ଭାରତ ଓ କ୍ରିକେଟ

ଶରତ ଚନ୍ଦ୍ର ମିଶ୍ର

ସିପାହି ଆନ୍ଦୋଳନ (୧୮୫୭) ସମୟକୁ ଭାରତରେ ଇଂରେଜ ଓ ଭାରତୀୟଙ୍କ ମଧ୍ୟରେ ତିକ୍ତତା ଚରମ ସୀମାରେ। ଇଷ୍ଟ ଇଣ୍ଡିଆ କମ୍ପାନୀଠାରୁ ଇଂରେଜ ସରକାର ଶାସନଭାର ଗ୍ରହଣ (୧୮୫୮) କରି ଭାରତରେ ଇଂରେଜ ମୂଲ୍ୟବୋଧଭିତ୍ତିକ ଏକ ଇଂରେଜ ସପକ୍ଷବାଦୀ ଭାରତୀୟ ଗୋଷ୍ଠୀ ସୃଷ୍ଟି କରିବାକୁ ଉଦ୍ୟମ କଲେ। ଇଂଲିଶ ଶିକ୍ଷା ବ୍ୟବସ୍ଥା ଭାରତରେ ପ୍ରଚଳନ କରାଗଲା। ତିନୋଟି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେଲା ଓ କେତୋଟି ଇଂଲିଶ ମାଧ୍ୟମ ସ୍କୁଲ ଖୋଲିଲା। ଇଂଲିଶ ସ୍କୁଲମାନଙ୍କରେ ରାଜପୁତ୍ରମାନେ ଓ ପାର୍ଶୀମାନେ ଅଧିକ ସଂଖ୍ୟାରେ ଯୋଗଦେଲେ। ଇଂଲିଶ ଶିକ୍ଷା ସହିତ ଇଂଲିଶ କ୍ରୀଡ଼ା ମଧ୍ୟ ଭାରତରେ ଅନୁପ୍ରବେଶ କଲା। ଏକା ସାଙ୍ଗରେ ଖେଳିଲେ ଇଂରେଜମାନଙ୍କ ପ୍ରତି ଭାରତୀୟମାନେ ଅନୁକୂଳଭାବ ପୋଷଣ କରିବେ ବୋଲି ଚିନ୍ତା କରାଯାଉଥାଏ। ବିଲାତୀ ଖେଳ, କ୍ରିକେଟ, ହକି, ଫୁଟବଲ, ଟେନିସ, ପୋଲୋ, ବିଲିୟାଡ୍ସର୍ର୍ ଓ ବ୍ରିଜ ଆଦି ଇଂରେଜ କ୍ୟାଣ୍ଟନମେଣ୍ଟରୁ ବାହାରକୁ ଆସି ଭାରତୀୟମାନଙ୍କୁ ଉପଲବ୍ଧ ହେଲା। ବିଲାତୀ ଖେଳମାନଙ୍କରେ ଉପକରଣ ଆବଶ୍ୟକ। ତେଣୁ ବ୍ୟୟସାପେକ୍ଷ। ପୁଣି ଉପକରଣଗୁଡିକ ଇଂଲଣ୍ଡରୁ ଆମଦାନି ହେଉଥାଏ। ତେଣୁ ସ୍ବଳ୍ପ ବ୍ୟୟସାପେକ୍ଷ ଫୁଟବଲ ହିଁ ପ୍ରସାର ଲାଭକଲା।
ସମସ୍ତ ଇଂଲିଶ ଖେଳ ମଧ୍ୟରେ କ୍ରିକେଟ ଖେଳ ନିଆରା। ଏହା ଇଂରେଜ ସାମନ୍ତବାଦୀଙ୍କ ଖରାଦିନିଆ ଖେଳ। ସବୁପ୍ରକାର ଖେଳ ଅବସର ସମୟରେ ହେଲାବେଳକୁ କ୍ରିକେଟ ଖେଳ କାମ କରିବା ସମୟରେ ହୁଏ। ପାଞ୍ଚଦିନ କାଳ ନିଜର କାମଧନ୍ଦା ଛାଡି ଖେଳିବାକୁ ହେବ। ଯାହାର ଅନ୍ନଚିନ୍ତା ଅଛି, ସେ ଏ ଖେଳରେ ସାମିଲ ହୋଇପାରିବ ନାହିଁ। ତେଣୁ ଭାରତରେ କେବଳ ରାଜା, ମହାରାଜା ଓ ଧନୀ ବ୍ୟବସାୟୀ ପୁତ୍ରମାନେ ପ୍ରଥମେ ଏ ଖେଳରେ ଆଗ୍ରହୀ ହେଲେ। ତା’ପରେ ପୁଣି ବ୍ୟାଟ, ପ୍ୟାଡ, ନେଟ, ଉଇକେଟ ଆଦି ସବୁ ଇଂଲଣ୍ଡରୁ ଆମଦାନି।
