ବର୍ଜନ ଅସମ୍ଭବ

ହଠାତ୍‌ ଭାରତୀୟଙ୍କ ନିଦ୍ରାଭଙ୍ଗ ହୋଇଛି। ଏପର୍ଯ୍ୟନ୍ତ ବିନା କାରଣରେ ମୁସଲମାନ ସମ୍ପ୍ରଦାୟର ଭାରତୀୟଙ୍କୁ ଘୃଣା କରୁଥିବା କିଛି ଲୋକ ବହୁ ଦିନରୁ ପାକିସ୍ତାନକୁ ଏକ ନମ୍ବର ଶତ୍ରୁ ଭାବେ ଚିତ୍ରଣ କରିଆସିଛନ୍ତି। ପିଲାଦିନରୁ ସମସ୍ତେ ଶିଖିଛନ୍ତି ଯେ, କେବଳ ପରୀକ୍ଷା ପାଇଁ ପ୍ରସ୍ତୁତ କରୁଥିବା ଛାତ୍ରୀଛାତ୍ର ପରବର୍ତ୍ତୀ ଜୀବନରେ ବଡ଼ ମଣିଷ ହୋଇପାରନ୍ତି ନାହିଁ। ପାଠପଢ଼ା ସହ ଯେତେବେଳେ ଶାଠ ବା ସାଧାରଣଜ୍ଞାନ, ଯାହାକୁ ଇଂଲିଶରେ କମନ୍‌ସେନ୍ସ କୁହାଯାଏ, ତାହାର ମିଶ୍ରଣ ହୁଏ ସେତେବେଳେ ସେହି ଛାତ୍ରୀଛାତ୍ରର ପରବର୍ତ୍ତୀ ଜୀବନରେ ସଫଳତା ହାସଲ ହୋଇଥାଏ। ପାକିସ୍ତାନ ଭଳି ଏକ ଝିଣ୍ଟିକା ଦେଶକୁ ମୁଖ୍ୟ ଶତ୍ରୁ ଭାବେ ପ୍ରଦର୍ଶିତ କରିଆସୁଥିବା ମୁଷ୍ଟିମେୟ ଲୋକଙ୍କର ଅନେକ ବ୍ୟକ୍ତିଗତ ସ୍ବାର୍ଥ ଲୁକ୍କାୟିତ ରହିଛି ବୋଲି ଏବେ କ୍ରମଶଃ ବୁଝାପଡୁଛି। ପାକିସ୍ତାନକୁ ଅର୍ଥନୀତି ଭାଷାରେ ଫେଲ୍‌ଡ ଷ୍ଟେଟ୍‌ ବା ବିଫଳ ରାଷ୍ଟ୍ର ଆଖ୍ୟା ଦିଆଯାଉଛି। ତେଣୁ ଏକ ବିଫଳ ରାଷ୍ଟ୍ରକୁ ସାମ୍ନା କରିବା ପାଇଁ ଅଣ୍ଟାଭିଡ଼ି ଭାରତ ଛିଡ଼ା ହୋଇଥିବା ବେଳେ ରାଜନେତାଙ୍କଠାରୁ ବ୍ୟବସାୟୀମାନେ ଆମ ଦେଶର ଲୋକଙ୍କୁ ବୋକା କରି ନିଜର ସୁବିଧା ସୁଯୋଗ ନେଇ ଚାଲିଛନ୍ତି।
ଏବେ ହଠାତ୍‌ ନିଦ୍ରାଭଙ୍ଗ ଯୋଗୁ ଭାରତୀୟମାନେ ବୁଝିଲେଣି ଯେ ତାଙ୍କର ଦକ୍ଷତା, ଜନସଂଖ୍ୟା, ଶିକ୍ଷାଗତ ଯୋଗ୍ୟତା, ପ୍ରାକୃତିକ ସମ୍ବଳ ଭଳି ଅନେକ ଦିଗରୁ ଦେଖିଲେ ବାସ୍ତବ ଦୀର୍ଘମିଆଦୀ ଶତ୍ରୁ ହେଉଛି କେବଳ ମାତ୍ର ଚାଇନା। ବର୍ତ୍ତମାନ ସେହି ମୁଷ୍ଟିମେୟ ଗୋଷ୍ଠୀ ଦ୍ୱାରା ପ୍ରଚାର କରାଯାଉଛି ଯେ, ଚାଇନା ସାମଗ୍ରୀ ବ୍ୟବହାରକୁ ବନ୍ଦ କରାଯାଉ। ତାହା ହେଲେ ଯାଇ ଭାରତରୁ ଚାଇନା ଅର୍ଥନୈତିକ ଦୃଷ୍ଟିରୁ ଝଟକା ପାଇବ। କିନ୍ତୁ ଏହିସବୁ ଦାୟିତ୍ୱ ଜନସାଧାରଣଙ୍କ ଉପରେ ଲଦି ଦିଆଯାଉଛି। ଏହା ଅବାଞ୍ଛିତ ଏଇଥିପାଇଁ ଲାଗୁଛି କାରଣ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପଯୁକ୍ତ ବାଣିଜ୍ୟ ନୀତି ନିର୍ଦ୍ଧାରିତ ନ ହେବା ପର୍ଯ୍ୟନ୍ତ ଚାଇନା ସାମଗ୍ରୀ ଦୋକାନ ବଜାରରେ ମିଳୁଥିବ। ତାହାକୁ ବର୍ଜନ କରିବା ଅସମ୍ଭବ ହୋଇପଡ଼ିବ। ଅନେକ ସମୟରେ ବାହାରକୁ ଦିଶୁଥିବା ଭାରତୀୟ ସାମଗ୍ରୀର ଅନ୍ତବୁଜୁଳାରେ ଚାଇନାର ନାଡ଼ ଝୁଲିଥାଉଛି। ତେଣୁ ଚାଇନା ସାମଗ୍ରୀକୁ ବର୍ଜନ ନିଷ୍ପତ୍ତି ଜନସାଧାରଣଙ୍କ ଉପରେ ଲଦିଦେଇ ସରକାର ନୀରବରେ ବସିଯିବା ସମ୍ଭବପର ହେବ ନାହିଁ।
କୁଆଡ଼େ ଗଲା ‘ମେକ୍‌ ଇନ୍‌ ଇଣ୍ଡିଆ’ ଯୋଜନା, ଯାହାକି ୬ ବର୍ଷ ପୂର୍ବରୁ ମୋଦି ଘୋଷଣା କରିଥିଲେ। ପ୍ରତୀକ ଭାବରେ କେବଳ ସିଂହର ଚିତ୍ର ଦେଖିବାକୁ ମିଳୁଛି। ତଥାକଥିତ ଭାରତୀୟ କମ୍ପାନୀଗୁଡ଼ିକ ବିକ୍ରି କରୁଥିବା ସବୁ ସାମଗ୍ରୀ ଚାଇନାରୁ ଆସୁଛି। ଭାରତୀୟ ଉଦ୍ୟୋଗ ଭାବେ ପରିଚିତ ମାରୁତିର ହେଡ୍‌ଲାଇଟ୍‌ ଚାଇନାର ବୋଲି କୁହାଯାଉଛି। ସେହିପରି ମାଇକ୍ରୋମାକ୍ସ ମୋବାଇଲ୍‌ ଫୋନ୍‌କୁ ଉଦାହରଣ ଭାବେ ନିଆଯାଇପାରେ। ସମ୍ପୂର୍ଣ୍ଣ ଫୋନ୍‌ ସେଟ୍‌ଟି ସ୍ବଦେଶୀ ବୋଲି କୁହାଯାଉଥିଲେ ମଧ୍ୟ ଏହାର ଅଧିକାଂଶ ଅଂଶ ଚାଇନାରୁ ଆମଦାନୀ ହେଉଛି। ସେହିପରି ବ୍ୟବସାୟିକ ନିଷ୍ପତ୍ତି ପରେ ମୋଟର ସାଇକେଲ ତିଆରି କରୁଥିବା ଭାରତୀୟ-ବିଦେଶୀ ଯୌଥ ଉଦ୍ୟୋଗ ପରସ୍ପରଠାରୁ କିଛିବର୍ଷ ପୂର୍ବେ ଅଲଗା ହୋଇଥିଲେ। ଭାରତୀୟ କମ୍ପାନୀ ଭାବିଥିଲା ତା’ର ସୁନାମ ଯୋଗୁ ସେ ଅଧିକ ଉପାର୍ଜନ କରିବ। କିନ୍ତୁ ତାହା ନିମ୍ନମୁଖୀ ହୋଇଛି। ଏହାର କାରଣ ଗବେଷଣା ଓ ବିକାଶ (ଆର୍‌ ଆଣ୍ଡ୍‌ ଡି) ଦିଗରେ ଏହି କମ୍ପାନୀ ଖର୍ଚ୍ଚ କରିବାକୁ ଚାହିଁ ନାହିଁ। ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟରେ ଏକ ଅବଧାରଣା ରହିଛି ଯେ, ଆର୍‌ ଆଣ୍ଡ୍‌ ଡି ପାଇଁ ଅଧିକ ବ୍ୟୟ କରିବା ଅର୍ଥ ବଦଖର୍ଚ୍ଚ। ବାସ୍ତବରେ ଦେଖିଲେ ଚାଇନା ଆଜି ତା’ର ସାମଗ୍ରୀ ବିଶ୍ୱ ବଜାରରେ ମେଲେଇଦେବା ସହ ଲାଭ ଅର୍ଜନ କରିବା ପଛରେ ‘ଆର୍‌ ଆଣ୍ଡ୍‌ ଡି’ର ଅବଦାନ ସର୍ବାଧିକ ରହିଛି।
ଭାରତକୁ ଆଇଟି (ସୂଚନା ପ୍ରଯୁକ୍ତିବିଦ୍ୟା) କ୍ଷେତ୍ରରେ ଏକ ଅଗ୍ରଣୀ ଦେଶ ଭାବେ ବିବେଚନା କରାଯାଉଛି। କିନ୍ତୁ ବାସ୍ତବରେ ଦେଖିଲେ ଏଠାରେ ଆଇଟି ଠିକାଦାର ଅଧିକ ହାଉଯାଉ ହେଉଛନ୍ତି। ସେ ଇନ୍‌ଫୋସିସ୍‌ ହେଉ ବା ଓ୍ବିପ୍ରୋ କିମ୍ବା ଟାଟା କସ୍‌ସଲଟାନ୍ସି ବା ଏଚ୍‌ସିଏଲ୍‌ ପ୍ରତିଟି ଆଇଟି କମ୍ପାନୀ କୌଣସି ନୂତନ ଉଦ୍ଭାବନ କରି ନାହାନ୍ତି। ସେମାନେ କେବଳ ଜବ୍‌ ଅର୍ଡର ଠିକାଦାର ଭାବେ କାର୍ଯ୍ୟ କରି ଅର୍ଥ ରୋଜଗାର କରିଛନ୍ତି। ଏଗୁଡ଼ିକ ବିପୁଳ ଚାକିରି ଦେଇଥାଇପାରନ୍ତି, କିନ୍ତୁ ଦେଶର ସୂଚନା ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ମୂଳଦୁଆକୁ କୌଣସି ଭାବେ ସୁଦୃଢ଼ କରିବାକୁ ଚେଷ୍ଟା କରିନାହାନ୍ତି। କୌଣସି ନୂତନ ସଫ୍ଟଓ୍ବେର ସୃଷ୍ଟି କରି ବିଶ୍ୱ ବଜାରକୁ ଆକର୍ଷିତ କରିଥିବାର ଉଦାହରଣ ଖୋଜିଲେ ନିରାଶ ହେବାକୁ ପଡ଼େ। ଆଇଟି କ୍ଷେତ୍ରରେ ଅନେକ ଭାରତୀୟ କମ୍ପାନୀ ସ୍ବଦେଶୀ ସାମଗ୍ରୀ ନିର୍ମାଣ କରୁଥିବା ଦାବି କରୁଥିଲେ ହେଁ ସେମାନେ ଯାହା ତିଆରି କରନ୍ତି ସବୁର ବୁଦ୍ଧି ଓ କାରିଗରି ବିଦେଶୀ କମ୍ପାନୀଠାରୁ ଆସିଥାଏ। ଏହିଭଳି ବିରାଟକାୟ ଭାରତୀୟ କମ୍ପାନୀଗୁଡ଼ିକ ଠିକାଦାରି କରୁଥିବା ବେଳେ ଚାଇନା ତା’ର ନାଗରିକଙ୍କ ପାଇଁ ଗୁଗଲ୍‌ର ବିକଳ୍ପ ବାଇଡୁ, ହ୍ବାଟ୍‌ସଆପ୍‌ର ବିକଳ୍ପ ଓ୍ବିଚାଟ୍‌, ଇ-କମର୍ସ ପ୍ଲାଟଫର୍ମ ଆମାଜନ୍‌ ଡଟ୍‌ କମ୍‌ ପରିବର୍ତ୍ତେ ଆଲିବାବା ଡଟ୍‌କମ୍‌ ଏବଂ ଅନେକ ଢଙ୍ଗରେ ନିଜତ୍ୱ ବଜାୟ ରଖିପାରିଛି। ଅପରପଟେ ଟିକ୍‌ଟକ୍‌ ମାଧ୍ୟମରେ ଭାରତର ସହରଠାରୁ ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ଯୁବତୀଯୁବକଙ୍କୁ ନଚାଉଛି ଚାଇନାର ସଫ୍ଟଓ୍ବେର। ଏଭଳି ପରିସ୍ଥିତିରେ କାହା ବିରୋଧରେ ଲଢ଼ିବା। ଭାରତର ସବୁ ସରକାର (ଉଭୟ କଂଗ୍ରେସ ଓ ଆଜିର ମୋଦି ସରକାର) ବାଣିଜି୍ୟକ ପରିବେଶକୁ ବିଷାକ୍ତ କରିବାରେ ସକ୍ରିୟ ସହଯୋଗ କରିଚାଲିଛନ୍ତି।
ଚାଇନା ସବୁବେଳେ ଭାରତକୁ ବିରୋଧ କରିଆସିଛି। ଜାତିସଂଘର ନିରାପତ୍ତା ପରିଷଦରେ ସ୍ଥାୟୀ ସଦସ୍ୟତାକୁ ବିରୋଧ କରିବାଠାରୁ ଆରମ୍ଭ କରି ପାକିସ୍ତାନୀ ଆତଙ୍କବାଦୀ ମାସୁଦ ଆଝାରଙ୍କୁ ଆତଙ୍କବାଦୀ ନ ଦର୍ଶାଇବା, ଅରୁଣାଚଳ ପ୍ରଦେଶର ସୀମାନ୍ତ ଅଞ୍ଚଳରେ ଭାରତୀୟ ନେତାଙ୍କୁ ପୂରାଇ ନ ଦେବା ଭଳି ଭାରତ ବିରୋଧୀ କାର୍ଯ୍ୟରେ ଚାଇନା ବ୍ୟସ୍ତ ରହୁଛି। ଏପରି କି ଉପରଠାଉରିଆ ଭାବେ ଭାରତକୁ ବନ୍ଧୁରାଷ୍ଟ୍ର କହିବାକୁ ଦ୍ୱିଧାବୋଧ କରୁଛି। ହେଲେ ଏବେ ଭାଜପା ସରକାର ଏ ଦେଶର ଦୃଷ୍ଟିକୁ ଝିଣ୍ଟିକା ପାକିସ୍ତାନ ଆଡ଼କୁ ମୁହଁାଇ ରଖିଛି। କାରଣ ମୁସଲ୍‌ମାନ ବିରୋଧୀ ଭାବନା ଥିବା ହେତୁ ପାକିସ୍ତାନ ହୋଇଯାଇଛି ଭାରତ ପାଇଁ ସର୍ବୋଚ୍ଚ ଶତ୍ରୁ। ଦୁଃଖର ବିଷୟ ସେହି ଗୋଷ୍ଠୀର ମାନସିକତାର ଶତ୍ରୁ ଏବଂ ଦେଶ ଭାବେ ଭାରତବର୍ଷର ପ୍ରକୃତ ଶତ୍ରୁ ସମ୍ପୂର୍ଣ୍ଣ ଭିନ୍ନ। କେବଳ ରାଜନୀତି ପାଇଁ ପାକିସ୍ତାନ ଓ ମୁସଲମାନଙ୍କୁ ବିରୋଧ କରାଯାଉଛି। ଭାରତର ଅର୍ଥନୈତିକ ସ୍ବାଧୀନତା ଓ ଗଣତାନ୍ତ୍ରିକ ଚିନ୍ତାଧାରାକୁ ଚାଇନା ବିରୋଧ କରିଆସିଛି, କରୁଛି, କରିଚାଲିବ ମଧ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପେସାରେ ଶିକ୍ଷୟିତ୍ରୀ ହେଲେ ବି ଫୁଲଚାଷ ତାଙ୍କ ପାଇଁ ଆଣିଛି ସ୍ବତନ୍ତ୍ର ପରିଚୟ। କେରଳ ଥ୍ରିଶୂର ଜିଲା ବାସିନ୍ଦା ଲତିକା ସୁତାନ ବଗିଚାରେ ପଦ୍ମ ଓ...

