ବଲାଙ୍ଗୀର ଅଫିସ,୧୯।୧୦: ବଲାଙ୍ଗୀର ଜିଲାର ସରକାରୀ ଅଧିକାରୀଙ୍କ ୫-ଟି କିମ୍ବା ‘ମୋ ସରକାର’ କାର୍ଯ୍ୟକ୍ରମକୁ ଖାତିର ନାହିଁ। ବିଭିନ୍ନ ଯୋଜନାରେ ଦୁର୍ନୀତି ଚାଲିଛି। ଏପରିକି ଖୋଲାଖୋଲି ଲାଞ୍ଚ ନେଉଛନ୍ତି ସରକାରୀ କର୍ମଚାରୀ। ଏପରି ଏକ ଘଟଣାକ୍ରମେ ଜିଲା ଶ୍ରମ ବିଭାଗ କିରାଣି ଶନିବାର ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି। ସେ ହେଲେ ବଲ୍ଲଭ ନାଗ। ବଲ୍ଲଭ ଲାଇସେନ୍ସ ପ୍ରଦାନ ପାଇଁ ଲାଞ୍ଚ ନେଉଥିବା ବେଳେ ଜଣେ ସ୍ବେଚ୍ଛାସେବୀ ତାହାର ଭିଡିଓ କରିଦେଇଥିଲେ। ଏହା ଏବେ ଭାଇରାଲ ହେବାରେ ଲାଗିଛି।
ଗୋଟିଏ ପଟେ ବେଆଇନ ଦାଦନ ଚାଲାଣ ରୋକିବା ପାଇଁ ପୋଲିସ ଜିରୋ ଟଲରେନ୍ସ ନୀତି ଆପଣାଇ ଦାଦନ ସର୍ଦ୍ଦାରମାନଙ୍କୁ ଗିରଫ କରୁଥିବା ବେଳେ ଶ୍ରମ ବିଭାଗରେ ଲାଞ୍ଚ ନେଇ ବେଆଇନ କାରବାର କରାଯାଉଛି। କିରାଣି ଲାଞ୍ଚ ନେଉଥିବାର ଭିଡିଓ ଭାଇରାଲ ହେବା ପରେ ବିଭାଗର ଗୁମର ଖୋଲିଛି ବୋଲି ଚର୍ଚ୍ଚା ହେଉଛି।