ମାଲକାନଗିରି,୮।୭(ଡି.ଏନ୍.ଏ.): ମାଲକାନଗିରି ଜିଲାର ବିଚ୍ଛିନ୍ନାଞ୍ଚଳ କାଳକ୍ରମେ ସ୍ବାଭିମାନ ଅଞ୍ଚଳ ଭାବେ ପରିିଚିତ ହୋଇଛି। ଗୁରୁପ୍ରିୟା ପୋଲ ନିର୍ମାଣ ପରେ ଏଠାକାର ଚିତ୍ରରେ ପରିବର୍ତ୍ତନ ହେବାରେ ଲାଗିଛି। ସ୍ବାଭିମାନ ଅଞ୍ଚଳର ସାରକୁବନ୍ଧ ନାଳ ଉପରେ ପୋଲ ନିର୍ମାଣ ହେବା କଷ୍ଟକର ହୋଇଥିବାରୁ ଲୋକେ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିଲେ। ବର୍ତ୍ତମାନ ଏଠାରେ ଏକ ଝୁଲାପୋଲ ନିର୍ମାଣ ପରେ ସାଧାରଣରେ ଆନନ୍ଦର ଲହରୀ ଖେଳିଯାଇଛି।
ବିଏସ୍ଏଫ୍ ଯବାନଙ୍କ ପ୍ରହରାରେ ଗୁରୁପ୍ରିୟା ସେତୁ ନିର୍ମାଣ ପରେ ବିଚ୍ଛିନ୍ନାଞ୍ଚଳକୁ ଯୋଗାଯୋଗ ସମ୍ଭବ ହୋଇପାରିଛି। କିନ୍ତୁ ରାଲେଗାଡ଼ା ପଞ୍ଚାୟତ ସହ ବିଭିନ୍ନ ପଞ୍ଚାୟତ ଏବେ ମଧ୍ୟ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଥିଲେ। ରାଲେଗାଡ଼ା ପଞ୍ଚାୟତକୁ ଗମନାଗମନ ପାଇଁ ପ୍ରତିବନ୍ଧକ ସାଜିଥିଲା ସାରକୁବନ୍ଧ ନାଳ। ଆଗରୁ ଲୋକେ ମରଣ ସହ ଲଢ଼ି ଯାତାୟାତ କରୁଥିଲେ। ଆଜି ସେଠାରେ ଝୁଲାପୋଲ ହେବା ପରେ ଲୋକେ ସନ୍ତୋଷ ପ୍ରକାଶ କରିଛନ୍ତି। ବର୍ଷା ଦିନ ଆସିଲେ ଏମାନେ ଜଳବନ୍ଦୀ ଜୀବନଯାପନ କରୁଥିଲେ। ଗାଁକୁ ଆସିପାରୁ ନ ଥିଲା ଆମ୍ବୁଲାନ୍ସ। ଯାତାୟାତର ମୁଖ୍ୟ ମାଧ୍ୟମ ଥିଲା ଘୋଡ଼ା କିମ୍ବା ଖଚର। ହେଲେ ଏବେ ସାରକୁବନ୍ଧର ଚିତ୍ର ବଦଳିଯାଇଛି। ଦୀର୍ଘଦିନର ପ୍ରୟାସ ପରେ ସରକାରୀସ୍ତରରେ ସାରକୁବନ୍ଧ ଗ୍ରାମ ସହ ରାଲେଗାଡ଼ା ପଞ୍ଚାୟତକୁ ଯିବା ପାଇଁ ନିର୍ମାଣ କରାଯାଇଛି ଏକ ଝୁଲାପୋଲ। ଏହି ପୋଲ ଯୋଗୁ ସିଧାସଳଖ ଯୋଡ଼ି ହୋଇଛି ସାରକୁବନ୍ଧ ଗ୍ରାମ ସହ ରାଲେଗାଡ଼ା ପଞ୍ଚାୟତର ଅନେକ ଗ୍ରାମ। ଏଠାରେ ପୋଲ ନିର୍ମାଣ ପରେ ଗାଁକୁ ଗାଡ଼ି, ଆ୍ମ୍ବୁଲାନ୍ସ ଆସିପାରୁଛି ଓ ଛାତ୍ରୀଛାତ୍ର ବିଦ୍ୟାଳୟକୁ ମଧ୍ୟ ଯାଇପାରୁଛନ୍ତି ବୋଲି ଗ୍ରାମର ବୋଲି ସାଧୁ ଖିଲ ପ୍ରକାଶ କରିଛନ୍ତି। ବର୍ତ୍ତମାନ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ଆଇଟିଡିଏର ପ୍ରକଳ୍ପ ପ୍ରଶାସକ ରାମକୃଷ୍ଣ ଗଣ୍ଡ ପ୍ରକାଶ କରିଛନ୍ତି।