ଜୀବନକୁ ସରସସୁନ୍ଦର କରିବା ପାଇଁ ବିଭିନ୍ନ ଧର୍ମରେ ଭିନ୍ନ ଭିନ୍ନ ପରମ୍ପରାମାନ ପାଳନ କରାଯାଇଥାଏ। କିନ୍ତୁ ଏମିତି ବି କିଛି ନିଆରା ପରମ୍ପରା ରହିଛି, ଯାହା ଆମକୁ ବେଶ୍ ଅଜବ ଲାଗିଲେ ବି କେତେକ ସମ୍ପ୍ରଦାୟର ଲୋକେ ଏବେ ବି ଏହାକୁ ମାନି ଚାଲିଛନ୍ତି। ସେମିତି କେତୋଟି ଭିନ୍ନ ପରମ୍ପରା ସମ୍ପର୍କରେ…
ମାଛ ଦେଇଥାଏ ଭବିଷ୍ୟତର ସୂଚନା: ବିବାହ କେବଳ ଦୁଇଟି ମଣିଷକୁ ଏକାଠି କରିଥାଏ ତା’ ନୁହେଁ, ସେମାନଙ୍କ ମନ ଓ ହୃଦୟକୁ ବି ଏକ କରିଦିଏ। ତେଣୁ ଯେଉଁ ଦମ୍ପତି ଏକ ମନ ଏକ ପ୍ରାଣ ହୋଇ ପରସ୍ପରକୁ ବିଶ୍ୱାସ କରି ଜୀବନ ଜିଇବାକୁ ଲାଗନ୍ତି, ସେମାନଙ୍କ ଜୀବନରେ ଭରିଯାଏ ଅସୀମ ଖୁସି। ତେଣୁ ବୈବାହିକ ଜୀବନ କେତେ ସୁଖମୟ ହେବ ତାହା ବିବାହ ପରେ ପତ୍ନୀପତିଙ୍କ ବିଚାରଧାରା ଉପରେ ସମ୍ପୂର୍ଣ୍ଣ ନିର୍ଭର କରିଥାଏ। ହେଲେ ମଣିପୁରବାସୀଙ୍କର କିନ୍ତୁ ରହିଛି କିଛି ଭିନ୍ନ ବିଶ୍ୱାସ। ସେମାନେ ବିବାହ ପରେ ନୁହେଁ ବିବାହ ପୂର୍ବରୁ ହିଁ ଜାଣିଯାନ୍ତି ଯେ, ଆଗକୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ଯୁବତୀଯୁବକଙ୍କର ସାଂସାରିକ ଜୀବନ କେତେ ସୁଖମୟ ହେବ, ତାହା ପୁଣି ଦୁଇଟି ମାଛଙ୍କ ଜରିଆରେ। ଅର୍ଥାତ୍ ଯେଉଁ ଝିଅପୁଅଙ୍କର ବିବାହ ଠିକ୍ ହୋଇଯାଇଥାଏ ବା ଆଗକୁ ଯେଉଁମାନେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥାନ୍ତି, ସେମାନଙ୍କ ବୈବାହିକ ଜୀବନ କେତେ ଭଲରେ ବିତିବ ତାହାହୁ ଜାଣିବା ପାଇଁ ମଣିପୁରର କିଛି ଅଞ୍ଚଳବାସୀ ବିବାହର କିଛିଦିନ ପୂର୍ବରୁ ଦୁଇଟି ମାଛକୁ ଏକାଠି ଧରି ନିକଟସ୍ଥ ପୋଖରୀ ବା ନଈରେ ଛାଡ଼ିଥାନ୍ତି। ଯଦି ମାଛ ଦୁଇଟି ପାଖାପାଖି ହୋଇ ଗୋଟିଏ ଦିଗରେ ଯାଇଥାନ୍ତି ତା’ହେଲେ ସେଥିରୁ ଅନୁମାନ କରାଯାଏ ଯେ, ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଥିବା ଯୁବତୀଯୁବକଙ୍କର ଭବିଷ୍ୟତ ବେଶ୍ ସୁଖରେ କଟିବ। କିନ୍ତୁ ଯଦି ମାଛ ଦୁଇଟି ଭିନ୍ନ ଭିନ୍ନ ଦିଗରେ ଗଲେ ତା’ହେଲେ ଉକ୍ତ ଯୁବତୀଯୁବକଙ୍କ ବୈବାହିକ ଜୀବନରେ କଳହ ଦେଖାଯିବାର ସମ୍ଭାବନା ରହିଛି ବୋଲି ସେମାନେ ବିଶ୍ୱାସ କରିଥାନ୍ତି।
ବାସନ ବଜାଇ ନବଦମ୍ପତିଙ୍କୁ ହଇରାଣ କରିଥାନ୍ତି: ବାହାଘର ପରେ ଆସେ ଚତୁର୍ଥୀ ରାତି। ଏହାକୁ ଦେଶର କେତେକ ସ୍ଥାନରେ ସୁହାଗରାତ ବୋଲି ବି କହିଥାନ୍ତି। ଏହା ଏମିତି ଏକ ରାତି, ଯେଉଁଦିନ ନୂଆକରି ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଦୁଇ ଶରୀର, ଦୁଇ ମନ ଓ ହୃଦୟ ଏକ ହୋଇ ଭବିଷ୍ୟତର