ହାଇଦ୍ରାବାଦ,୧୧।୫: ଏସ୍ଆର୍ଏମ୍ ବିଶ୍ୱବିଦ୍ୟାଳୟର ଫାକଲ୍ଟି ଡକ୍ଟର ପଞ୍ଚଗୁଣୁଲା ଜୟପ୍ରକାଶ ଏକ ବିକଳ୍ପ ମାସ୍କ ଡିଜାଇନ କରିଛନ୍ତି। ଏହା ଏନ୍-୯୫ ମାସ୍କର ବିକଳ୍ପ ଭାବେ କାର୍ଯ୍ୟ କରିପାରିବ। ନୂଆ ମାସ୍କର ଦାମ ମାତ୍ର ୨୦ ଟଙ୍କା ରଖାଯାଇଛି। ଉକ୍ତ ମାସ୍କକୁ ଡିଜାଇନ କରିଥିବା ଡକ୍ଟର ଜୟପ୍ରକାଶ ବର୍ତ୍ତମାନ ଏସ୍ଆର୍ଏମ୍ ବିଶ୍ୱବିଦ୍ୟାଳୟର ମେକାନିକାଲ ଇଞ୍ଜିନିୟରିଂ ବିଭାଗରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାମ କରୁଛନ୍ତି। ଏହାକୁ ସାଧାରଣତଃ ଫେସ୍ ସିଲଡ୍ କୁହାଯାଉଥିବା ବେଳେ ୩ଡି ପ୍ରିଣ୍ଟିଂ ଟେକ୍ନୋଲୋଜି ସହ ଏହାକୁ ପ୍ରସ୍ତୁତ କରାଯାଉଛି। ଉକ୍ତ ମାସ୍କରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ନ ଥିବା ଡକ୍ଟର ଜୟପ୍ରକାଶ ମତ ପ୍ରକାଶ କରିଛନ୍ତି। ସରକାର ଯଦି ଏହି ମାସ୍କର ମାର୍କେଟିଂ ଲାଗି ମଞ୍ଜୁରୀ ପ୍ରଦାନ କରନ୍ତି ତେବେ ଏହା ସାଧାରଣ ଲୋକଙ୍କ ଲାଗି ଉପଲବ୍ଧ ହେବ। ଡ. ଜୟପ୍ରକାଶଙ୍କ ଏଭଳି କାର୍ଯ୍ୟଲାଗି ବିଶ୍ୱବିଦ୍ୟାଳୟ ପରିଚାଳନା ଟିମ୍ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି।