ଗୋପ,୨୧।୨: ପୁରୀ ଜିଲା ଗୋପ ନିକଟ ବଣିଆସାହିସ୍ଥିତ ବାବା ବାଲୁଙ୍କେଶ୍ୱର ଶୈବପୀଠରେ ଶୁକ୍ରବାର ଅଘଟଣ ଘଟିଛି। ଜାଗର ଥିବାରୁ ମନ୍ଦିରକୁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଲାଗିଥିଲା ବେଳେ ଦୀପରୁ ନିଆଁ ଲାଗି ନଣନ୍ଦ ଗୁରୁତର, ଭାଉଜ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା ଲାଗି କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଛି।
ସୂଚନାଯୋଗ୍ୟ, ସକାଳେ ଉକ୍ତ ସାହିର ରଜନିରାଣୀ ପୁଷ୍ଟି (୪୩), ଭାଉଜ କୁନା ଦାସ(୪୨) ପୂଜାର୍ଚ୍ଚନା ଲାଗି ମନ୍ଦିର ଯାଇଥିଲେ । ମାତ୍ର ନଣନ୍ଦ, ଭାଉଜ ଦୀପ ଲଗାଇ ମନ୍ଦିର ବେଢ଼ା ପରିକ୍ରମା କରିବା ବେଳେ ପାର୍ଶ୍ୱଦେବତା ଗଣେଶଙ୍କ ନିକଟରେ ଲାଗି ଥିବା ଦୀପ ନିଆଁ ନଣନ୍ଦ ରଜନୀଙ୍କ ଶାଢ଼ିରେ ଲାଗିଯାଇଥିଲା । ଭାଉଜ କୁନା ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟାକରି ସେ ମଧ୍ୟ ଆହତ ହୋଇଛନ୍ତି। ଗ୍ରାମବାସୀ ସେମାନଙ୍କୁ ଉଦ୍ଧାରକରି ଗୋପ ଡାକ୍ତରଖାନାରେ ଚିକିତ୍ସା ଲାଗି ଭର୍ତ୍ତି କରିଥିଲେ । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରିଛନ୍ତି ।