କ୍ରିକେଟ ଭାରତରେ ପ୍ରଥମେ ବମ୍ବେର ବିଭିନ୍ନ କ୍ଲବ ଓ ଇଂଲିଶ ମାଧ୍ୟମ ସ୍କୁଲମାନଙ୍କରେ ଆରମ୍ଭ ହେଲା। ଊନବିଂଶ ଶତାବ୍ଦୀର ସପ୍ତମ ଦଶକ ବେଳକୁ ପାର୍ଶୀମାନେ ଏଥିରେ ପାରଦର୍ଶିତା ଲାଭ କରି ଇଂରେଜ କ୍ଲବମାନଙ୍କୁ ପରାସ୍ତ କରିବା ଆରମ୍ଭ କଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ ଇଂରେଜ ୬୬ତମ ରେଜିମେଣ୍ଟ, ୧୮୭୭ ମସିହାରେ ପାର୍ଶୀ ଖେଳାଳି ଓ ଉତ୍ସାହଦାନକାରୀ ଦର୍ଶକମାନଙ୍କୁ ପିଟାପିଟି କରିଥିଲେ। ଇଂରେଜମାନଙ୍କ ସାଙ୍ଗରେ ଖେଳିବାରେ, ସେମାନଙ୍କ ସାଙ୍ଗରେ ମିଶିବାର ଏହା ଏକ ସୁଯୋଗ ଓ ସେମାନଙ୍କୁ ତାଙ୍କରି ଖେଳରେ ପରାସ୍ତ କଲେ ଏକ ପ୍ରଚ୍ଛନ୍ନ ଆନନ୍ଦ ଓ ଗର୍ବଭାବ ନିହିତ ଥିଲା।
ପାର୍ଶୀମାନଙ୍କୁ ଅନୁକରଣ କରି ବମ୍ବେରେ ମୁସଲମାନ ଜିମ୍‌ଖାନା କ୍ଲବ ଓ ହିନ୍ଦୁ ଜିମ୍‌ଖାନା କ୍ଲବ ଗଠିତ ହେଲା ଓ ଏମାନଙ୍କ ପ୍ରତିଯୋଗିତା ସମୟରେ ସାମ୍ପ୍ରଦାୟିକ ଦଙ୍ଗାହଙ୍ଗାମା ହେଉଥିଲା। ଭାରତୀୟମାନଙ୍କୁ ଇଂଲଣ୍ଡ ଆସି ଖେଳିବାକୁ, ଇଂଲଣ୍ଡ ପକ୍ଷରୁ ବାରମ୍ବାର ନିମନ୍ତ୍ରଣ କରାଯାଉଥିଲେ ମଧ୍ୟ ଭାରତୀୟମାନେ ସମୁଦ୍ର ପାରିହେବାକୁ ଅନିଚ୍ଛା ପ୍ରକାଶ କରୁଥିଲେ ଓ ସବୁ ଧର୍ମର ଲୋକ ଏକ ସାଙ୍ଗରେ ଟିମ୍‌ ଗଠନ କରି ମିଳାମିଶା କରିବାକୁ ଚାହିଁ ନ ଥିଲେ। ଇଂଲଣ୍ଡର ସାମନ୍ତବାଦୀ ପରିବାରମାନଙ୍କ ପକ୍ଷରୁ ବହୁ ପ୍ରରୋଚନା ପରେ ଏକ ୧୬ ଜଣିଆ ଦଳ ୧୯୧୧ରେ ଇଂଲଣ୍ଡ ଭ୍ରମଣ କଲା। ପଟିଆଲା ମହାରାଜା ଭୂପିନ୍ଦର ସିଂହ କ୍ୟାପଟେନ ହେଲେ। ସେ କିନ୍ତୁ କେବଳ ବ୍ୟାଟିଂ କରନ୍ତି ଓ ସେ ସମୟରେ ସାଙ୍ଗରେ ଜଣେ ରନର ଯାଏ। ସେ ଅଳ୍ପ କେତେକ ମ୍ୟାଚ ଖେଳିଥିଲେ। ତାଙ୍କ ଦଳରେ ସାତଜଣ ପାର୍ଶୀ, ଦୁଇଜଣ ଦଳିତଙ୍କ ସମେତ ପାଞ୍ଚଜଣ ହିନ୍ଦୁ ଓ ତିନିଜଣ ମୁସଲମାନ ଥିଲେ। ବାକି ତିନିଜଣ ହିନ୍ଦୁ ଥିଲେ ବ୍ରାହ୍ମଣ ଓ ଦଳିତ ଦୁଇଜଣ ତାଲଓ୍ବାନଙ୍କର ବାଲୁ ଓ ଶିଭମ୍‌ ଥିଲେ ପେଣ୍ଡୁ ନିକ୍ଷେପକାରୀ। ବାଲୁ ପରବର୍ତ୍ତୀ କାଳରେ ଜଣେ ଉଚ୍ଚକୋଟୀର ପେଣ୍ଡୁ ନିକ୍ଷେପକାରୀ ଭାବରେ ନାମ ଅର୍ଜନ କରିଥିଲେ। ଇଂଲଣ୍ଡରେ ରହଣି କାଳର ସମସ୍ତ ଖର୍ଚ୍ଚ ଇଂଲିଶ ସମ୍ଭ୍ରାନ୍ତମାନେ ବହନ କରିଥିଲେ। ଯାତ୍ରା ଓ ଅନ୍ୟାନ୍ୟ ଖର୍ଚ୍ଚ ପାର୍ଶୀମାନଙ୍କର ଟାଟା ପରିବାର, ହିନ୍ଦୁମାନଙ୍କର ବମ୍ବେର ଗୁଜରାଟୀ ବ୍ୟବସାୟୀ ଓ ମୁସଲମାନଙ୍କର ଖୋଜା ବ୍ୟବସାୟୀମାନେ ବହନ କରିଥିଲେ। ଇଂଲଣ୍ଡ ଗସ୍ତରେ ଭାରତୀୟ ଦଳ ବିଫଳ ହେଲେ ମଧ୍ୟ କ୍ରିକେଟ ଖେଳର ପ୍ରଚାର ହେଲା।
କ୍ରିକେଟ ଉପକରଣ କାଳକ୍ରମେ ଦେଶରେ ଉପଲବ୍ଧ ହେଲା। ଶ୍ରୀନଗର ଉପତ୍ୟକାର ଉଇଲୋ ଗଛର କାଠରୁ ବ୍ୟାଟ ତିଆରି ହେଲା। ଲୁଧିଆନାରେ ବଲ ତିଆରି ହେଲା। କ୍ରିକେଟ ଖେଳର ବ୍ୟୟବହୁଳତା ହ୍ରାସ ପାଇଲା। ଜାମସାହେବ ରଣଜିତ ସିଂହ ୪୦୦ ରନ କରି ସାରା ବ୍ରିଟିଶ ସାମ୍ରାଜ୍ୟରେ ପରିଚିତି ଲାଭ କଲେ। ଦେଶରେ ରେଡିଓର ପ୍ରଚଳନ ପରେ କ୍ରିକେଟ ଖେଳ ସବୁ ରେଡିଓରେ ପ୍ରଚାର ହେଲା। ବଡ ବଡ ସହର, ବିଶ୍ୱବିଦ୍ୟାଳୟମାନଙ୍କରେ ଖେଳର ପ୍ରସାର ଘଟିଲା ଓ ବମ୍ବେ ହେଲା ଦେଶର କ୍ରିକେଟ ରାଜଧାନୀ।
ଦେଶ ବିଭାଜନ ସମୟରେ ଭାରତୀୟ କ୍ରିକେଟ ଦଳର କେତେଜଣ ନାମକରା ଖେଳାଳି ପାକିସ୍ତାନ ଚାଲିଗଲେ। ଭିତ୍ତିଭୂମିର ଅଭାବ ସତ୍ତ୍ୱେ ସେମାନେ ପାକିସ୍ତାନରେ ଟିମ୍‌ ଗଠନ କଲେ ଓ ସେ ଟିମ୍‌ ୧୯୫୨ ମସିହାରେ ଟେଷ୍ଟ କ୍ରିକେଟ ଖେଳିଲା। ପରବର୍ତ୍ତୀ ପର୍ଯ୍ୟାୟରେ ପାକିସ୍ତାନରୁ ଅଲଗା ହୋଇ ଯାଇଥିବା ବାଂଲାଦେଶ ମଧ୍ୟ ନିଜ ଟିମ୍‌ ଗଠନ କଲା। ଉଭୟ ପାକିସ୍ତାନୀ ଓ ବାଂଲାଦେଶ ଟିମ୍‌ ଉତ୍ତମ ଟିମ୍‌ ଭାବରେ ପରିଚିତ।
ଦେଶରେ ଟିଭିର ପ୍ରଚଳନ କ୍ରିକେଟ ଜଗତରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଦେଲା। ଘରେ ବସି କ୍ରିକେଟ ଆଗ୍ରହୀମାନେ ଖେଳ ଦେଖିଲେ। ବର୍ତ୍ତମାନ ଆଗ୍ରହୀ ଦର୍ଶକମାନେ ଘଣ୍ଟା ଘଣ୍ଟାଧରି ଆଇପିଏଲ୍‌ ଓ ବିଶ୍ୱକପ୍‌ ଦେଖିବାର ମଜା ଉପଭୋଗ କରୁଛନ୍ତି।
