ସିଡ୍ନୀ,୨୭।୧୧(ଏଏଫ୍ପି): ପୂର୍ବତନ ଟି୨୦ ଦଳର ଅଧିନାୟକ ଜର୍ଜ ବେଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ)ର ଚୟନକର୍ତ୍ତା ପଦରେ ବୁଧବାର ନିଯୁକ୍ତ ହୋଇଛନ୍ତି। ସେ ୩ ଜଣିଆ ଜାତୀୟ ଚୟନ କମିଟିରେ ଅବସରପ୍ରାପ୍ତ ଗ୍ରେଗ ଚାପେଲଙ୍କ ସ୍ଥାନ ନେଇଛନ୍ତି। ଟ୍ରେଭର ହୋନ୍ସଙ୍କ ଅଧ୍ୟକ୍ଷତାରେ ଚୟନ କମିଟିରେ ଅଛନ୍ତି ମୁଖ୍ୟ କୋଚ୍ ଜଷ୍ଟିନ ଲାଙ୍ଗର। ଜଣେ ଖେଳାଳି ଭାବେ ଅଷ୍ଟ୍ରେଲିଆ କ୍ରିକେଟରେ ଯୋଗଦାନ କରିପାରିଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେକରୁଛି। ଏବେ ଚୟନକର୍ତ୍ତା ପଦବୀରେ କାର୍ଯ୍ୟ କରିବାକୁ ସୁଯୋଗ ମିଳିବା, ମୋ ପାଇଁ ସମ୍ମାନର ବିଷୟ ବୋଲି ବେଲି କହିଛନ୍ତି। ୩୭ ବର୍ଷୀୟ ବେଲି ୫ ଟେଷ୍ଟ ସହ ୯୦ ଦିନିକିଆ ଓ ୩୦ ଟି୨୦ ଖେଳିଛନ୍ତି। ସେ ଟାସମାନିଆ ଓ ମେଲବୋନର୍ସ ଷ୍ଟାର ପାଇଁ ଖେଳୁଛନ୍ତି। ପ୍ରଥମ ଶ୍ରେଣୀ କ୍ରିକେଟରେ ବର୍ତ୍ତମାନ ସେ ୧୦ ହଜାର ରନ୍ ପୂରଣ କରିବାଠାରୁ ମାତ୍ର ୧୨ ରନ୍ ଦୂରରେ ରହିଛନ୍ତି।