ନୂଆଦିଲ୍ଲୀ,୨୮।୫: କରୋନା ମହାମାରୀ ସଙ୍କଟ ସମୟରେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ନେଇ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଭାଜପାକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ପ୍ରବାସୀଙ୍କ ଦୁଃଖ ସମସ୍ତେ ଅନୁଭବ କରିପାରୁଛନ୍ତି। ତେବେ ଭାଜପା ଏହାକୁ ଅନୁଭବ କରି ପାରୁନାହିଁ। ତେଣୁ ସେମାନଙ୍କ ପାଇଁ କଂଗ୍ରେସ ପକ୍ଷରୁ ଦାବି କରାଯାଇଥିବା ୬ ମାସ ପର୍ଯ୍ୟନ୍ତ ୭୫୦୦ ଟଙ୍କାର ଆର୍ଥିକ ସହାୟତା ଏବଂ ୧୦ ହଜାର ଟଙ୍କାର ତତ୍କ୍ଷଣାତ୍ ସାହାଯ୍ୟ ଯୋଗାଇ ଦେବାକୁ ଅମଙ୍ଗ ହେଉଛି। କଂଗ୍ରେସ ପକ୍ଷରୁ ଜାରି ହୋଇଥିବା ଏକ ଭିଡ଼ିଓ ବାର୍ତ୍ତାରେ ସୋନିଆ ଏଭଳି କହିଛନ୍ତି। ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ବହୁ ନିଜ ନିଜ ଭିଟାମାଟିକୁ ଫେରିଆସିଛନ୍ତି। ତେବେ କାମ ଧନ୍ଦା ଅଭାବରୁ ସେମାନଙ୍କ ସ୍ଥିତି ଏବେ ସଙ୍କଟ ଜନକ ହେବାରେ ଲାଗିଛି ବୋଲି ସୋନିଆ କହିଛନ୍ତି। ପ୍ରବାସୀଙ୍କ ସମସ୍ୟା ନେଇ ସାମାଜିକକର୍ମୀ, ବୁଦ୍ଧିଜୀବି, ଅର୍ଥଶାସ୍ତ୍ରୀ ପ୍ରମୁଖ ନିଜର ଚିନ୍ତା ବ୍ୟକ୍ତ କରିଛନ୍ତି। ତେବେ ଭାଜପା ପ୍ରବାସୀଙ୍କ ସମସ୍ୟା ଦୂର ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପଛଘୁଞ୍ଚା ଦେଉଥିବା ସୋନିଆ କହିଛନ୍ତି।
Posted inକରୋନା ଭାଇରସ୍, ଜାତୀୟ