ଭଗବାନ ବେଶି ସଜାଗ

ଶ୍ରୀ ସନ୍ନ୍ୟାସୀ
ସ୍ବାମୀ ସଚ୍ଚିଦାନନ୍ଦ ରାଜପୁତନାରେ ଦିନେ ଭିକ୍ଷା କଲାବେଳେ ଜଣକ ଘରେ ଛୋଟ ଝିଅଟିଏ ନିଜେ ଭିଣିଥିବା ମେଞ୍ଚାଏ ତୁଳା ଆଣି ବାବାଙ୍କୁ ଦେଲା। ବାବା କହିଲେ- ମୋର ତୁଳା କ’ଣ ହେବ? ପଟେ ଦିପଟ ରୁଟି ହୋଇଗଲେ ଆଜି ସେତକ ଖାଇ ଚଳିଯିବି। ମୋର ଏହା ଦାରକାର ନାହିଁ।
ବାବା ତୁଳା ନେବାକୁ ରାଜି ନ ହେବାରୁ ଝିଅଟି ଜୋରରେ କାନ୍ଦିବାକୁ ଆରମ୍ଭ କରିଦେଲା। ଅଗତ୍ୟା ବାବା ତୁଳାତକ ନେଇ ନିଜ ଝୁଲାରେ ରଖିଦେଲେ। କ’ଣ କରିବେ ଭାବିପାରିଲେ ନାହିଁ। ଅଳ୍ପଦିନ ପରେ ସେ ବର୍ଷ ଏମିତି ଶୀତ ପଡିଲା ଯେ, ତୁଳାଭର୍ତ୍ତି ଜାମା ନ ପିନ୍ଧିଲେ ଥଣ୍ଡାରୁ ରକ୍ଷା ପାଇବା କଷ୍ଟକର ହୋଇପଡିଲା। ଏତିକିବେଳେ ଝିଅଟି ଦେଇଥିବା ତୁଳା କଥା ବାବାଙ୍କର ମନେପଡ଼ିଲା। ତାହାକୁ ବାହାର କରି ଜଣେ ଲୋକଙ୍କୁ ସେ ଦେଲେ। ଲୋକଟି ସେହି ତୁଳାରେ ଗୋଟିଏ ଜାମା କରି ବାବାଙ୍କୁ ଦେଲେ। ସ୍ବାମୀ ସଚ୍ଚିଦାନନ୍ଦ ସେତେବେଳେ ମନକୁ ମନ କହିବାକୁ ଲାଗିଲେ- ”ମୁଁ ନିଃସଙ୍ଗ ଓ ନିଃସମ୍ବଳ ହୋଇ ଏକାକୀ ଘୂରିବୁଲେ ବୋଲି କରୁଣାମୟ ଭଗବାନ ମୋ ପାଇଁ ଆଗକୁ ଶୀତ ନିବାରଣ ଲାଗି ତୁଳାଟିକକ ମଧ୍ୟ ଯୋଗାଡ଼ କରି ରଖିଥିଲେ। ଜୟ ପ୍ରଭୁ! ଆପଣ ଆମ ପାଇଁ ଏତେ ସଜାଗ।“
ସ୍ବାମୀ ସଚ୍ଚିଦାନନ୍ଦଙ୍କ ଜୀବନର ଏଇ କ୍ଷୁଦ୍ର ଘଟଣାରୁ ଭଗବାନଙ୍କର ବିରାଟ ମହତ୍ତ୍ୱ ସହଜରେ ଜଣାପଡୁଛି। ସେ ଏ ବିଶ୍ୱକୁ କେବଳ ସୃଷ୍ଟି କରିନାହାନ୍ତି, ସେ ମଧ୍ୟ ଏହାର ପରିପାଳକ ଓ ନିୟନ୍ତ୍ରଣକର୍ତ୍ତା। ଆମକୁ ସେ ଏଇ ସଂସାରକୁ ପଠାଇଛନ୍ତି। ସେଥିପାଇଁ ସେ ଆମର ରହିବାଠାରୁ ଆରମ୍ଭ କରି ଖାଇବା ଓ ମଉଜମଜ୍‌ଲିସ୍‌ ପର୍ଯ୍ୟନ୍ତ ଯାବତୀୟ ଚିଜକୁ ତାଙ୍କର ପବିତ୍ର ସୃଷ୍ଟିରେ ଖଞ୍ଜି ରଖିଛନ୍ତି। ନବଜାତ ଶିଶୁଟିଏ ମାତୃଗର୍ଭରୁ ଭୂମିଷ୍ଠ ହେଲାପରେ ସେ କ’ଣ ଖାଇବ, ତା’ର ତ ଦାନ୍ତ ନାହିଁ। ପାଣି ପିଇଲେ ଥଣ୍ଡା ହୋଇପାରେ। ଏହାକୁ ଆଖି ଆଗରେ ରଖି କରୁଣାମୟ ଶିଶୁଟିଏ ଜନ୍ମ ହେବାର ବହୁ ପୂର୍ବରୁ ମାତୃସ୍ତନରେ କ୍ଷୀରର ସୁବନ୍ଦୋବସ୍ତ କରିଦେଇଥାନ୍ତି। ଶିଶୁଟିଏ ଖାଇବା ପାଇଁ ଭଗବାନଙ୍କୁ ନ ମାଗିଲେ ବି ଏପରି କି କ’ଣ ଖାଇଲେ ତାହା ଶରୀରର ପରିପୁଷ୍ଟି ସାଧନ ହେବ ଏହା ବିଷୟରେ ତା’ର ସାଧାରଣଜ୍ଞାନ ନ ଥିଲେ ବି ଭଗବାନ ତାହାର ସମସ୍ତ ଦାୟିତ୍ୱ ବୁଝିଥାନ୍ତି। ଠିକ୍‌ ସେହିପରି ଏ ସଂସାରର ସମସ୍ତ ଜୀବଜନ୍ତୁଙ୍କର ସମସ୍ତ କଥାକୁ ଭଗବାନ ଅତ୍ୟନ୍ତ ଦାୟିତ୍ୱ ସହକାରେ ବୁଝିଥାନ୍ତି। ଆମ ଉପରେ ଥିବା ତାଙ୍କର ଅପାର କୃପାକୁ ହୃଦୟଙ୍ଗମ କରି ନ ପାରି ଆମେ ଅଯଥାରେ ଚିନ୍ତା କରିବସୁ। କେମିତି ନୂଆ ଘରଖଣ୍ଡେ ହେବ, କେଉଁଦିନ ଚାକିରି ହେବ, ପାଖରେ ଟଙ୍କା ନାହିଁ, ଝିଅ ବାହାଘର କେମିତି ହେବ? ଏମିତି ଦୁନିଆଯାକର ଚିନ୍ତା ମଣିଷ କରିବସେ। ହେଲେ ମଣିଷ ନିଜେ ଚିନ୍ତାକରି ସବୁ କାମ ଠିକ୍‌ଭାବରେ କରିପାରେ କି? ଜଣେ ସତ୍‌ସଙ୍ଗୀଙ୍କ ମୁହଁରୁ ଥରେ ଶୁଣିଥିଲି ତାଙ୍କ ଗୁରୁଙ୍କ ବାଣୀ- ”ଭାବଛ ବସେ କରବେ କିସେ, ଭାବବାର ତୁମି କେ? ଭାବବାର ଯିନି ଭାବଛେନ ତିନି ତୁମି ଭାବ ତାଁକେ।“
ମଣିଷ ଯେତେବେଳେ ଭଗବାନ୍‌ଙ୍କ ଚିନ୍ତା ଛାଡ଼ି ନିଜର ସମସ୍ତ ଚିନ୍ତା ଓ ଜଞ୍ଜାଳକୁ ଆବୋରି ବସେ, ସେତେବେଳେ ଭଗବାନ୍‌ ଖୁସି ହୋଇପାରନ୍ତିନି। କାରଣ ତାହାଦ୍ୱାରା ମଣିଷ ନିଜର ସମସ୍ୟାକୁ ଆହୁରି ବଢ଼ାଇତୋଳେ। କଥାରେ ଅଛି- ‘ଲୁଣ ଖାଏ ହାଣ୍ଡି, ଚିନ୍ତା ଖାଏ ଗଣ୍ଡି’। ଏଥିରେ ଶତ ପ୍ରତିଶତ କେବଳ ତା’ର ହିଁ କ୍ଷତି ହୁଏ। ତେଣୁ ଏସବୁରୁ ମୁକ୍ତି ପାଇବାକୁ ହେଲେ ଆମକୁ ଭଗବାନଙ୍କ ଉପରେ ଗଭୀର ଆସ୍ଥା ବା ବିଶ୍ୱାସ ସ୍ଥାପନ କରିବାକୁ ହେବ। ଆମର ଭରଣପୋଷଣ କରିବାକୁ ଆମ ଅପେକ୍ଷା ସେ ଅଧିକ ସଜାଗ। ସେ ଭଲ ଭାବରେ ଜାଣନ୍ତି କେଉଁଥିରେ ଆମର ମଙ୍ଗଳ ହେବ ଏବଂ କେଉଁଥିରେ ଅମଙ୍ଗଳ ହେବ।
ମଣିଷ ନିଜେ ଖାଇବା, ରହିବା ବା ବଞ୍ଚିବା ପାଇଁ ଯେତେ ପରିମାଣରେ ଚିନ୍ତା କରେ, ଅନ୍ୟ କୌଣସି ଇତର ପ୍ରାଣୀ ସେତେଟା ଚିନ୍ତିତ ନୁହନ୍ତି। ପଶୁପକ୍ଷୀମାନେ ଆନନ୍ଦରେ ବଣର ଫଳମୂଳ ଖାଇ ଓ ଝରଣାର ଜଳ ପିଇ ରୁହନ୍ତି। ଆଜି ଯାହା ମିଳିଲା ଆନନ୍ଦରେ ଖାଇ ଦିଅନ୍ତି, ଆସନ୍ତାକାଲି ପାଇଁ ଚିନ୍ତା କରନ୍ତି ନାହିଁ। ଅବଧୂତଙ୍କ ଚବିଶଗୁରୁ ମଧ୍ୟରୁ ‘ଅଜଗର’ ଅନ୍ୟତମ। ଯେଉଁଦିନ ମିଳିଲା ଖାଏ, ନ ହେଲେ ସେମିତି ରହିଯାଏ। ସେଥିପାଇଁ ନା ଥାଏ ତା’ର ଚିନ୍ତା ନା ଥାଏ ବ୍ୟସ୍ତତା। କହିବାର ଉଦ୍ଦେଶ୍ୟ ନୁହେଁ ଯେ ଆମେ କୌଣସି କର୍ମରେ ବ୍ୟାପୃତ ନ ହେବା। ‘ଯୋଗଃ କର୍ମସୁ କୌଶଳମ୍‌’ ଅବଲମ୍ବନରେ ଶ୍ରଦ୍ଧା ଓ ଭକ୍ତି ରଖି ପ୍ରତ୍ୟେକ କର୍ମଫଳକୁ ଭଗବାନଙ୍କୁ ସମର୍ପି ଦେଇ ତାଙ୍କରି କର୍ମ କରି ଚାଲିଲେ ସେ ଆମର ସମସ୍ତ ଦାୟିତ୍ୱ ବହନ କରିବେ। ସେଥିପାଇଁ ଭଗବାନ ନିଜେ ଏକଥା ସ୍ବୀକାର କରି ଗୀତାରେ କହିଛନ୍ତି ଯେ- ଅନନ୍ୟାଶ୍ଚିନ୍ତୟନ୍ତୋ ମାଂ ଯେ ଜନାଃ ପର୍ଯ୍ୟୁପାସତେ, ତେଷାଂ ନିତ୍ୟାଭିଯୁକ୍ତାନାଂ ଯୋଗକ୍ଷେମଂ ବହାମ୍ୟହମ୍‌। (୯/୨୨ ଗୀତା)
ଅର୍ଥାତ୍‌ ଯେ ଅନନ୍ୟଚିତ୍ତ ହୋଇ ମୋତେ ଆରାଧନା କରେ, ମୁଁ ତା’ର ସମସ୍ତ ଦାୟିତ୍ୱ ବହନ କରେ। ଏକଥା ମିଛ ନୁହେଁ। ଏହାର ଯୁକ୍ତିଯୁକ୍ତ ପ୍ରମାଣ ଅନେକ ମହାନ୍‌ ବ୍ୟକ୍ତିିଙ୍କ ଜୀବନରେ ପ୍ରମାଣିତ ହୋଇସାରିଛି। ଏଥିପାଇଁ କେବଳ ଦୃଢ଼ ସମର୍ପିତ ହୃଦୟ ଏବଂ ପବିତ୍ର ମନଟିଏ ଲୋଡ଼ା।
ଦିବ୍ୟାଲୋକ ସନ୍ଧାନେ, ତେଲେଙ୍ଗାପେଣ୍ଠ, କଟକ, ମୋ: ୯୪୩୮୦୫୨୬୧୧


