ନୂଆଦିଲ୍ଲୀ,୭।୨- ପ୍ରିମିୟର କ୍ଲବ ମାଞ୍ଚେଷ୍ଟର ୟୁନାଇଟେଡ୍ ଚଳିତ ସିଜନ ପୂର୍ବରୁ ଭାରତରେ ପ୍ରଥମ ଥର ପାଇଁ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳିପାରେ। ଏହି କ୍ଲବ ଭାରତୀୟ ଆଇ ଲିଗ୍ ଦଳ ଇଷ୍ଟ ବେଙ୍ଗଲ ସହ ଆସନ୍ତା ଜୁଲାଇ ୨୬ ତାରିଖରେ ମ୍ୟାଚ୍ ଖେଳିବା ପାଇଁ ଆଲୋଚନା ଜାରି ରଖିଛି। ଆଉ ଏହିଦିନ ଦଳ ୩ ନିୟୁତ ୟୁରୋ ଆୟ କରିବ। ଯଦି ନୂଆ ସ୍ପନସର ମିଳନ୍ତି, ତେବେ ଏହା ସମ୍ଭବ ହୋଇପାରିବ। କ୍ଲବର ଫୁଟବଲ ଅପରେଶନ୍ସ ନିର୍ଦ୍ଦେଶକ ଆଲାନ ଡାଓ୍ବସନଙ୍କ ନେତୃତ୍ୱାଧୀନ ୪ ଜଣିଆ ମାଞ୍ଚେଷ୍ଟର ୟୁନାଇଟେଡ୍ର ପ୍ରତିନିଧି ଦଳ ଗତବର୍ଷ କୋଲକାତା ଗସ୍ତକରି ଇଷ୍ଟ ବେଙ୍ଗଲ ସହ ମୂଲଚାଲ କରିଥିଲେ। ଏହି ମ୍ୟାଚ୍ ଯୁବଭାରତୀ କ୍ରୀଡ଼ାଗନ ଷ୍ଟାଡିୟମରେ ଅନୁଷ୍ଠିତ ହୋଇପାରେ। ଇଷ୍ଟ ବେଙ୍ଗଲ ନିର୍ଦ୍ଦେଶକ ଦେବବ୍ରତ ସରକାର କହିଛନ୍ତି, ଆମେ ଚାହୁଁ ମାଞ୍ଚେଷ୍ଟର ୟୁନାଇଟେଡ୍ ମ୍ୟାଚ୍ ଆୟୋଜନ ଏଠାରେ ହେଉ। ଏହାର ଯଥେଷ୍ଟ ସମ୍ଭାବନା ରହିଛି। ସେମାନେ ଏଠାରେ ଖେଳିବାକୁ ରାଜି। କିନ୍ତୁ ଦଳର ଖେଳାଳିଙ୍କ ମ୍ୟାଚ୍ ଫି’ ଖୁବ୍ ଅଧିକ। ମୁଁ ଅର୍ଥ ସମ୍ପର୍କିତ ଅଧିକ ତଥ୍ୟ ଦେଇପାରିବି ନାହିଁ। ମାତ୍ର ଏହା ଚିନ୍ତାର କାରଣ। ଏ ସମ୍ପର୍କରେ ଆମେ ମେ’ ମାସ ପରେ ହିଁ କିଛି କହିପାରିବୁ। ଆମେ ଏବେ ନୂଆ ସ୍ପନସର ଖୋଜିବାରେ ବ୍ୟସ୍ତ ।