ନୂଆଦିଲ୍ଲୀ,୫ା୫(ପି.ଟି.): କରୋନା ସଂକ୍ରମଣ ରୋକିବାକୁ ଅନ୍ତର୍ଜାତୀୟ ବିମାନ ଚଳାଚଳ ବନ୍ଦ ରହିଥିବାରୁ ବିଭିନ୍ନ ଦେଶରେ ହଜାର ହଜାର ଭାରତୀୟ ଅଟକି ରହିଛନ୍ତି। ସେମାନଙ୍କୁ ଫେରାଇ ଆଣିବା ଲାଗି ମେ’ ୭ରୁ ବଡ଼ ଅଭିଯାନ ଆରମ୍ଭ ହେବ ବୋଲି ସୋମବାର ସରକାର ଘୋଷଣା କରିଛନ୍ତି। ପ୍ରଥମେ ଉପସାଗରୀୟ ଦେଶରୁ ଭାରତୀୟ ଫେରିବେ। ସେଠାରେ ୭୦ ପ୍ରତିଶତ ପ୍ରବାସୀ ହେଉଛନ୍ତି ଭାରତୀୟ। ପ୍ରଥମ ପର୍ଯ୍ୟାୟରେ ୧୯ ଲକ୍ଷ ଫେରିବେ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏଥିପାଇଁ କେବଳ ବିମାନ ବ୍ୟବହାର କରାଯିବନି, ନୌସେନା ଯୁଦ୍ଧଜାହାଜକୁ ମଧ୍ୟ ନିୟୋଜିତ କରାଯିବ। ଯାତ୍ରୀମାନେ ପହଞ୍ଚତ୍ବା ପରେ ସେମାନଙ୍କୁ ହସ୍ପିଟାଲ କିମ୍ବା କ୍ୱାରାଣ୍ଟାଇନ୍ କେନ୍ଦ୍ରରେ ୧୪ ଦିନ ରଖାଯିବ। ୧୪ ଦିନ ପରେ ସେମାନଙ୍କର କୋଭିଡ୍-୧୯ ପରୀକ୍ଷା ହେବ। ଭାରତର ଅନୁରୋଧକୁ ୟୁଏଇ ଏବଂ କୁଏଟ୍ ସରକାର ଗ୍ରହଣ କରିଛନ୍ତି। ଏହାବ୍ୟତୀତ ବ୍ରିଟେନ୍, କାନାଡା, ଆମେରିକା, ରୁଷିଆ, ଫିଲିପାଇନ୍ସ ଓ ସିଙ୍ଗାପୁରରେ ଥିବା ହଜାର ହଜାର ଛାତ୍ରୀଛାତ୍ରଙ୍କୁ ଫେରାଇ ଅଣାଯିବ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।