ପୁରୀ ଅଫିସ, ୧୬ା୧୧: ଶ୍ରୀମନ୍ଦିର ସୁରକ୍ଷା ଜୋନରେ ବିସ୍ଥାପିତ ହେବାକୁ ଥିବା ଲଜ୍ ମାଲିକମାନଙ୍କୁ ବଗଲା ଧର୍ମଶାଳା ଜମି ପ୍ରଦାନ କରାଯିବ। ଯେଉଁ ଲଜ୍ ମାଲିକମାନେ ଜମି ନେବାକୁ ଚାହିଁବେ ସେମାନଙ୍କୁ ଏହି ଜମି ପ୍ଲଟିଂ କରି ଦିଆଯିବ। ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହାକୁ ପୁରୀର ଆଇନଜୀବୀମାନେ ବିରୋଧ କରୁଛନ୍ତି। ଏ ନେଇ ପୂର୍ବରୁ ସେମାନେ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଇଥିବାବେଳେ ଶନିବାର ଲଜ୍ ନିର୍ମାଣ ନିମନ୍ତେ ବିଲ୍ଡିଂ ପ୍ଲାନ ଅନୁମୋଦନ ନ କରିବା ଲାଗି ପିକେଡିଏ (ପୁରୀ – କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ) ସଚିବଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି।
ଆଇନଜୀବୀମାନେ କହିଛନ୍ତି, ଶ୍ରୀମନ୍ଦିରକୁ ଆସୁଥିବା ଯାତ୍ରୀଙ୍କ ରହଣି ଓ ଧର୍ମକର୍ମ ନିମନ୍ତେ ବଡ଼ଦାଣ୍ଡରେ କହ୍ନେୟା ବଗଲା ଧର୍ମଶାଳା ନିର୍ମାଣ କରାଯାଇଥିଲା। ଜଣେ ଦାତା ଏଥିପାଇଁ ଦାନ କରିଥିଲେ। ପକେଟକୁ ସୁହାଇଲା ଭଳି ଟଙ୍କା ଦେଇ ଯାତ୍ରୀମାନେ ଏଠାରେ ରହୁଥିବାବେଳେ ସାମାଜିକ, ସାଂସ୍କୃତିକ, ଧାର୍ମିକ କାର୍ଯ୍ୟକ୍ରମ କରାଯାଉଥିଲା। ପରବର୍ତ୍ତୀ ସମୟରେ ଅତ୍ୟାଧୁନିକ ସୁବିଧା ସୁଯୋଗ ଉପଲବ୍ଧ କରାଯିବା ନିଷ୍ପତ୍ତି ନିଆଯାଇ ଏହାକୁ ଭାଙ୍ଗି ଦିଆଯାଇଥିଲା। ପ୍ରସାଦ ଯୋଜନାରେ ୧୦ କୋଟି ଟଙ୍କା ଖର୍ଚ୍ଚରେ ଏଠାରେ ନୂତନ ଧର୍ମଶାଳା ନିର୍ମାଣ ଚାଲୁଥିଲା। ଓଟିଡିସି ଏହି କାମ କରୁଥିବା ବେଳେ ବର୍ତ୍ତମାନ ତାହାକୁ ବନ୍ଦ ରଖାଯାଇଛି। ମାଟିତୋଟା ମୌଜାରେ ନୂତନ ଧର୍ମଶାଳା ନିର୍ମାଣ ଲାଗି ସ୍ଥିର ହୋଇଛି। ବିସ୍ଥାପିତ ହେବାକୁ ଥିବା ଲଜ୍ ମାଲିକଙ୍କୁ ବଗଲା ଧର୍ମଶାଳା ଜମି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ତେବେ ଲଜ୍ ବିଲ୍ଡିଂ ପ୍ଲାନକୁ ଅନୁମୋଦନ ନ କରିବା ପାଇଁ ପିକେଡିଏ ସଚିବଙ୍କୁ ଓକିଲମାନେ ଅନୁରୋଧ କରିଛନ୍ତି।
Posted inଆମ ଜିଲା ଖବର, ପୁରୀ