ଦାଶରଥି ଶତପଥୀ
ଜନ୍ମ ଓ ମୃତ୍ୟୁ ମଧ୍ୟରେ ଥିବା ସମୟ ହିଁ ଜୀବନ। ଆପଣା ପାଇଁ ବଞ୍ଚିରହିଥାଏ ସାଧାରଣ ମଣିଷ, ହେଲେ ଜନସାଧାରଣଙ୍କ ପାଇଁ ବଞ୍ଚି ରହିଥାଏ ମହାପୁରୁଷ, ଦେଶରେ କୋଟି କୋଟି ଲୋକ ଜନ୍ମ ହେଉଛନ୍ତି ଏବଂ ମୃତ୍ୟୁ ବି ଲଭୁଛନ୍ତି। ସମସ୍ତଙ୍କୁ ମନେ ରଖିହୁଏନା। କିନ୍ତୁ କେତେ ଲୋକ ଅଛନ୍ତି ଯେଉଁମାନେ ସଂସାରରୁ ବିଦାୟ ନେଇ ମଧ୍ୟ ତାଙ୍କର କାର୍ଯ୍ୟକଳାପ ପାଇଁ ଅମର ହୋଇ ରହିଯାଇଛନ୍ତି। ସେହିପରି ଜଣେ ଯୋଗଜନ୍ମା ବିପ୍ଳବୀ ଜନନାୟକ, ସାମ୍ୟବାଦୀ ଦର୍ଶନର ରୂପକାର, କୃଷକ, ଗରିବ, ଖଟିଖିଆ, ଅବହେଳିତ, ନିଷ୍ପେଷିତ ଜନତାର ସୁଖଦୁଃଖର ସାଥୀ, ସଚ୍ଚା ଦେଶସେବକ, ସରଳ ଓ ନିରହଙ୍କାର ମଣିଷ ହେଉଛନ୍ତି ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀ।
ଅବିଭକ୍ତ କଟକ ଜିଲାର (ବର୍ତ୍ତମାନ ଜଗତ୍ସିଂହପୁର ଜିଲା) ଖେରସ ଗାଁର ଏକ ଜମିଦାର ପରିବାରରେ ଜନ୍ମଗ୍ରହଣ କରିଥିଲେ ହେଁ ବାଲ୍ୟକାଳରୁ ତାଙ୍କର ଦେଶପ୍ରେମ ଓ ସମାଜସେବା ମନୋବୃତ୍ତିର ସୁରାକ ମିଳିଥିଲା।
କଟକର ପ୍ୟାରୀମୋହନ ଏକାଡ଼େମୀରୁ ସ୍କୁଲ ଶିକ୍ଷା ପରେ ରେଭେନ୍ଶା କଲେଜରେ ଆଇଏ ପାସ୍ କରି ବିଏ ପଢ଼ିବା ବେଳେ ୧୯୨୧ରେ ପାଠପଢ଼ା ଛାଡ଼ି ଗାନ୍ଧିଜୀଙ୍କ ଅସହଯୋଗ ଆନ୍ଦୋଳନରେ ଯୋଗ ଦେଇ ଦୁଇବର୍ଷ ଜେଲ୍ରେ ରହି ଖଲାସ ହେବା ପରେ ୧୯୨୩ରେ ଶାନ୍ତିନିକେତନ ଗଲେ ଉଚ୍ଚଶିକ୍ଷା ପାଇଁ। ସେଠାରେ ମାଳତୀଦେବୀଙ୍କୁ ବିବାହ କଲେ ଓ ପରେ ପରେ ବଡ଼ଭାଇ ଗୋପବନ୍ଧୁ ଚୌଧୁରୀ ଓ ଭାଉଜ ରମାଦେବୀଙ୍କ ପ୍ରେରଣାରେ ସପତ୍ନୀକ ଗାନ୍ଧିଜୀଙ୍କ ସାବରମତୀ ଆଶ୍ରମରେ ଦୁଇବର୍ଷ ଶିକ୍ଷାଲାଭ କରି ନିଜ ଗାଁ ଖେରସକୁ ଫେରିବା ଭିତରେ ତାଙ୍କ ଜୀବନଶୈଳୀରେ ଏପରି ପରିବର୍ତ୍ତନ ଆସିଥିଲା, ଯାହାକି ତାଙ୍କୁ ଜଣେ ଆଦର୍ଶବାଦୀ, ସଚ୍ଚୋଟ ରାଜନେତା ଓ ସ୍ବାଧୀନତାସଂଗ୍ରାମୀ ଭାବେ ପରିଣତ କରିଥିଲା।