ଅକାଳ ଜାତ ଶିଶୁ ଓ କଙ୍ଗାରୁ ଯତ୍ନ

ଶ୍ୱ ସ୍ବାସ୍ଥ୍ୟ ସଂସ୍ଥା ୨୦୨୦ ମସିହାରେ କରିଥିବା ଏକ ଆକଳନ ଅନୁସାରେ ପ୍ରତିବର୍ଷ ଗର୍ଭଧାରଣର ସାଧାରଣ ସମୟକାଳ, ଅର୍ଥାତ୍‌ ୩୭ ସପ୍ତାହ ସମ୍ପୂର୍ଣ୍ଣ ହେବା ପୂର୍ବରୁ...

ଆଧୁନିକ ଦାସତ୍ୱ

ଦାସତ୍ୱ କଥା ଆଲୋଚନା ହେଲେ ଆମେରିକା କଥା ମନକୁ ଆସେ। ଏହା ସହ ଆଫ୍ରିକାରେ ଅଭାବ, ଅନଟନରେ ଶଢ଼ୁଥିବା ମଣିଷକୁ କ୍ରୀତଦାସ ରୂପେ କ୍ରୟ, ବିକ୍ରୟ...

ମିଥେନ୍‌ ଚିନ୍ତା

ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଗ୍ରୀଷ୍ମ ଶେଷ ହେବାକୁ ଯାଉଛି। ଏହି ସମୟରେ ଏଠାରେ ଅତ୍ୟଧିକ ତାପମାତ୍ରା ବୃଦ୍ଧି ରେକର୍ଡ କରାଯାଇଛି। ୨୦୨୩କୁ ଟପି ୨୦୨୪ ସବୁଠୁ...

ଏଇ ଭାରତରେ

ମହିଳା ସଶକ୍ତୀକରଣ ଓ ଆମତ୍ନିର୍ଭରଶୀଳର ବାର୍ତ୍ତା ଦେଇଛନ୍ତି ବୀଣା ଟମ୍‌। କେରଳର ମାରଙ୍ଗାଟ୍ଟୁପାଲିରେ ରହୁଥିବା ଏହି ୫୬ ବର୍ଷୀୟା ମହିଳା ଜଣକ ନିଜ ବଗିଚାରେ ବିଭିନ୍ନ...

ଯୁଦ୍ଧ ଆଉ କେତେ କାଳ

ରମାଣୁ ବୋମାର ଜନକ ବୋଲି କୁହାଯାଉଥିବା ସୁପ୍ରସିଦ୍ଧ ଆମେରିକୀୟ ବିଜ୍ଞାନୀ କୁଲିଅସ୍‌ ରବର୍ଟ ଓପେନ୍‌ ହେମରଙ୍କ ଜୀବନୀ ଆଧାରିତ ଚଳଚ୍ଚିତ୍ର ‘ଓପେନ୍‌ହେମର’ ମୁକ୍ତିଲାଭ କରିସାରିଛି। ପରମାଣୁ...

ଈଶ୍ୱରଙ୍କ ସହ ବସବାସ

ସୃଷ୍ଟିର ପ୍ରାରମ୍ଭରୁ ମଣିଷ ଈଶ୍ୱରଙ୍କୁ ଅନ୍ବେଷଣ କରିବା ଆରମ୍ଭ କରିଆସିଛି। ସେମାନେ ପ୍ରକୃତିକୁ ଦେବତା ରୂପେ ପ୍ରାର୍ଥନାକଲେ। ବାୟୁଦେବ, ଅଗ୍ନିଦେବ, ବରୁଣଦେବ, ଇନ୍ଦ୍ରଦେବ, ସୂର୍ଯ୍ୟଦେବ ଓ...

ଧର୍ମଶାସ୍ତ୍ର ଓ ମନୁସ୍ମୃତି

ସମସ୍ତେ ଏବେ ମନୁସ୍ମୃତି ବିଷୟରେ ଆଲୋଚନା କରୁଛନ୍ତିି ଏବଂ ଜାତି ପ୍ରଥା ସହ ଏହାର ସମ୍ପର୍କ ରହିଛି ବୋଲି କହନ୍ତି। କିନ୍ତୁ ଏହା ପଛରେ ଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri