ନୂଆଦିଲ୍ଲୀ,୯।୬: ସଂଶୋଧିତ ମୋଟର ଯାନ ନିୟମ ଅନୁଯାୟୀ ସମସ୍ତ କାଗଜ ପତ୍ରର ସମୟ ସୀମା ଅବଧିକୁ ଏବେ ବୃଦ୍ଧି କରାଯାଇଛି। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରି କହିଛନ୍ତି ଆସନ୍ତା ସେପ୍ଟେମ୍ବର ପର୍ଯ୍ୟନ୍ତ ଏହି ସମୟ ସୀମାକୁ ବୃଦ୍ଧି କରାଗଲା। ଡ୍ରାଇଭିଂ ଲାଇସେନ୍ସ ସହ ସମସ୍ତ କାଗଜପତ୍ର ଯେମିତିକି ଫିଟନେସ, ପଞ୍ଜିକରଣ ଆଦିର ସମୟ ସୀମାକୁ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ତେବେ ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହା କରାଯାଇଥିବା କୁହାଯାଉଛି। ସୂଚନାଯୋଗ୍ୟ, ପ୍ରଥମେ ଏହା ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ବେଳେ ଏହାକୁ ପୁଣିଥରେ ଜୁନ୍ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏବେ ତୃତୀୟଥର ଲାଗି ଏହାକୁ ପୁଣିଥରେ ବୃଦ୍ଧି କରାଯାଇଛି।