ଗାଁରେ ଥିବା ଭୂମିହୀନ ଗରିବ ଚାଷୀମୂଲିଆ ଓ ଅସଂଗଠିତ ଖଟିଖିଆ ଶ୍ରମିକଙ୍କ ପ୍ରତି ତାଙ୍କର ଥିଲା ଅଗାଧ ଦରଦ। ଏକ ସଂଭ୍ରାନ୍ତ, ଧନାଢ଼୍ୟ ଜମିଦାର ପରିବାରର ସଦସ୍ୟ ହୋଇ ସୁଦ୍ଧା ସମସ୍ତ ବିଳାସବ୍ୟସନ ପରିହାରପୂର୍ବକ ଅବହେଳିତ ନିଷ୍ପେଷିତ ଜନତାଙ୍କ ସହ ମିଶି ନିଜକୁ ସମର୍ପିତ ପରି ଧନୀ, ଜମିଦାର, ଶୋଷକଙ୍କ ବିରୋଧରେ ସେମାନଙ୍କୁ ସଂଗଠିତ କରୁଥିଲେ।
୧୯୩୦ରେ ଲବଣ ସତ୍ୟାଗ୍ରହ, ୧୯୪୦ରେ ବ୍ୟକ୍ତିଗତ ସତ୍ୟାଗ୍ରହ ଓ ୧୯୪୨ରେ ଭାରତଛାଡ଼ ଆନ୍ଦୋଳନରେ ଯୋଗ ଦେଇ କାରାବରଣ କରିଥିଲେ। ସ୍ବତନ୍ତ୍ର ଓଡ଼ିଶାର ଆସେମ୍ବ୍ଲି ପାଇଁ ୧୯୩୬, ୧୯୪୬ ମସିହାରେ ଓ ସ୍ବାଧୀନତା ପରେ ୧୯୫୬ରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୩୮ରେ ସାରଙ୍ଗଧର ଦାସଙ୍କ ସହ ମିଶି ଅତ୍ୟାଚାରୀ ଶାସକମାନଙ୍କ ବିରୋଧରେ ଗଡ଼ଜାତ ପ୍ରଜାମଣ୍ଡଳର ନେତୃତ୍ୱ ନେଇ ଢେଙ୍କାନାଳରେ (ବର୍ତ୍ତମାନ ଅନୁଗୋଳରେ) ବାଜିରାଉତ ଛାତ୍ରାବାସ ପ୍ରତିଷ୍ଠା କଲେ।
୧୯୪୬ରେ ଡ. ମହତାବଙ୍କ ମନ୍ତ୍ରିମଣ୍ଡଳରେ ରାଜସ୍ବ, ଯୋଗାଣ ଓ ପରିବହନ ମନ୍ତ୍ରୀ ଭାବେ ଯୋଗଦେଇ ଓଡ଼ିଶାରେ ଯାତ୍ରୀ ପରିବହନ ବ୍ୟବସ୍ଥାର ଜାତୀୟକରଣ କରାଇଥିଲେ। ୧୯୪୭ ସ୍ବାଧୀନତା ପରେ ଓଡ଼ିଶା ରାଜନୀତିରେ ଏକ ଐତିହାସିକ ପରିବର୍ତ୍ତନ ହେଲା। କେନ୍ଦ୍ରରେ ନେହେରୁଙ୍କ ମନ୍ତ୍ରିମଣ୍ଡଳରେ ଡ. ମହତାବ ଯୋଗ ଦେବା ପରେ ୧୯୫୦ରେ ନବକୃଷ୍ଣ ଚୌଧୁରୀ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ନେଲେ ଓ ପରେ ୧୯୫୨ ପ୍ରଥମ ସାଧାରଣ ନିର୍ବାଚନରେ ତାଙ୍କ ନେତୃତ୍ୱରେ ଓଡ଼ିଶାରେ (ସ୍ବାଧୀନତା ପରେ ପ୍ରଥମ ନିର୍ବାଚନରେ) ମନ୍ତ୍ରିମଣ୍ଡଳ ଗଢ଼ା ହେଲା। ୧୯୫୦ରୁ ୧୯୫୬ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଥିବାବେଳେ ସର୍ବୋଦୟ ଓ ଭୂଦାନ ଆନ୍ଦୋଳନର ମୁଖ୍ୟ ସନ୍ଥ ବିନୋବାଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ମାନବ ସେବା ହିଁ ମାଧବ ସେବାକୁ ପ୍ରଥମ କର୍ତ୍ତବ୍ୟ ରୂପେ ବାଛି ନେଇ ଗରିବ, ଭୂମିହୀନ ଓ ପଛୁଆ ବର୍ଗର ଲୋକଙ୍କ ମୌଳିକ ଆବଶ୍ୟକତା ଉପଲବ୍ଧି କରି ତାଙ୍କରି ସେବାରେ ମନୋନିବେଶ କଲେ।
ତାଙ୍କ ମୁଖ୍ୟମନ୍ତ୍ରିତ୍ୱ ସମୟରେ ସେ କେତେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ ଯାହା ଆଜି ସ୍ମରଣୀୟ- ୧. ଓଡ଼ିଶାରେ ଜମିଦାରୀ ପ୍ରଥା ଉଚ୍ଛେଦ, ୨. ଓଡ଼ିଶା ଭାଗଚାଷ ଆଇନ, ୩. ଭୂସଂସ୍କାର ପାଇଁ ପ୍ରାଥମିକ ବ୍ୟବସ୍ଥା, ୪. ଓଡ଼ିଶା ଅଞ୍ଚଳ ଶାସନ ଆଇନ ଓ ୫. ୧୯୫୨ରେ ଓଡ଼ିଶା ଅଫିସିଆଲ ଲାଙ୍ଗୁଏଜେସ୍ ଆକ୍ଟ, ଯହିଁରେ ଓଡ଼ିଆକୁ ସରକାରୀ ଭାଷା ଭାବେ ଘୋଷଣା କରାଗଲା, ଯାହାକୁ ସରକାର ପାଳନ କରିଆସୁଛନ୍ତି। ଏବକାର ରାଜ୍ୟ ସରକାରଙ୍କ ସମୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠା, ଓରିସାରୁ ଓଡ଼ିଶା ନାମକରଣ, ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ଓ ସରକାରୀ ଭାଷା ଭାବେ ବ୍ୟବହାର ସହିତ ‘ବନ୍ଦେ ଉତ୍କଳ ଜନନୀ’କୁ ରାଜ୍ୟ ସଙ୍ଗୀତ ମାନ୍ୟତା ଦିଆଯାଇଛି।
ନବକୃଷ୍ଣ ଚୌଧୁରୀ ସତ୍ୟ, ଅହିଂସାକୁ ନୀତି ହିସାବରେ ଗ୍ରହଣ କରିଥିଲେ ହେଁ ଅନୀତି, ଅତ୍ୟାଚାର, ଶୋଷଣ ଦେଖିଲେ ବିପ୍ଳବରେ ଜଳି ଉଠୁଥିଲେ। ୧୯୭୫ ମସିହା ଏମରଜେନ୍ସି ବିରୋଧରେ ଜୟପ୍ରକାଶଙ୍କ ଆନ୍ଦୋଳନକୁ ସହଯୋଗ କରି ୧୬ ମାସ ପର୍ଯ୍ୟନ୍ତ ଅଟକବନ୍ଦୀ ହୋଇ ଗୁରୁତର ଅସୁସ୍ଥ ହୋଇପଡ଼ିଥିଲେ। ଜୀବନର ବିଭିନ୍ନ କ୍ଷେତ୍ରରେ ସ୍ରୋତର ପ୍ରତିକୂଳର ଝଡ଼ଝଞ୍ଜା ଭିତରେ ରାଜ୍ୟର ହିତ ପାଇଁ ସମସ୍ତ ପ୍ରକାର କର୍ତ୍ତବ୍ୟ ସୁଚାରୁ ରୂପେ ସମ୍ପାଦନ କରି ୧୯୮୪ ଜୁନ୍ ୨୪ ତାରିଖରେ ଧରାପୃଷ୍ଠରୁ ବିଦାୟ ନେଇଥିଲେ।
ଏହି ବିପ୍ଳବୀ ଜନନାୟକଙ୍କର ପ୍ରକୃତ ସ୍ବରୂପ ଗୋଟିଏ ମାତ୍ର ବାକ୍ୟରେ କୁହାଯାଇପାରେ ସେ ଜଣେ ରାଷ୍ଟ୍ରନୀତିଜ୍ଞ, ଗଣତନ୍ତ୍ରବାଦୀ, ସଚ୍ଚା ଦେଶ ସେବକ। ତାଙ୍କର ତ୍ୟାଗ, ଉଚ୍ଚ ଚିନ୍ତାଧାରା ଓ ମାନବିକତାର ଦୀପ୍ତ ଆଲୋକଶିଖା ଓଡ଼ିଶାବାସୀଙ୍କୁ ଗଭୀର ଅନ୍ଧକାର ମଧ୍ୟରେ ଆଲୋକର ସନ୍ଧାନ ଦେଇ ପଥ ପ୍ରଦର୍ଶନ କରି ଚାଲୁଥିବ।
ସଚିବ, ଓଡ଼ିଶା ବିଧାନସଭା