ମୁମ୍ବାଇ: ‘କୌନ ବନେଗା କରୋଡପତି’ର ନୂଆ ସିଜିନ୍କୁ ନେଇ ଚର୍ଚ୍ଚାରେ ରହିଥିବା ବିଗ ବି ଏବେ ନିଜର ସ୍ବାସ୍ଥ୍ୟାବସ୍ଥାକୁ ନେଇ ସଂଘର୍ଷ କରୁଛନ୍ତି। ସବୁବେଳେ ଫିଟ୍ ଓ ଆକ୍ଟିଭ୍ ଦେଖାଯାଉଥିବା ୭୬ ବର୍ଷୀୟ ଅଭିନେତା ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ଜୀବନର ପ୍ରତ୍ୟେକ କଥାକୁ ଶେୟାର କରିଥାନ୍ତି। ନିକଟରେ ଏକ କାର୍ଯ୍ୟକ୍ରମରେ ତାଙ୍କ ଲିଭରର ୭୫ ପ୍ରତିଶତ କାର୍ଯ୍ୟ କରୁ ନ ଥିବା ବେଳେ ବାକି୨୫ ପ୍ରତିଶତ ଭରସାରେ ଜୀବନ ବିତାଉଥିବା ନେଇ କହିଛନ୍ତି। ଏଥିସହ ନିଜ ସ୍ବାସ୍ଥ୍ୟାବସ୍ଥା ଉପରେ ଆଲୋଚନା କରିବା ସହ ଲୋକମାନେ ନିଜର ରେଗୁଲାର ଚେକ୍ଅପ୍ କରିବା ଉଚିତ୍ ବୋଲି ସେ କହିଛନ୍ତି। ଅମିତାଭ ଟ୍ୟୁବରକ୍ଲୋସିସ୍ ସହ ବହୁ ରୋଗରେ ପୀଡିତ ଅଛନ୍ତି। ସେ କହିଛନ୍ତି, ଯଦି ଏହି ରୋଗ ବିଷୟରେ ସମୟ ଥିବା ବେଳେ ଜଣାପଡ଼ିଥାନ୍ତା ତେବେ ତାହାର ଚିକିତ୍ସା ସମ୍ଭବପର ହୋଇଥାନ୍ତା। ହେଲେ ଏହା ସତ୍ତ୍ୱେ ବି ତାଙ୍କର ମନୋବଳ ଭାଙ୍ଗି ନ ଥିବା ବେଳେ ସେ ଏବେ ବି ନିଜର ଫିଟନେସ୍କୁ ନେଇ ସଜାଗ ରହିଛନ୍ତି। ପ୍ରତିଦିନ ବ୍ୟାୟାମ କରିବା ସହ ଖାଦ୍ୟପାନୀୟର ମଧ୍ୟ ଧ୍ୟାନ ରଖିଥାନ୍ତି ବୋଲି ଅମିତାଭ କହିଛନ୍ତି।