ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ ‘ବୋଲେ ଚୁଡିୟାଁ’ର ମୁଖ୍ୟ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି। ପୂର୍ବରୁ ଏହି ଚରିତ୍ରରେ ମୌନୀ ରଏ ଅଭିନୟ କରିବେ ବୋଲି ଚର୍ଚ୍ଚା ହେଉଥିଲା। ଏଥିରେ ପ୍ରଥମ ଥର ପାଇଁ ତମନ୍ନାଙ୍କୁ ନଓ୍ବାଜୁଦ୍ଦିନ ସିଦ୍ଦିକ୍ଙ୍କ ସହିତ ଦେଖିବାକୁ ମିଳିବ। ଏଥିରେ ମୌନୀ ରଏଙ୍କୁ ନିଆଯିବ ନାହିଁ ବୋଲି ମେ ମାସରେ ଘୋଷଣା କରାଯାଇଥିଲା। କାରଣ ପ୍ରଯୋଜକ ଏବଂ ଅଭିନେତ୍ରୀଙ୍କ ମଧ୍ୟରେ ମତପାର୍ଥକ୍ୟ ନେଇ ମୌନୀ ଉକ୍ତ ଫିଲ୍ମରୁ ଓହରି ଯାଇଥିଲେ। ତେବେ ତମନ୍ନା କହନ୍ତି, ଉକ୍ତ ପ୍ରୋଜେକ୍ଟରେ ସେ ଅଂଶୀଦାର ହେବାକୁ ଯାଉଛନ୍ତି। ବାସ୍ତବରେ ଫିଲ୍ମର କାହାଣୀ ତାଙ୍କୁ ଆକୃଷ୍ଟ କରିଛି। ଆମ ସମାଜରେ ବର୍ତ୍ତମାନର ସମସ୍ୟାକୁ କେନ୍ଦ୍ର କରି ଫିଲ୍ମର କାହାଣୀ ଗଢ଼ିଉଠିଛି। ନିଜର ବାସ୍ତବ ଚରିତ୍ର ଅପେକ୍ଷା ଏହା ସମ୍ପୂର୍ଣ୍ଣ ବିପରୀତ ଥିବାରୁ ପ୍ରଥମଥର ପାଇଁ ଏଥିରେ ପରୀକ୍ଷାନିରୀକ୍ଷା କରିବାକୁ ପଡୁଛି ବୋଲି ସେ ପ୍ରକାଶ କରିଛନ୍ତି। ‘ବୋଲେ ଚୁଡିୟା’ଁରେ ପ୍ରଥମ କରି ନିର୍ଦ୍ଦେଶନା ଦେଉଛନ୍ତି ନଓ୍ବାଜୁଦ୍ଦିନଙ୍କ ଭାଇ ଶାମ୍ସ ନବାବ୍ ସିଦ୍ଦିକ୍। ଉଡ୍ପେକର ମୁଭିଜ୍ ବ୍ୟାନରରେ ଏହାର ମିଳିତ ପ୍ରଯୋଜନା ଦାୟିତ୍ୱରେ ଅଛନ୍ତି ରାଜେଶ ଭାଟିଆ ଏବଂ କିରନ୍ ଭାଟିଆ। ରାଜସ୍ଥାନରେ ଉକ୍ତ ଫିଲ୍ମର ଶୁଟିଂ ଖୁବ୍ଶୀଘ୍ର ଆରମ୍ଭ ହେବ।