ଶ୍ରୀନଗର,୨୧।୭: ଜମ୍ମୁ-କଶ୍ମୀରକୁ ପୁଣି କଶ୍ମୀର ପଣ୍ଡିତ ଫେରାଇ ଆଣିବା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି। ଗତ ଏକମାସ ଧରି ଏନେଇ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଶ୍ମୀର ଡିଭିଜନର ଉଚ୍ଚ ଅଧିକାରୀଙ୍କ ସହିତ ଏକାଧିକ ବୈଠକ କରିଛନ୍ତି। ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସକ୍ରିୟ ହେବା ପରେ ୧୯୮୯ଠାରୁ କଶ୍ମୀର ପଣ୍ଡିତ ସୁରକ୍ଷା ଦୃଷ୍ଟିରୁ ଭିଟା ମାଟି ଛାଡିଥିଲେ। ସେମାନଙ୍କୁ ଫେରାଇ ଆଣିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଇନିଂସ୍ରେ ୨୦୧୫ରେ ପୁନର୍ବାସ ଯୋଜନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ଏହା ସହିତ ଏଠାରୁ ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ ପାଇଁ ଅପରେଶନ୍ ଅଲ୍ଆଉଟ୍ ଅନ୍ତର୍ଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରିଥିବା କୁହାଯାଉଛି।