Enter your email to get our daily news in your inbox.

All Right Reserved By Dharitri.Com

କୃତଜ୍ଞତାର ସ୍ବର

ବୁଝିଲ ବନ୍ଧୁ, ଈଶ୍ବରଙ୍କ ଆଶୀର୍ବାଦରୁ ଆମେ ଏ ଜୀବନ ପ୍ରାପ୍ତ ହେଇଛେ ସତ, ହେଲେ ଆମ ଜୀବନରେ ଆମ ମା’ବାପା, ଭାଇ ବନ୍ଧୁ, ପୃଥିବୀ, ଆକାଶ,...

ଆଚାର୍ଯ୍ୟ, ଅବଧାନ ଓ ଶିକ୍ଷକ

ବୈଦିକ ଯୁଗରେ ଅରଣ୍ୟରେ ଥିବା ଋଷିମାନଙ୍କର ଆଶ୍ରମଗୁଡ଼ିକ ଥିଲା ବିଦ୍ୟାଦାନର କେନ୍ଦ୍ର। ଧନୀ, ଗରିବ, ରାଜପୁତ୍ର ସମସ୍ତେ ସେଠାରେ ଏକତ୍ର ବିଦ୍ୟାଗ୍ରହଣ କରୁଥିଲେ। ସନ୍ଦିପନୀ ଉଭୟ...

ସମ୍ପ୍ରସାରଣର ଶାସନ

ମୋଦି ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳରୁ ଅବସର ପରେ ବରିଷ୍ଠ ସିଭିଲ ସର୍ଭାଣ୍ଟଙ୍କୁ ବିଭିନ୍ନ ପଦବୀରେ ଅବସ୍ଥାପିତ କରାଯାଇଆସୁଛି। ମୋଦି ସରକାର କ୍ଷମତାକୁ ଫେରିବାର ସପ୍ତାହକ ପରେ...

ସଦ୍‌ଗୁରୁ ଓ ସତ୍‌ନାମ

ଆମର ଗୋଟାଏ ଦୋଷ ଯେ, କିଛି ନ ବୁଝି, ମହାପୁରୁଷଙ୍କ ଉପରେ ମୂଳରୁ ଭରଷା କରୁ। ଭଗବତ୍‌ ଶକ୍ତିରେ ଅଲୌକିକ ଭାବରେ ସବୁ ସେ କରିଦେବେ...

ବିଷମୁକ୍ତ ହେବ କି ଭାତହାଣ୍ଡି

ମ୍ପ୍ରତିକ ସମୟକୁ ଲକ୍ଷ୍ୟକଲେ କୃଷି ହିଁ ଆମ ଭବିଷ୍ୟତ ବୋଲି କୁହାଯାଇପାରେ। ଏହି କୃଷି ଆମ ଅର୍ଥନୀତିର ସଂସ୍କାରକ। ଆମ ରାଜ୍ୟରେ ସତୁରି ଭାଗରୁ ଅଧିକ...

ଟ୍ରମ୍ପ୍‌ ଓ କପ୍‌ ସମ୍ମିଳନୀ

ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ବିଜୟ ବକୁରେ ଅନୁଷ୍ଠିତ ମିଳିତ ଜାତିସଂଘର ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ (କପ୍‌୨୯) ଉପରେ କଳାବାଦଲ ଛାଇ ଦେଇଛି। ଏକଥା...

ପୋଷଣୀୟ ମତ୍ସ୍ୟକ୍ଷେତ୍ର

ଶ୍ୱ ଅର୍ଥନୀତି, ପୁଷ୍ଟିକର ଖାଦ୍ୟ, ନିଯୁକ୍ତି ଓ ସର୍ବୋପରି ପରିବେଶ ପ୍ରତି ମତ୍ସ୍ୟ ସମ୍ପଦର ଅବଦାନ ଓ ଏହାର ଗୁରୁତ୍ୱ ନିଦର୍ଶନ ପାଇଁ ବିଶ୍ୱ ମତ୍ସ୍ୟ...

ଦୁର୍ନୀତିର ବଳୟ

ଆଜି ଘରେ, ବାହାରେ, ରାଜ୍ୟରେ, ଦେଶ ଭିତରେ ଓ ଦେଶ ବାହାରେ ‘ଦୁର୍ନୀତି’ ତା’ର କାୟା ବିସ୍ତାର କରି ଚାଲିଛି। ଏହାକୁ ରୋକିବା ପାଇଁ ଶପଥ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri