ବାଲିଆପାଳ, ୨୪ା୯(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ସମେତ ଗ୍ରାମାଞ୍ଚଳରେ ଛତୁ ଫୁଟିଲା ଭଳି ବିନା ଲାଇସେନ୍ସରେ ଏବେ କରତକଳମାନ ଚାଲୁଛି। ଫଳରେ ଗ୍ରାମ୍ୟଜଙ୍ଗଲ ଦିନକୁ ଦିନ ଧ୍ୱଂସ ହେବା ସହ ସମୁଦ୍ରକୂଳ ଝାଉଁ ଜଙ୍ଗଲ ଶେଷ ହେବାକୁ ବସିଲାଣି। କରତକଳଗୁଡିକୁ ବନ୍ଦ ରଖିବା ନିମନ୍ତେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କଡ଼ା ନିର୍ଦ୍ଦେଶ ଦେଇଥିଲେ। ଅସାଧୁ କାଠ ମାଫିଆ ଓ କରତକଳ ମାଲିକମାନେ ବନ ବିଭାଗ କର୍ମଚାରୀଙ୍କ ସହିତ ସଲାସୁତୁରା କରି ସ୍ପଷ୍ଟ ଦିବାଲୋକରେ କରତକଳ ଚଳାଇଛନ୍ତି। ଏଥିଯୋଗୁ ଆଇନର ଖୋଲାଖୋଲି ଉଲ୍ଲଂଘନ ହେଉଥିଲେ ମଧ୍ୟ ପ୍ରଶାସନ ନୀରବ ରହିବା ଉଦ୍ବେଗର କାରଣ ହୋଇଛି।
ପୂର୍ବରୁ ବାଲିଆପାଳ ବ୍ଲକର ସୁବର୍ଣ୍ଣରେଖା ନଦୀ ଅବବାହିକା ଓ ବଙ୍ଗୋପସାଗର କୂଳ ସରକାରୀ ଗ୍ରାମ୍ୟ ଜଙ୍ଗଲ, ରକ୍ଷିତ ଜଙ୍ଗଲ, ଗୋଚର, ଅନାବାଦୀ ଜାଗାମାନଙ୍କରେ ସରିସା, ଆମ୍ବ, ଜାମୁ, ଅର୍ଜୁନ, ନିଦ୍ରାବତୀ, ନିମ୍ବ, ପଣସ, ଶିମିଳି ଆଦି ଗଛ ଭରପୂର ହୋଇ ରହିଥିଲା। ଗରିବ ଲୋକେ ଜଙ୍ଗଲରୁ ଶୁଖିଲା ଜାଳେଣି କାଠ ସଂଗ୍ରହ କରି ରୋଷେଇ ବାସ କରୁଥିଲେ। ତାହାଛଡା ଉତ୍ସବ ଆଦି ସାର୍ବଜନୀନ କାର୍ଯ୍ୟରେ ଜଙ୍ଗଲ କାଠକୁ ବ୍ୟବହାର କରୁଥିଲେ। ମାତ୍ର ଦୀର୍ଘ କେତେବର୍ଷ ହେବ ବାଲିଆପାଳ ବ୍ଲକର କାଳିପଦା, ସିମୁଳିଆ, ଦାନ୍ତୁଣିଦା, ବ୍ଲକ ଛକ, ଲଙ୍ଗଳେଶ୍ୱର, ମାନ୍ଧାତାବଜାର, ପଞ୍ଚୁପାଲି ଆଦି ସ୍ଥାନରେ ବେଆଇନ ଭାବେ କରତକଳ ଗଢିଉଠିବାରୁ ଗ୍ରାମ୍ୟ ଜଙ୍ଗଲ ଏବେ ଧ୍ୱଂସ ହୋଇଚାଲିଛି। କାଠ ମାଫିଆ ଓ କରତକଳ ମାଲିକମାନେ ଚୋରାରେ ଦୈନନ୍ଦିନ ଟ୍ରକ ଓ ଟ୍ରାକ୍ଟର ଯୋଗେ ପଡ଼ୋଶୀ ପଶ୍ଚିମବଙ୍ଗକୁ ଚାଲାଣ କରୁଛନ୍ତି। ସୁବର୍ଣ୍ଣରେଖା ଦ୍ୱିତୀୟ ସେତୁ, ପନ୍ତେଇ ଫେରିଘାଟ, ବଙ୍ଗୋପସାଗର ଡଗରା ଚୌମୁଖ ଦେଇ ଏହି ଚୋରାକାଠ ଯାଉଛି। ସ୍ଥାନୀୟ ପୋଲିସ କରତକଳ ମାଲିକଙ୍କୁ ଏଭଳି ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ହୋଇଛି। ସାମାଜିକ ବନୀକରଣ ଯୋଜନାରେ ଯେଉଁ ଜଙ୍ଗଲ ସୃଷ୍ଟି କରାଯାଇଛି, କାଠ ମାଫିଆମାନେ ସମ୍ପୃକ୍ତ ଅଞ୍ଚଳର ମୁଷ୍ଟିମେୟ ଲୋକଙ୍କୁ ହାତ କରି ଜଙ୍ଗଲରୁ ଝାଉଁ, ଆକାଶିଆ, ଶାଗୁଆନ, ଶିଶୁ ପଟାସ ଆଦି ମୂଲ୍ୟବାନ କାଠକୁ କାଟି ଚୋରାରେ ବାହାରକୁ ପଠାଉଛନ୍ତି। ଏନେଇ ବାଲେଶ୍ୱର ଡିଏଫ୍ଓଙ୍କୁ ଯୋଗାଯୋଗ କରିବାରୁ ଆଇନ ଉଲ୍ଲଂଘନ ହେଉ ନ ଥିବା କହିଛନ୍ତି।