ଭାରତୀୟ କ୍ରିକେଟ ଦଳ କ୍ରିକେଟ ଜଗତରେ ସ୍ବୀକୃତି ଲାଭ କଲା। ୧୯୮୩ ମସିହାରେ ଅପ୍ରତ୍ୟାଶିତ ଭାବରେ ବିଶ୍ୱକପ ଜୟ କରି ଭାରତୀୟ ଦଳ ସିଂହ ଗୁମ୍ଫାରେ ସିଂହକୁ ଆୟତ୍ତ କଲା ଭଳି ଇଂରେଜ ମାଟିରେ ବିଶ୍ୱକପ୍‌ ବିଜୟୀ ହେଲା। ତା’ ପରେ ଭାରତୀୟ ଟିମ୍‌ ସାତଥର ସେମିଫାଇନାଲରେ ପ୍ରବେଶ କରିଛି, ତିନିଥର ଫାଇନାଲକୁ ଯାଇ ଦୁଇଥର ବିଶ୍ୱକପ ବିଜେତା ହୋଇଛି। କ୍ରିକେଟର ସମସ୍ତ ପ୍ରକାର (ଦିନିକିଆ ଟେଷ୍ଟ ଓ ଟି-୨୦) ଖେଳରେ ଭାରତୀୟ ଦଳ ଶ୍ରେଷ୍ଠତା ପ୍ରଦର୍ଶନ କରିପାରିଛି ଓ ଶ୍ରେଷ୍ଠ ଭାରତୀୟ ଖେଳାଳି ଗାଭାସ୍କର, ତେନ୍ଦୁଲକର, ଧୋନି ଓ କୋହଲି ଅନେକ କୀର୍ତ୍ତିମାନ ସ୍ଥାପନ କରିଛନ୍ତି।
ଏ ଖେଳଟି ନିଚ୍ଛକ ବିଲାତୀ ଖେଳ ଓ ପୂର୍ବତନ ବ୍ରିଟିଶ ସାମ୍ରାଜ୍ୟ ମଧ୍ୟରେ ସୀମାବଦ୍ଧ। ଇଂଲଣ୍ଡର ଉପନିବେଶ ନ ଥାଇ ବିଶ୍ୱକପରେ ଭାଗ ନେବାରେ ଆଫଗାନିସ୍ତାନ ହିଁ ପ୍ରଥମ ଦେଶ। ଆଫଗାନିସ୍ତାନରେ କ୍ରିକେଟକୁ ଜନପ୍ରିୟ କରାଇବାର ଶ୍ରେୟ ଭାରତର।
ବର୍ତ୍ତମାନ କ୍ରିକେଟ ଭାରତରେ ସବୁଠାରୁ ଜନପ୍ରିୟ କ୍ରୀଡା। କ୍ରିକେଟ ଖେଳାଳିମାନେ ଆଉ ଦୁଃସ୍ଥ ନୁହନ୍ତି। ସଫଳକାମଙ୍କ ଆର୍ଥିକ ସମ୍ପତ୍ତି ଓ ଭାବମୂର୍ତ୍ତି ବଲିଉଡ କଳାକାରମାନଙ୍କ ପରି। ବିସିସିଆଇ ପୃଥିବୀର ସବୁଠାରୁ ଧନୀ କ୍ରିକେଟ ଅନୁଷ୍ଠାନ। କ୍ରିକେଟ ଦେଶ ଓ ବିଦେଶ ମାଟିରେ ଭାରତୀୟମାନଙ୍କ ମଧ୍ୟରେ ଜାତୀୟତା ଭାବ ଉଦ୍ରେକ କରାଏ ଓ ତାହା ହିଁ ଦେଶକୁ କ୍ରିକେଟର ଶ୍ରେଷ୍ଠ ଅବଦାନ।
ମୋ-୯୯୩୭୪୨୨୫୨୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

ପତ୍ରେ ପତ୍ରେ ଠକ

ବର୍ତ୍ତମାନ ସମୟରେ ଡିଜିଟାଲ ଆରେଷ୍ଟ ଏକ ଭୟଙ୍କର ଅନ୍‌ଲାଇନ ଅପରାଧ ଭାବେ ଉଭା ହେଲାଣି। ଏଥିରେ ଠକମାନେ ନିଜକୁ ପୋଲିସ, ସିବିଆଇ, ଆର୍‌ବିଆଇ କିମ୍ବା ନାର୍କୋଟିକ୍ସ...

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri