ଭାପୁର, ୨୯।୫ – ତନ୍ତକୁ ସାହାରା କରି ଗଡ଼ିଚାଲିଥିଲା ଜୀବନ। ଦିନରାତି କଷ୍ଟ କରି ଯାହା ମିଳୁଥିଲା ସେଥିରେ ହସଖୁସିରେ ପରିବାର ଚଳୁଥିଲା। ଅନେକ ସମସ୍ୟା ଆସିଛି ଆଉ ଚାଲିଯାଇଛି। ତନ୍ତ କେବେ ବନ୍ଦ ହେବାର ଜାଣିନୁ। ହେଲେ କରୋନା ଆସିବା ଦିନରୁ ବୃତ୍ତି ହିଁ ବୁଡ଼ିଗଲା। ପର୍ବପର୍ବାଣି, ବିବାହ ଋତୁରେ ଭଲ ବେପାର ହେବ ବୋଲି ଆଶା କରିଥିଲୁ। ସେହି ଅନୁଯାୟୀ ଶାଢ଼ି, ଲୁଗା ପ୍ରସ୍ତୁତ କରି ରଖିଥିଲୁ। ଦୁଇମାସ ହେଲା ବ୍ୟବସାୟ ପୂରା ବନ୍ଦ। ହାତବାନ୍ଧି ବସିଛୁ। ଏଭଳି କିଛିଦିନ ଲାଗିରହିଲେ ପିଲାଛୁଆ ଭୋକ ଉପାସରେ ରହିବେ। ବଞ୍ଚିବାକୁ ହେଲେ ବୃତ୍ତି ଛାଡ଼ି ଅନ୍ୟପନ୍ଥା ଦେଖିବାକୁ ପଡ଼ିବ ବୋଲି କହିଛନ୍ତି ଢେଙ୍କାନାଳ ସଦର ବ୍ଲକ ବାଲ୍ୟାମ୍ବା ପଞ୍ଚାୟତ ଅଧୀନ ସରାକପାଟଣା ଗ୍ରାମର ବୁଣାକାର।
ବୁଣାକାରଙ୍କ ଗାଁ ଭାବେ ଜିଲା ତଥା ଜିଲା ବାହାରେ ସ୍ବତନ୍ତ୍ର ପରିଚୟ ହାସଲ କରିଛି ସରାକପାଟଣା। ଗ୍ରାମରେ ୭୦ ତନ୍ତ ପଡ଼ିଥିବାବେଳେ ୧୦୦ ପରିବାରର ୨୧୫ ବୁଣାକାର କୌଳିକ ବୃତ୍ତିକୁ ଆଧାର କରି ଜୀବିକା ଅର୍ଜନ କରିଥାନ୍ତି। କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀର ବ୍ୟବସାୟ ୮ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍ଏଚ୍ଜି) ସମ୍ଭାଳୁଛନ୍ତି। ପଲ୍ଲିଶ୍ରୀ ମେଳା, ରାଜ୍ୟ ବାହାରେ ହେଉଥିବା ପ୍ରଦର୍ଶନୀରେ ସାମଗ୍ରୀ ବିକ୍ରିବଟା କରି କାରିଗରମାନେ ଭଲ ଦି ପଇସା ରୋଜଗାର କରୁଥିଲେ। ସେହିପରି ବିବାହ, ବ୍ରତ, ସାବିତ୍ରୀରେ ଶାଢ଼ି ସମେତ ଅନ୍ୟ ସାମଗ୍ରୀର ଚାହିଦା ବେଶି ରହୁଥିଲା। ହେଲେ ଲକ୍ଡାଉନ୍ କଟକଣା ଯୋଗୁ ୨ମାସ ହେଲା ବ୍ୟବସାୟରେ ବ୍ରେକ୍ ଲାଗିଛି। ଆବଶ୍ୟକ କଞ୍ଚାମାଲ ଅଭାବରୁ ସାମଗ୍ରୀ ତିଆରି ହୋଇପାରୁନାହିଁ। ବଜାର ଅବ୍ୟବସ୍ଥିତ ହୋଇପଡିଥିବାରୁ ତିଆରି କରି ରଖାଯାଇଥିବା ସାମଗ୍ରୀ ବିକ୍ରି କରିବାରେ ସମସ୍ୟା ଉପୁଜିଛି। ଫଳରେ ବୃତ୍ତିହରାଇ ଦୁର୍ଦ୍ଦିନରେ କାଳାତିପାତ କରୁଛନ୍ତି ବୁଣାକାର ପରିବାର। କରୋନା ବୁଣାକାରଙ୍କ ଜୀବିକାକୁ ଆଶଙ୍କା ଭିତରକୁ ଠେଲି ଦେଇଥିବାବେଳେ ଏବେ ଅନେକେ ହସ୍ତତନ୍ତ କାରିଗର ବୃତ୍ତି ବଦଳାଇବାକୁ ଚିନ୍ତା ମଧ୍ୟ କଲେଣି।
ଏ ନେଇ ମିଶନ ଶକ୍ତିର ଜିଲା ପ୍ରକଳ୍ପ ସଂଯୋଜିକା ମୋନାଲିସା ଭଞ୍ଜ କୁହନ୍ତି, ସରକାରୀସ୍ତରରେ ଆୟୋଜିତ ମେଳାରେ ବୁଣାକାରଙ୍କ ହାତ ତିଆରି ଜିନିଷ ବିକ୍ରି କରିବା ଲାଗି ଆବଶ୍ୟକ ସହଯୋଗ କରାଯାଉଛି। ଲକ୍ଡାଉନ୍ ପରେ ବି ହସ୍ତତନ୍ତ କାରିଗରଙ୍କୁ ପ୍ରୋତ୍ସାହିତ କରାଯିବ। ସ୍ଥିତିରେ ସୁଧାର ଲାଗି ଋଣ ଯୋଗାଇ ଦିଆଯିବ ବୋଲି ସେ ସୂଚନା ଦେଇଛନ୍ତି।
(ରାଜକୁମାର ପ୍ରଧାନ)