ଯୁଧିଷ୍ଠିର ମହାରଣା
ଅଦାଲତ ଓ ବିଚାରପତିଙ୍କ ବିରୋଧରେ ଦୁଇଟି ଟୁଇଟ୍ କରି ଏକ ଅଦାଲତ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟ ଏକ ଟଙ୍କା ପ୍ରତୀକ ଜରିମାନା ଦଣ୍ଡାଦେଶ କରିଛନ୍ତି। ଆସନ୍ତା ୧୫ ତାରିଖ ସୁଦ୍ଧା ପୈଠ ନ କଲେ ତାଙ୍କୁ ତିନି ମାସ କାରାଦଣ୍ଡ ସହ ଓକିଲାତି ପେସାରୁ ତିନିବର୍ଷ ଯାଏ ବାସନ୍ଦ ରହିବା ପାଇଁ ଅଦାଲତ ରାୟ ଶୁଣାଇଛନ୍ତି। ଅନ୍ୟପଟେ ବାକ୍ ସ୍ବାଧୀନତାକୁ କୌଣସି ପରିସ୍ଥିତିରେ ସଙ୍କୁଚିତ କରିହେବନି। ତେବେ ଏହାସହ ଅନ୍ୟମାନଙ୍କ ଅଧିକାରକୁ ମଧ୍ୟ ସମ୍ମାନ ଦେବାକୁ ପଡ଼ିବ ବୋଲି ମାନ୍ୟବର ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ରାୟ ଶୁଣାଣି ଅବସରରେ କହିଛନ୍ତି। ସୂଚନାଥାଉ କି ଗଣମାଧ୍ୟମ ଓ ସାଧାରଣରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିବା ପ୍ରଶାନ୍ତ ଭୂଷଣଙ୍କ ଅଦାଲତ ଅବମାନନା ମାମଲା ଢେରଦିନ ଧରି ଆଲୋଚନା ଓ ବିଭିନ୍ନ ପ୍ରତିକ୍ରିୟା ପରେ ଶେଷରେ ଅଦାଲତଙ୍କ ଉପରୋକ୍ତ ରାୟ ଆସିଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ପରେ ପ୍ରଶାନ୍ତ ଭୂଷଣ ଏହା ଉପରେ ରିଭ୍ୟୁ ପିଟିଶନ କରିବେ ବୋଲି କହିଛନ୍ତି। ବାସ୍ତବ କଥା ହେଉଛି ଜରିମାନା ରାଶି ଟଙ୍କାଟିଏ, ଯାହା ଲକ୍ଷେ ଟଙ୍କା ମଧ୍ୟ ସମାନ। କିଛି ଆଇନବିତ୍ ଓ ସାମାଜିକକର୍ମୀ ରାଷ୍ଟ୍ରର ସର୍ବୋଚ୍ଚ କୋର୍ଟଙ୍କ ରାୟ ଉପରେ ପ୍ରଶ୍ନ ସୃଷ୍ଟି କରିବା ଜଣେ ସାଧାରଣ ଲୋକ ପକ୍ଷେ ଅନୁଚିତ ବୋଲି କହିଛନ୍ତି। ଭାରତର କିଛି ବରିଷ୍ଠ ଆଇନଜୀବୀଙ୍କ କହିବାନୁଯାୟୀ ସୁପ୍ରିମକୋର୍ଟ ଯେଉଁ ରାୟ ଶୁଣାଇଛନ୍ତି ତାହାର ଅନ୍ୟ ଏକ ଅର୍ଥ ସ୍ପଷ୍ଟ କରୁଛି କି ଯେ, କୌଣସି ଲୋକ ପ୍ରଶ୍ନ କରିପାରିବେ ନାହିଁ। ଏହି ପ୍ରସଙ୍ଗରେ ଏକ ବଡ଼ ପ୍ରଶ୍ନ ଉଠୁଛି, ଯାହା ହେଉଛି ରାଷ୍ଟ୍ରର ସର୍ବୋଚ୍ଚ ନ୍ୟାୟାଳୟ ଲୋକଙ୍କ ପ୍ରତି ଉତ୍ତରଦାୟୀ ନୁହେଁ କି? ଯଦିଓ ସୁପ୍ରିମକୋର୍ଟ ନିଜ କଠୋର ଆଭିମୁଖ୍ୟରୁ ସାମାନ୍ୟ ନରମ ପଡ଼ିଛନ୍ତି ତେବେ ଏ ପ୍ରସଙ୍ଗ କିନ୍ତୁ ଆଗକୁ ଅନେକ ବିତର୍କ ସୃଷ୍ଟି କରିବା ସ୍ବାଭାବିକ। ସମ୍ପ୍ରତି କରୋନାର ପ୍ରକୋପ ଭିତରେ ଭାରତର ସର୍ବୋଚ୍ଚ କୋର୍ଟଙ୍କ ଏକ ପ୍ରାସଙ୍ଗିକ ଘଟଣା କେବଳ ଆଇନଜୀବୀ ନୁହେଁ, ବୁଦ୍ଧିଜୀବୀ ଓ ସମସ୍ତଙ୍କର ଉତ୍କଣ୍ଠା ଓ ଆଲୋଚନାର କାରଣ ପାଲଟିଥିଲା। ବିଶିଷ୍ଟ ଓକିଲ ଓ ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣଙ୍କ ଅଦାଲତ ଅବମାନନା ଶୀର୍ଷକ ଟୁଇଟ୍ ଭାରତର ନ୍ୟାୟିକ ବ୍ୟବସ୍ଥାର ଏକ ଭିନ୍ନ ଦିଗ ଉପରେ ଚର୍ଚ୍ଚା କରିବାକୁ ବାଧ୍ୟ କରିଛି। ଏହି ପ୍ରସଙ୍ଗରେ ବିଚାରପତି ଅରୁଣ ମିଶ୍ରଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଖଣ୍ଡପୀଠ ଉପଯୁକ୍ତ ସମାଲୋଚନାକୁ କୋର୍ଟ ସ୍ବାଗତ କରୁଛି ମାତ୍ର ଏହାର ଅର୍ଥ ନୁହେଁ ଯେ, ସମାଲୋଚନା ନାମରେ କୋର୍ଟ ଓ ବିଚାରପତିଙ୍କ ଗରିମା କ୍ଷୁଣ୍ଣ କରିବା। ବିଚାରପତି ଓ ଆଇନଜୀବୀ ଗୋଟିଏ ଅନୁଷ୍ଠାନରେ କାର୍ଯ୍ୟ କରନ୍ତି ଓ ସେମାନେ ଏକତ୍ର ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ କାମ କରିବା ଉଚିତ ବୋଲି ମତବ୍ୟକ୍ତ କରିଛନ୍ତି। ପ୍ରଶାନ୍ତ ଭୂଷଣ ତାଙ୍କ ଟୁଇଟ୍କୁ ନେଇ ନିଃସର୍ତ୍ତ ଦୁଃଖ ପ୍ରକାଶ କରି ନ ଥିବାରୁ ଏହି ଘଟଣାକ୍ରମ ଜଟିଳ ଦିଗକୁ ଯାଇଥିଲା। ଭାରତର ଆଟର୍ନି ଜେନେରାଲ ଅଦାଲତ ଅବମାନନା ପ୍ରସଙ୍ଗରେ ପ୍ରଶାନ୍ତ ଭୂଷଣଙ୍କୁ ତିରସ୍କାର କରି ଛାଡ଼ି ଦିଆଯିବା ଉଚିତ ବୋଲି କହିଥିବାବେଳେ ପ୍ରଶାନ୍ତ ଭୂଷଣଙ୍କ ଓକିଲ ସୁପ୍ରିମକୋର୍ଟ ପ୍ରଶାନ୍ତ ଭୂଷଣଙ୍କୁ ଦଣ୍ଡ ନ ଦେଇ ତାଙ୍କୁ ସତର୍କ କରାଇ ଦେଇ ଛାଡ଼ିଦିଅନ୍ତୁ ବୋଲି ପୂର୍ବରୁ କହିଥିଲେ। ଅଦାଲତ ଅବମାନନା ପ୍ରସଙ୍ଗରେ ସୁପ୍ରିମକୋର୍ଟକୁ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରିବାକୁ ପ୍ରଶାନ୍ତ ଭୂଷଣ ମନା କରିବା ସହ କ୍ଷମା ମାଗିବାକୁ ତାଙ୍କ ବିବେକ ଅନୁମୋଦନ କରୁନି ଓ ଯଦି ସେ କ୍ଷମା ମାଗିବେ ଏହା ତାଙ୍କ ଅନ୍ତରାତ୍ମା ପ୍ରତି