ଭାପୁର,୧୦ା୮(ଡି.ଏନ.ଏ.): ଖଣ୍ଡପଡା ସବ୍ଜେଲରେ ବନ୍ଦୀ ଜୀବନ କାଟୁଥିବା ଜଣେ କଏଦୀ ଶୁକ୍ରବାର କୋର୍ଟ ଆସିଥିବାବେଳେ ତୃତୀୟଥର ପାଇଁ ଫେରାର ହୋଇଯାଇଛନ୍ତି। ସେ ହେଲେ ତପନ କୁମାର ରାଉତ (୨୭)। ନୟାଗଡ଼ ଜିଲା ଫତେଗଡ଼ ଥାନା କରବର ଗ୍ରାମର ତପନ ଏକ ବଳାତ୍କାର ମାମଲାରେ ଗିରଫ କରି ଖଣ୍ଡପଡ଼ା ସବ୍ଜେଲରେ କଏଦୀ ଭାବେ ରହୁଥିଲେ। ପ୍ରଥମଥର ପାଇଁ ଗତ ଜୁନ୍ ୧୦ତାରିଖରେ ସେ ଚତୁରତାର ସହ ଜେଲରୁ ଚମ୍ପଟ ମାରିଥିଲେ। ପରେ ପୋଲିସ ତାଙ୍କୁ କାବୁ କରି ଜେଲ ହାଜତକୁ ଆଣିଥିଲା। ପରବର୍ତ୍ତୀ ସମୟରେ ଚଳିତମାସ ୩ତାରିଖରେ ସେ ପୁଣିଥରେ ଜେଲରୁ ଖସିଯାଇଥିଲେ। ପୋଲିସ ଗତ ୫ତାରିଖରେ ତାଙ୍କୁ କଟକ ଜିଲା ବୈଦେଶ୍ୱର ଥାନା କାଳିଗିରି-ଅଳସୁଆ ନିକଟରୁ ଗିରଫ କରି ଜେଲକୁ ଆଣିଥିଲା। ଶୁକ୍ରବାର କେସ୍ର ତାରିଖ ଥିବାରୁ ତପନଙ୍କୁ ଖଣ୍ଡପଡ଼ା ଜେଲରୁ ଭାପୁର ଜେଏମ୍ଏଫ୍ସି କୋର୍ଟକୁ ଅଣାଯାଇଥିଲା। ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବା ପରେ ଜେଲ ହାଜତକୁ ଫେରାଇନେବା ପାଇଁ ତାଙ୍କୁ କୋର୍ଟ ବାହାରେ ଥିବା ପୋଲିସ ଗାଡ଼ି ନିକଟକୁ ଅଣାଯାଉଥିଲା। ମାତ୍ର ସେଠାରେ ସୁରକ୍ଷା ଦାୟିତ୍ୱରେ ଥିବା ଜଣେ ମହିଳା କନଷ୍ଟେବଳଙ୍କୁ ଠେଲି ଦେଇ ସେ ଫେରାର ହୋଇଯାଇଛନ୍ତି।