ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ପ୍ରଚଳିତ ହୋଇଥାଏ। ଏସବୁ ପରମ୍ପରା ପଛରେ ଅନେକ କାହାଣୀ ରହିଥାଏ। ଉତ୍ତରପ୍ରଦେଶ ମହାରାଜଗଞ୍ଜ୍ ଜିଲା ବେଲଓ୍ବା ଚୌଧୁରୀ ଗାଁରେ ରହିଛି ଏଭଳି ଏକ ଅଜବ ପରମ୍ପରା। ଏଠାରେ ବର୍ଷରେ ଗୋଟିଏ ଦିନ ବୁଦ୍ଧ ପୂର୍ଣ୍ଣିମାରେ ସବୁ ବାସିନ୍ଦା ଘର ଛାଡି ଗାଁ ବାହାରକୁ ପଳାଇଥାନ୍ତି। ସାଙ୍ଗରେ ଗୃହପାଳିତ ପଶୁଙ୍କୁ ମଧ୍ୟ ନେଇ ଯାଇଥାନ୍ତି। ଏହାକୁ ସ୍ଥାନୀୟ ଲୋକ ପରାଓ୍ବନ ପର୍ବ କୁହନ୍ତି। ଗ୍ରାମବାସୀମାନେ ଶାପରୁ ରକ୍ଷା ପାଇଁ ଏହି ଦିନ ଗାଁ ଛାଡି ଚାଲିଯାଇଥାନ୍ତି। ଏହି ଦିନ ଗାଁରେ ରହୁଥିବା ବ୍ୟକ୍ତି କିମ୍ବା ପଶୁପକ୍ଷୀଙ୍କ ମୃତ୍ୟୁ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି। ଗାଁ ଲୋକଙ୍କ କହିବା ଅନୁସାରେ ୨ଶହ ବର୍ଷ ତଳେ ଗାଁକୁ ଜଣେ ସାଧୁ ବୁଦ୍ଧପୂର୍ଣ୍ଣିମା ଦିନ ଆସିଥିଲେ। ଗ୍ରାମବାସୀଙ୍କ ପାଖରେ ସାଧୁ ଆସିବାର ସୂଚନା ନ ଥିଲା। ତେଣୁ ତାଙ୍କର ଉଚିତ ସ୍ବାଗତ କରାଯାଇ ନ ଥିଲା। ଏଥିରେ କ୍ରୋଧ ପ୍ରକାଶ କରି ସାଧୁ ଅଭିଶାପ ଦେଇଥିଲେ। ତେଣୁ ଏଭଳି ହୋଇଥାଏ ବୋଲି ଲୋକେ କୁହନ୍ତି।