ଖୋର୍ଦ୍ଧ ଅଫିସ,୫ା୬: ଶିଳ୍ପ, କ୍ରଶର, ପଥର ଖଣିରେ ବିସ୍ଫୋରଣ, ଯାନବାହନ ଚଳାଚଳ ଯୋଗୁ ଖୋର୍ଦ୍ଧା ପ୍ରଦୂଷଣ ବଳୟରେ ଫସିଯାଉଛି। ସଚେତନତା ଅଭାବ ଓ ବିକାଶ ନଁାରେ ବିନାଶ ଚାଲିଥିବାରୁ କେବଳ ସ୍ଥଳ, ଜଳ ଓ ବାୟୁ ପ୍ରଦୂଷିତ ହେବାରେ ଲାଗିଛି। ବିବର୍ତ୍ତମାନ ପରିବେଶ, ଅସୁନ୍ତଳିତ ଜଳବାୟୁ ଓ ବିପର୍ଯ୍ୟୟମୁଖୀ ସବୁଜିମା ଖୋର୍ଦ୍ଧା ଜିଲାରେ ଜୀବଜଗତକୁ ଧ୍ୱଂସ ମୁହଁକୁ ଠେଲି ନେଉଛି।
ଜିଲାର ଜଙ୍ଗଲିଆ ଅଞ୍ଚଳରେ ପଥର ମାଫିଆମାନେ ଡିଟୋନେଟର, ଜିଲୋଟିନ, ଆମୋନିୟମ ନାଇଟ୍ରେଟ୍ ଭଳି ବିସ୍ଫୋରକ ଦ୍ୱାରା ଦିନରାତି ଗ୍ରାନାଇଟ ପାହାଡ଼ରେ ବ୍ଲାଷ୍ଟିଂ କରୁଛନ୍ତି। ବହୁ ପଥର ଖଣି ରହିଥିବାରୁ ଜିଲାରେ ୩ ଶହରୁ ଊର୍ଦ୍ଧ୍ୱ କ୍ରଶର ରହିଛି। ଏପରିକି ବେଆଇନ ଅଥବା ପଞ୍ଜୀକୃତ କ୍ରଶରରେ ସାଇଟିଙ୍ଗ୍ ନିୟମକୁ ଉଲ୍ଲଂଘନ କରାଯାଉଛି। ଏ କ୍ଷେତ୍ରରେ ଜିଲା ପ୍ରଶାସନ ଓ ପ୍ରଦୂଷଣ ବୋର୍ଡ ଚୁପ୍ ରହୁଥିବାରୁ ପ୍ରଦୂଷଣ ବଢ଼ୁଛି। କେବଳ ଅଦାଲତଙ୍କ ନିର୍ଦ୍ଦେଶ ମିଳିଲେ ଆଖିଦୃଶିଆ ଚଢାଉ କରି କାର୍ଯ୍ୟ ଶେଷ କରାଯାଉଛି। ଅନ୍ୟପକ୍ଷେ ମନଇଚ୍ଛା ଶିଳ୍ପ ପ୍ରତିଷ୍ଠାନ ସ୍ଥାପନ ଯୋଗୁ ପରିବେଶ ଜନିତ ଅସନ୍ତୁଳନତା ଦେଖାଦେଉଛି। ଖୋର୍ଦ୍ଧା ଓ ସାରୁଅ ଶିଳ୍ପାଞ୍ଚଳରେ ୮୦ରୁ ଊର୍ଦ୍ଧ୍ୱ ଛୋଟ ବଡ ଶିଳ୍ପ ରହିଛି। ଶିଳ୍ପ ପ୍ରତିଷ୍ଠା ପୂର୍ବରୁ ସବୁ କିଛି ନିୟମ ପାଳନ କରିବାକୁ କହି ମାଲିକମାନେ ଅଣଦେଖା କରି ଚାଲିଛନ୍ତି। ଶିଳ୍ପ ପରିସରରେ ଗଛ ଲଗାଯାଉନାହିଁ। ସେହିପରି ଯାନବାହନ ସଂଖ୍ୟା ମଧ୍ୟ ବଢ଼ି ଚାଲିଛି। ଅଧିକାଂଶ ଯାନବାହନ କିରୋସିନ ଓ ଗ୍ୟାସରେ ଚାଲୁଥିଲେ ମଧ୍ୟ ଏଥିପ୍ରତି କାହାରି ଦୃଷ୍ଟି ନାହିଁ। ପୁଣି ଖରାଦିନେ ଜଙ୍ଗଲରେ ନିଅଁା ଲାଗି ଔଷଧୀୟ ଓ ଅନ୍ୟ ବୃକ୍ଷ ନଷ୍ଟ ହୋଇଯାଉଛି। ଅଙ୍ଗାର ପାଇଁ ଜଙ୍ଗଲ ପୋଡୁଛି। ବେଆଇନ ଶିକାର ଯୋଗୁ ଏହାର ପ୍ରଭାବ ପରିବେଶ ଉପରେ ପଡୁଛି। ଫନୀରେ ବହୁ ଗଛ ଉପୁଡି ପଡିଲା। ପୁଣି ସାଧାରଣ ଲୋକ ଓ କାଠମାଫିଆ ଜଙ୍ଗଲରୁ ଗଛକାଟି ଲୁଟ୍ କରୁଛନ୍ତି। ବିକାଶର ଆଳ ଦେଖାଇ ରାସ୍ତା ପ୍ରଶସ୍ତୀକରଣ ନଁାରେ ୫୭ ନଂ. ଓ ୧୬ ନଂ. ଜାତୀୟ ରାଜପଥ, ଖୋର୍ଦ୍ଧା ମୁଖ୍ୟ ରାସ୍ତା କଡରୁ ବଡବଡ ଗଛ କଟାଯାଇଛି। ନୂଆ ବୃକ୍ଷରୋପଣ ଉପରେ ଗୁରୁତ୍ୱ ନାହିଁ। ବୃକ୍ଷରୋପଣ ସ୍ଥାନରେ ରକ୍ଷଣାବେକ୍ଷଣ ପାଇଁ ଚେଷ୍ଟା ନ ଥିବାରୁ ୪ ଭାଗରୁ ୧ ଭାଗ ଗଛ ବି ବଞ୍ଚୁ ନାହିଁ। ସେହିପରି ପଲିଥିନର ବ୍ୟବହାର ମଧ୍ୟ ପରିବେଶକୁ ବିପଦ ମୁହଁରେ ପହଞ୍ଚାଇଛି।
ଏଭଳି ସ୍ଥିତିରେ ଜୀବଜଗତର ସୁରକ୍ଷା ପାଇଁ ପରିବେଶକୁ ସନ୍ତୁଳିତ ରଖିବା ନିମିତ୍ତ ସଚେତନତା ସୃଷ୍ଟି ହିଁ ବିଶ୍ୱ ପରିବେଶ ଦିବସ ପାଳନର ମୂଳଲକ୍ଷ୍ୟ। ପ୍ରକୃତି ସହ ବନ୍ଧୁତା ଓ ନିବିଡ ସମ୍ପର୍କ ରକ୍ଷା ହିଁ ବିଶ୍ୱ ପରିବେଶ ଦିବସର ସାମଗ୍ରିକ ବାର୍ତ୍ତା।
ଏସ୍ପିସିବିର ଆଞ୍ଚଳିକ ଅଧିକାରୀ ହାଡିବନ୍ଧୁ ପାଣିଗ୍ରାହୀ କୁହନ୍ତି, ଶିଳ୍ପ ପ୍ରତିଷ୍ଠାକୁ ବିରୋଧ କରାଯାଉନି। ହେଲେ ଏହା ସରକାରୀ ନୀତିନିୟମ ଭିତିରେ ରହୁ। କ୍ରଶରଗୁଡିକ ମଧ୍ୟ ସରକାରୀ ନୀତିନିୟମ ମାନି କାର୍ଯ୍ୟ କରନ୍ତୁ। ଏ ନେଇ ସଚେତନତା ସତ୍ତ୍ବେ ସୁଫଳ ମିଳୁନି ବୋଲି ସେ କହିଥିଲେ।