ନୂଆଦିଲ୍ଲୀ,୩୦।୭: ଏବେ କଂଗ୍ରେସର ଅଧ୍ୟକ୍ଷ ପଦ ଖାଲି ପଡିଥିବା ବେଳେ ଏହାକୁ ନେଇ ଚାଲିଛି ଅଙ୍କକଷା। ହେଲେ ଏହା ଛିଡି ପାରୁ ନାହିଁ। ଗୋଟିଏ ଦିନ ପୂର୍ବରୁ ଏହି ପଦ ପାଇଁ ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ନାଁ ନେଇଥିବା ବେଳେ ପୁଣିଥରେ ସୋମବାର ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ମଧ୍ୟ କହିଥିଲେ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ପ୍ରିୟଙ୍କା ହେଉଛନ୍ତି ଜଣେ ଆଦର୍ଶ ପ୍ରାର୍ଥୀ। ହେଲେ ଏହାକୁ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ତଥା ପ୍ରିୟଙ୍କାଙ୍କ ଭାଇ ରାହୁଲ ଗାନ୍ଧୀ। କାରଣ ରାହୁଲ ଚାହୁଁଛନ୍ତି ଏଥର କଂଗ୍ରେସ ଅଧ୍ୟକ୍ଷ ପଦରେ ଗାନ୍ଧୀ ପରିବାରର କୌଣସି ସଦସ୍ୟ ନ ରୁହନ୍ତୁ ଏବଂ ଜଣେ ଯୁବ ନେତାଙ୍କୁ ଏଥିପାଇଁ ସୁଯୋଗ ଦିଆଯାଉ।