ଏକଦା ହାତୀକୁ ନେଇ ଗର୍ବ କରୁଥିଲା ଢେଙ୍କାନାଳ। ହେଲେ ଏବେ ହାତୀ-ମଣିଷ ସଂଘର୍ଷ ପାଇଁ ଜାତୀୟସ୍ତରରେ ନିନ୍ଦିତ ହେଉଛି ଏହି ଜିଲା। ବର୍ଷତମାମ ହାତୀ ଉପଦ୍ରବ ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଥିବାବେଳେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥିବା କପିଳାସ ଚିଡ଼ିଆଖାନାରେ ଏକ ନରହନ୍ତା ଦନ୍ତାକୁ ଆଣି ରଖାଯିବା ନୂଆ ଅଡୁଆ ସୃଷ୍ଟି କରିଛି। ଭିତ୍ତିଭୂମି ଅଭାବ, ଆନୁଷଙ୍ଗିକ ବ୍ୟବସ୍ଥା ନ ଥିବା ସତ୍ତ୍ୱେ ହିଂସ୍ର ହାତୀକୁ ଆଣି ରଖାଯିବାକୁ ନାପସନ୍ଦ କରିଛନ୍ତି ବୁଦ୍ଧିଜୀବୀ ଏବଂ ପରିବେଶବିତ୍ ା କପିଳାସ ଜୁ’ରେ ରଖାଯାଇଥିବା ଦନ୍ତାର ପ୍ରବୃତ୍ତି ବେଶ୍ ହିଂସ୍ର। ତାଳଚେର-ପରଜଙ୍ଗ ସୀମାନ୍ତ ଅଞ୍ଚଳରେ ଦୀର୍ଘଦିନ ଧରି ଆତଙ୍କ ସୃଷ୍ଟି କରିଥିବା ଏହି ହାତୀ ନେଇଛି ୧୩ ଜୀବନ। ଏହାପରେ ଦନ୍ତାକୁ ଟ୍ରାଙ୍କୁଲାଇଜ କରି କପିଳାସ ଚିଡ଼ିଆଖାନା ପରିସରରେ ଥିବା ହାତୀ ରେସ୍କ୍ୟୁ ସେଣ୍ଟରରେ ରଖାଯାଇଛି। କପିଳାସ ରେଞ୍ଜ୍ କର୍ତ୍ତୃପକ୍ଷଙ୍କ ହାତରେ କପିଳାସ ଜୁ’ ପରିଚାଳନା ଦାୟିତ୍ୱ ରହିଛି। କେନ୍ଦ୍ର ସରକାରଙ୍କ ଜୁ’ ଅଥରିଟି ଅଫ୍ ଇଣ୍ଡିଆର ବାରମ୍ବାର ତାଗିଦ୍ ସତ୍ତ୍ୱେ ଏହାକୁ ସ୍ବତନ୍ତ୍ର କରାଯାଉନାହିଁ। ଏପରି କି ସ୍ବତନ୍ତ୍ର ଭାବେ ଦାୟିତ୍ୱ ପରିଚାଳନା କରା ନ ଗଲେ ଚିଡ଼ିଆଖାନାର ମାନ୍ୟତା ଫେରାଇ ନିଆଯିବ ବୋଲି ଜୁ’ ଅଥରିଟି ଅଫ୍ ଇଣ୍ଡିଆ ଜିଲା ବନ ବିଭାଗକୁ ଚେତାବନୀ ଦେଇସାରିଛି। ଏହାକୁ ନେଇ ବନ ବିଭାଗ ଚିନ୍ତାରେ ପଡ଼ିଥିବାବେଳେ ନୂଆ ଆସିଥିବା ଦନ୍ତାର ରକ୍ଷଣାବେକ୍ଷଣ, ଖାଦ୍ୟପେୟ, ସ୍ବାସ୍ଥ୍ୟର ଯତ୍ନ କିପରି ନିଆଯିବ ତାହା ଏବେ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଅନ୍ୟପଟେ ରେସ୍କ୍ୟୁ ସେଣ୍ଟରରେ ପୂର୍ବରୁ ୪ ହାତୀ ଅଛନ୍ତି। ସେମାନଙ୍କ ଦେଖାରଖା କରିବାକୁ ଆବଶ୍ୟକ କର୍ମଚାରୀ କି ମାହୁନ୍ତ ନାହାନ୍ତି। ଏପରି ସ୍ଥିତିରେ ହିଂସ୍ର ଦନ୍ତାକୁ ଆଣି ରଖାଯିବା ବୋଝ ଉପରେ ବୋଝ ବୋଲି ଆଲୋଚନା ହେଉଛି। ଏସବୁ ଭିତରେ ଯାଜପୁର ଦାନଗଦି ଅଞ୍ଚଳରେ ଉପଦ୍ରବ ସୃଷ୍ଟି କରିଥିବା ଅନ୍ୟ ଏକ ଦନ୍ତାକୁ କପିଳାସ ଆଣିବା ପାଇଁ ମସୁଧା କରାଯାଉଛି। ଏହା ଜଣାପଡ଼ିବା ପରେ ବନ ବିଭାଗ ଅଧିକାରୀ ଏବଂ କର୍ମଚାରୀ ମୁଣ୍ଡରେ ହାତ ଦେଇ ବସିଛନ୍ତି। ରାଜ୍ୟରେ ବାଘବଂଶ ବୃଦ୍ଧି ଲାଗି ବ୍ୟାଘ୍ର ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି। ଏଥିରେ ଅଜସ୍ର ଟଙ୍କା ଖର୍ଚ୍ଚ କରାଯାଉଛି। ହେଲେ ଜାତୀୟ ଐତିହ୍ୟ ପ୍ରାଣୀ ଘୋଷଣା କରାଯିବା ସତ୍ତ୍ୱେ ହାତୀବଂଶର ସୁରକ୍ଷା ପାଇଁ ଆଖିଦୃଶିଆ ପଦକ୍ଷେପ ନିଆଯାଉନାହିଁ। ଫଳରେ ଧୀରେ ଧୀରେ ହାତୀମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ବେଳ ଥାଉ ଥାଉ ଏ ଦିଗରେ ଚିନ୍ତା କରା ନ ଗଲେ ହାତୀ ଭଳି ବିଶାଳକାୟ ଜୀବ କେବଳ ଇତିହାସ ପୃଷ୍ଠାରେ ସୀମିତ ହୋଇ ରହିଯିବ ବୋଲି ପ୍ରାଣୀପ୍ରେମୀ ମତ ଦେଲେଣି।