ଅବମାନନା ହେବ ବୋଲି ପ୍ରଶାନ୍ତ ଭୂଷଣ କହିଛନ୍ତି। ସେ ଯାହା ଟୁଇଟ୍ କରିଥିଲେ ତାହା ତାଙ୍କର ବାକ୍ ସ୍ବାଧୀନତା ପରିସରଭୁକ୍ତ ବୋଲି କହିବା ସହ ସୁପ୍ରିମକୋର୍ଟଙ୍କ ଗରିମା କ୍ଷୁଣ୍ଣ ହେବା ଉଦ୍ଦେଶ୍ୟରେ ସେ କୌଣସି ଟୁଇଟ୍ କରିନାହାନ୍ତି ବୋଲି ନିଜ ଦାବିରେ ଅଟଳ ରହି କହିଛନ୍ତି।
ଗତ ୨୦୧୬ ମସିହାରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମାନହାନିର ଅପରାଧୀକରଣ ବିରୋଧରେ ଆଗତ ଏକାଧିକ ଆବେଦନକୁ ଖାରଜ କରି ଭାରତୀୟ ପିଙ୍ଗଳ କୋଡର ୪୯୯ ଏବଂ ୫୦୦ ଦଫାର ସାମ୍ବିଧାନିକ ବୈଧତାକୁ କାଏମ ରଖିଥିଲେ। କଂଗ୍ରେସର ତତ୍କାଳୀନ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ଭାଜପା ନେତା ସୁବ୍ରମଣ୍ୟମ୍ ସ୍ବାମୀଙ୍କ ସମେତ ୧୯ଜଣ ଆବେଦନକାରୀଙ୍କ ଆବେଦନ ଉପରେ ଏକାଠି ବିଚାରକରି ନ୍ୟାୟମୂର୍ତ୍ତି ଦୀପକ ମିଶ୍ର ଏବଂ ନ୍ୟାୟମୂର୍ତ୍ତି ପି.ସି. ପନ୍ଥଙ୍କୁ ନେଇ ଗଠିତ ଦୁଇଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇଥିଲେ। ଭାରତରେ ଉଭୟ ଫୌଜଦାରି ଆଇନର ବ୍ୟାପକ ଆକ୍ରୋଶମୂଳକ ଅପବ୍ୟବହାର ଅଭିଯୋଗର ପୃଷ୍ଠଭୂମି ଉପରେ ଏସବୁ ଆବେଦନ ଦାଖଲ ହୋଇଥିଲା। ଆବେଦନକାରୀଙ୍କ ଯୁକ୍ତି ଥିଲା, ଆଇପିସିର ୪୯୯ ଏବଂ ୫୦୦ ଦଫାରେ ମାନହାନି ଅଭିଯୋଗରେ ଫୌଜଦାରି ମାମଲା ରୁଜୁ ପାଇଁ ରହିଥିବା ବ୍ୟବସ୍ଥା ସମ୍ବିଧାନର ୧୯(୧) ଧାରାରେ ନାଗରିକଙ୍କୁ ପ୍ରଦାନ କରାଯାଇଥିବା ବାକ୍ ସ୍ବାଧୀନତାର ବିରୋଧାଚରଣ। ମାନହାନିର ଅପରାଧୀକରଣ ଲାଗି ଆଇପିସିରେ ରହିଥିବା ବ୍ୟବସ୍ଥା ସ୍ବାଧୀନ ମତ ପ୍ରକାଶ ପାଇଁ ନାଗରିକର ମୌଳିକ ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରୁଛି। ତେଣୁ ଆଇପିସିରେ ଏହି ଦୁଇ ଦଫା ୪୯୯ ଏବଂ ୫୦୦କୁ ଅବୈଧ ତଥା ଅସାମ୍ବିଧାନିକ ଘୋଷଣା କରାଯାଉ। ତେବେ ଖଣ୍ଡପୀଠ ତାଙ୍କର ୧୬୭ ପୃଷ୍ଠାର ରାୟରେ ଆବେଦନକାରୀଙ୍କ ଯୁକ୍ତିକୁ ଅଗ୍ରାହ୍ୟ କରି ଆଇପିସିର ୪୯୯ ଏବଂ ୫୦୦ଦଫାର ସାମ୍ବିଧାନିକ ବୈଧତାକୁ କାଏମ୍ ରଖି ମନ୍ତବ୍ୟ ଦେଇଥିଲେ ଯେ, ନାଗରିକଙ୍କୁ ବାକ୍ ଓ ସ୍ବାଧୀନ ମତ ପ୍ରକାଶ ଲାଗି ଦିଆଯାଇଥିବା ଅଧିକାର ଅନ୍ୟର ସମ୍ମାନ ତଥା ପ୍ରତିଷ୍ଠାରେ ହାନି ଆଣିବା ଲାଗି ଉଦ୍ଦିଷ୍ଟ ନୁହେଁ। ନିଜ ସମ୍ମାନ କିମ୍ବା ପ୍ରତିଷ୍ଠାର ସୁରକ୍ଷା ଜଣେ ବ୍ୟକ୍ତିର ଉଭୟ ମୌଳିକ ଏବଂ ମାନବିକ ଅଧିକାର ବାକ୍ ସ୍ବାଧୀନତା ଆଳରେ ମୌଳିକ ଅଧିକାରରେ ଆଞ୍ଚ ଅଣାଯାଇ ନ ପାରେ। ଗୋଟିଏ ପକ୍ଷରେ ବ୍ୟକ୍ତିର ସମ୍ମାନ ଓ ଅନ୍ୟପକ୍ଷରେ ବ୍ୟକ୍ତିର ବାକ୍ ସ୍ବାଧୀନତା ମଧ୍ୟରେ ଭାରସାମ୍ୟ ରକ୍ଷା ଆବଶ୍ୟକ। ଏଥିପାଇଁ ସମ୍ବିଧାନର ୧୯(୨) ଧାରାରେ ଆବଶ୍ୟକ ସ୍ଥଳେ ସ୍ବାଧୀନ ମତ ପ୍ରକାଶ ଅଧିକାର ଉପରେ କଟକଣା ଲାଗୁ ସକାଶେ ବ୍ୟବସ୍ଥା ଥିବାରୁ ଆଇପିସିର ୪୯୯ ଏବଂ ୫୦୦ ଦଫା ଅସାମ୍ବିଧାନିକ ନୁହେଁ। ୨୦୧୬ ମେ ୧୩ ତାରିଖରେ ସୁପ୍ରିମକୋର୍ଟଙ୍କ ଏହି ରାୟ ଥିଲା ଦଶ ବର୍ଷ ତଳେ ସମାନ ଆଉ ଏକ ମାମଲାରେ ମାନ୍ୟବର କୋର୍ଟ ଦେଇଥିବା ରାୟର ପ୍ରାୟତଃ ଅବିକଳ ପ୍ରତିଫଳନ। ୨୦୦୬ରେ ମାନହାନିର ଅପରାଧୀକରଣ ବିରୋଧରେ ସୁବ୍ରମଣ୍ୟମ୍ ସ୍ବାମୀଙ୍କ ପକ୍ଷରୁ ଆଗତ ଆବେଦନକୁ ଖାରଜ କରି ଉଚ୍ଚତମ ନ୍ୟାୟାଳୟ ମତ ଦେଇଥିଲେ ଯେ, ବାକ୍ ସ୍ବାଧୀନତାର ବେଦିରେ ଜଣେ ବ୍ୟକ୍ତିର ସମ୍ମାନର ବଳି ଚଢ଼ାଯାଇ ପାରିବ ନାହିଁ। ଏହା ପୂର୍ବରୁ ମଧ୍ୟ ଏକାଧିକ ମାମଲାରେ ସୁପ୍ରିମକୋର୍ଟଙ୍କ ପ୍ରାୟ ସମାନ ରାୟ ଆସିଛି। ଏହାର ସରଳ ଅର୍ଥ ହେଲା ବାକ୍ ସ୍ବାଧୀନତା ବା ସ୍ବାଧୀନ ମତ ପ୍ରକାଶ ଅଧିକାର ଆଳରେ କୌଣସି ବ୍ୟକ୍ତିଙ୍କ ସମ୍ମାନର ହନନ ହୋଇ ନ ପାରେ। କିନ୍ତୁ ଠିକ୍ ବିପରୀତ ପଟେ ଜଣେ ବ୍ୟକ୍ତିର ସମ୍ମାନ ସୁରକ୍ଷା ଆଳରେ ବାକ୍ ସ୍ବାଧୀନତା ଉପରେ ଯଦି ଆଙ୍କୁଶ ଲଗାଯାଏ ତେବେ ସେ କ୍ଷେତ୍ରରେ ପ୍ରତିକାର କ’ଣ? ଜଣେ ବ୍ୟକ୍ତିର ସମ୍ମାନର ସୁରକ୍ଷା ଆଳରେ ଆଉ ଜଣେ ବ୍ୟକ୍ତିର ଅଧିକାର ସଙ୍କୁଚିତ କରାଯାଏ, ତେବେ ଅଧିକାରର ସୁରକ୍ଷା ହେବ କେମିତି? ବ୍ୟକ୍ତିଗତ ଆକ୍ରୋଶ ରଖି ଆଇନର ଅପବ୍ୟବହାରକୁ ରୋକାଯିବା ଲାଗି ଉପାୟ କ’ଣ?
