋଣ କରିପାରିବେ, ଯେଉଁଥିରୁ ୧% ପାଇଁ କିଛି ସଂସ୍କାରମୂଳକ ପଦକ୍ଷେପ ନେବାକୁ ପଡ଼ିବ। ଏହି ଋଣ କରିବାର ସୀମା ପରବର୍ତ୍ତୀ ବର୍ଷକୁ ଘୁଞ୍ଚାଯାଇପାରିବ ନାହିଁ।
ଏଠାରେ ସ୍ବତଃ ପ୍ରଶ୍ନ ଉଠେ କେନ୍ଦ୍ର ତା’ର ପ୍ରତିଶ୍ରୁତି ରକ୍ଷାକରି ରାଜ୍ୟଗୁଡ଼ିକୁ ତାଙ୍କ ପ୍ରାପ୍ୟ ଦେବା ଆବଶ୍ୟକ। ରାଜ୍ୟଗୁଡ଼ିକୁ ଋଣ କରିବା ପାଇଁ ପରାମର୍ଶ ଦେବା ଅନୁଚିତ। କେନ୍ଦ୍ର ଅର୍ଥମନ୍ତ୍ରୀ ଆଟର୍ନି ଜେନେରାଲଙ୍କ ମତକୁ ଉଦ୍ଧୃତ କରି କହିଛନ୍ତି ଯେ, ଏହି କ୍ଷତିପୂରଣ କେନ୍ଦ୍ର କନ୍ସୋଲିଡେଟେଡ୍ ଫଣ୍ଡରୁ ଦେଇହେବ ନାହିଁ। କିନ୍ତୁ ସେପରି କିଛି ଆଇନ୍ ମୂଳରୁ ନ ଥିଲା। କିନ୍ତୁ ୨୦୨୦-୨୧ ବଜେଟରେ ରାଜ୍ୟଗୁଡ଼ିକୁ ଏହି କ୍ଷତିପୂରଣ କେବଳ ଜିଏସ୍ଟି ସେସ୍ ବାବଦ ସଂଗୃହୀତ ଅର୍ଥ ଦିଆଯିବ ବୋଲି ଘୋଷଣା କରିଥିଲେ। ବାସ୍ତବରେ ବର୍ତ୍ତମାନ ଉଭୟ କେନ୍ଦ୍ର ଓ ରାଜ୍ୟର ଆର୍ଥିକ ସ୍ଥିତି ଭୟଙ୍କର। କେନ୍ଦ୍ରର ସ୍ଥିତି କରୋନା ପୂର୍ବରୁ ବିମୁଦ୍ରୀକରଣ, ଜିଏସ୍ଟି ଯୋଗୁ ନିମ୍ନଗାମୀ ହୋଇଛି। ତାଲାବନ୍ଦ ଠିକ୍ଭାବେ କାର୍ଯ୍ୟକାରୀ ହୋଇ ନ ଥିବାରୁ ପରିସ୍ଥିତି ସଙ୍ଗିନ ହୋଇଛି। ଯେହେତୁ ରାଜ୍ୟଗୁଡ଼ିକର ଟିକସ ଧାର୍ଯ୍ୟକରିବା ବା ଋଣ କରିବା କ୍ଷମତା ସୀମିତ ଏବଂ କେନ୍ଦ୍ରର ଅସୀମ ତେଣୁ ରାଜ୍ୟକୁ ସହାୟତା ଦେବା ଆବଶ୍ୟକ। ଆବଶ୍ୟକ ପଡିଲେ କେନ୍ଦ୍ର ବଜାରରୁ ହେଉ ବା ରିଜର୍ଭ ବ୍ୟାଙ୍କରୁ ମନିଟାଇଜେସନ ଅଫ ଡେଫିସିଟ୍ ଦ୍ୱାରା ଋଣ କରି ରାଜ୍ୟଗୁଡ଼ିକୁ ସାହାଯ୍ୟ କରିବା ଆବଶ୍ୟକ। ରାଜ୍ୟ ଦୁର୍ବଳ ହେଲେ କେନ୍ଦ୍ର ଦୁର୍ବଳ ହେବ। ରାଜ୍ୟକୁ ଶକ୍ତିଶାଳୀ କରିବା କେନ୍ଦ୍ରର ଦାୟିତ୍ୱ।
ସ୍ତମ୍ଭକାର ତଥା ଅର୍ଥନୀତିଜ୍ଞ
ମୋ-୯୪୩୭୨୦୮୭୬୨