ନୂଆଦିଲ୍ଲୀ,୨୮-୭: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ଗଭର୍ନର ଶକ୍ତିକାନ୍ତ ଦାସ ବିଶ୍ୱ ଅର୍ଥନୀତିକୁ ନେଇ ନିଜର ମତପୋଷଣ କରିଛନ୍ତି। ଭି.ଶ୍ରୀନିବାସଙ୍କ ଦ୍ୱାରା ଲିଖିତ ‘ଇଣ୍ଡିଆଜ ରିଲେଶନ୍ସ ଓ୍ବିଥ୍ ଇଣ୍ଟରନ୍ୟାଶନାଲ ମନିଟାରୀ ଫଣ୍ଡ’ ଶୀର୍ଷକ ଏକ ପୁସ୍ତକର ଉନ୍ମୋଚନ ଉତ୍ସବରେ ଯୋଗ ଦେଇ ସେ କହିଛନ୍ତି ଯେ, ବର୍ତ୍ତମାନ ସମୟରେ ବିଶ୍ୱ ଅର୍ଥନୀତି ଏକ ନୂଆ ତଥା ଅନିଶ୍ଚିତତା ଆଡକୁ ଠେଲି ହୋଇଯାଉଛି। ଏହି କାରଣରୁ ସମସ୍ୟାର ସମାଧାନ ହେବା କଠିନ ହୋଇଯିବ। ସେ କହିଛନ୍ତି ଯେ, ମୁକାବିଲା ମନୋଭାବ ବୃଦ୍ଧି ପାଇବା ଯୋଗୁ ଏବଂ ସୀମିତ ନୀତି ନିର୍ଦ୍ଧାରଣ ଭିତରେ ବିଶ୍ୱ ଏବେ ଉତ୍ତେଜନାପୂର୍ଣ୍ଣ ସମାଧାନ ନେଇ ଅନିଶ୍ଚିତତା ମଧ୍ୟକୁ ଗତି କରୁଛି। ବିକଶିତ ରାଷ୍ଟ୍ରଙ୍କ ମୋଟ ଋଣ ଜିଡିପିର ୧୦୦ ପ୍ରତିଶତ ଟପିଯାଇଛି। ବହୁ ବିକଶିତ ତଥା ବିକାଶଶୀଳ ଦେଶର ଅର୍ଥନୀତି ସଙ୍କୁଚିତ ହେବାରେ ଲାଗିଛି ବୋଲି ଗଭର୍ନର ଦାସ କହିଛନ୍ତି।