ତେବେ ଏତିକି ଯଥେଷ୍ଟ ନୁହେଁ, ଆଇନର ଆକ୍ରୋଶମୂଳକ ଅପବ୍ୟବହାର, ବିଶେଷକରି ବାକ୍ ସ୍ବାଧୀନତାର କଣ୍ଠରୋଧ ଲାଗି ଏହାକୁ ଆୟୁଧ କରାଯିବା ଉପରେ ରୋକ ଲଗାଇବା ସକାଶେ ଆବଶ୍ୟକ ସୁରକ୍ଷା କବଚର ବ୍ୟବସ୍ଥା ବିଷୟ ଗୁରୁତ୍ୱର ସହ ବିଚାରର ଅପେକ୍ଷା ରଖୁଛି। ଦେୱାନୀ ଆଇନରେ ମଧ୍ୟ ମାନହାନି ମାମଲାର ବିଚାର କରି ଅଭିଯୋଗକାରୀଙ୍କ ପ୍ରତି ନ୍ୟାୟ ଓ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଅବକାଶ ଥିବାରୁ ଫୌଜଦାରି ମାନହାନି ଆଇନର ସମୀକ୍ଷା କରାଯାଇପାରେ। ବ୍ୟକ୍ତିର ସମ୍ମାନ ଓ ପ୍ରତିଷ୍ଠା ନିଶ୍ଚିତ ଭାବେ ମୂଲ୍ୟବାନ୍। ସେହିପରି ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜଣେ ବ୍ୟକ୍ତିର ସ୍ବାଧୀନ ମତ ପ୍ରକାଶ ଅଧିକାର ମଧ୍ୟ ତା’ ଠାରୁ କିଛି କମ୍ ମୂଲ୍ୟବାନ୍ ନୁହେଁ। ଉଭୟ ଅଧିକାର ମଧ୍ୟରେ ସୁସ୍ଥ ଭାରସାମ୍ୟ ଏକାନ୍ତ ଅପରିହାର୍ଯ୍ୟ। ତେବେ ପ୍ରଶାନ୍ତ ଭୂଷଣଙ୍କ ଘଟଣାକ୍ରମରୁ ଏହା ସ୍ପଷ୍ଟ ହୋଇଯାଇଛି ଯେ, ଆଇନ ବ୍ୟବସ୍ଥାରେ ଭାରସାମ୍ୟ ରହୁନାହିଁ। ଆଇନ ଅପବ୍ୟବହାରର ପର୍ଯ୍ୟାପ୍ତ ସୁଯୋଗ ରହିଥିବାରୁ ଭାରସାମ୍ୟ ବିଗିଡ଼ି ଯାଉଛି ଏବଂ ସ୍ଥଳବିଶେଷରେ ଏକପାଖିଆ ହୋଇଯିବା ଆଶଙ୍କା ରହୁଛି। ତେଣୁ ମାନହାନିର ଅପରାଧୀକରଣ ଲାଗି ଅବକାଶ ରହିଥିବା ଆଇପିସିର ୪୯୯ ଏବଂ ୫୦୦ ଦଫାର ସାନି ସମୀକ୍ଷା ଲାଗି ଅନେକ ଆଇନଜୀବୀ ମତ ରଖୁଛନ୍ତି।
ଆଇନଜୀବୀ, ଓଡ଼ିଶା ହାଇକୋର୍ଟ, କଟକ, ମୋ: ୯୪୩୭୧୬୩୫୨୮