ସୁନେଲି ସ୍ବପ୍ନ ଦେଖିବା ଆରମ୍ଭ କରିଥାନ୍ତି। ସେଥିପାଇଁ ଏହି ରାତିରେ ନବଦମ୍ପତିଙ୍କୁ ଏକାନ୍ତରେ ରହିବାକୁ ପରିବାର ଲୋକେ ଛାଡ଼ି ଦେଇଥାନ୍ତି। କେହି ବି ତାଙ୍କୁ ହଇରାଣ କରିବାକୁ ଯାଆନ୍ତି ନାହିଁ। କିନ୍ତୁ ଏହାର ଠିକ୍ ଓଲଟା ଦେଖିବାକୁ ମିଳିଥାଏ ଫ୍ରାନ୍ସରେ। ଫ୍ରାନ୍ସରେ ବାସ କରୁଥିବା ଚାରିବାରୀ ସମ୍ପ୍ରଦାୟର ଲୋକମାନଙ୍କ ଭିତରେ ରହିଛି ଏକ ଭିନ୍ନ ପରମ୍ପରା। ଉକ୍ତ ପରମ୍ପରା ଅନୁଯାୟୀ, ଚତୁର୍ଥୀ ରାତିରେ ନବଦମ୍ପତିକୁ ସେମାନେ ବହୁତ ହଇରାଣ କରିଥାନ୍ତି। ସେମାନଙ୍କୁ ଏକାଠି ଶାନ୍ତିରେ ଶୋଇବାକୁ ଦିଅନ୍ତି ନାହିଁ। ରାତିଯାକ ତାଙ୍କର ବନ୍ଦ କବାଟ ବାହାରେ ଠିଆହୋଇ ଜୋର୍ରେ ପାଟି କରିଥାନ୍ତି, ତାଳି ମାରିଥାନ୍ତି, ବାଜା ବଜାଇଥାନ୍ତି ଏପରି କି ବାସନ ବଜାଇ ଖୁବ୍ ଶବ୍ଦ କରିଥାନ୍ତି। ଏପରି କଲେ କାଳେ ନବଦମ୍ପତିଙ୍କ ମଧ୍ୟରେ ଭଲ ପାଇବା ବଢ଼ିଥାଏ ବୋଲି ସେମାନଙ୍କର ବିଶ୍ୱାସ ରହିଛି। ସେଥିପାଇଁ ଆଜକୁ ଅନେକ ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ଭିନ୍ନ ପରମ୍ପରା ଏବେ ବି ଏଠାରେ ଚାଲୁଥିବାର ନଜିର ରହିଛି। ହେଲେ ଏହି ପରମ୍ପରା ଦ୍ୱାରା ନବଦମ୍ପତିଙ୍କ ଭିତରେ ଭଲ ପାଇବା ବଢୁଛି କି ନାହିଁ ତାହା ତ ଜଣାନାହିଁ ହେଲେ ଶବ୍ଦ ପ୍ରଦୂଷଣ ନିଶ୍ଚୟ ସୃଷ୍ଟି ହେଉଛି ଏଥିରେ ସନ୍ଦେହ ନାହିଁ।
ନବଦମ୍ପତିଙ୍କ ଉପରେ ଅସନା ଜିନିଷ ଫିଙ୍ଗିବାର ପରମ୍ପରା: ବାହାଘର ବେଳେ ନବଦମ୍ପତିଙ୍କୁ ନୂଆ ବସ୍ତ୍ର ପିନ୍ଧି, ପରିଷ୍କାର ପରିଚ୍ଛନ ହୋଇ ଶୁଦ୍ଧପୁତ ଭାବେ ରହିବାକୁ କୁହାଯାଇଥାଏ। ଏହାଦ୍ୱାରା ବାହାଘରର ସମସ୍ତ ବିଧିବିଧାନ ସୁରୁଖୁରୁରେ ସମ୍ପନ୍ନ ହୋଇ ସେମାନଙ୍କ ବୈବାହିକ ଜୀବନରେ ଖୁସି ଭରି ଦେଇଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି। ହେଲେ ଏସବୁର ଠିକ୍ ଓଲଟା ଦେଖିବାକୁ ମିଳେ ସ୍କଟଲାଣ୍ଡରେ। ଏଠାକାର କିଛି ସ୍ଥାନରେ ବିବାହ ପରେ ନବଦମ୍ପତିଙ୍କୁ ନୂଆ ବସ୍ତ୍ର ପିନ୍ଧିବାକୁ ଦେବା ତ ଦୂର କଥା ଓଲଟା ସେମାନେ ପିନ୍ଧିଥିବା ପୋଷାକକୁ ପୂରା ମଇଳା କରିଦିଆଯାଏ; ତାହା ପୁଣି ବିଭିନ୍ନ ପ୍ରକାରର ପଚାଶଢା ଖାଦ୍ୟ, ପନିପରିବା, ଅଇଁଠା ଖାଦ୍ୟ, ଛିଡିଯାଇଥିବା କ୍ଷୀର, ମାଛର କାତି ଓ ଗିଲି ଏବଂ ମଇଳା କଳାପାଣି ସେମାନଙ୍କ ଉପରକୁ ଫୋପାଡ଼ି। ଏପରି କରି ସେମାନେ ପରୀକ୍ଷା କରନ୍ତି ଯେ, କେତେଦୂର ପର୍ଯ୍ୟନ୍ତ ଏହି ନବଦମ୍ପତି ଉକ୍ତ ବିରକ୍ତିକର ଖେଳକୁ ସହ୍ୟ କରିପାରୁଛନ୍ତି, ତା’ ପୁଣି ଖୁସି ମନରେ। କୁହାଯାଏ, ଯେତେ ସମୟ ଧରି ନବଦମ୍ପତି ଏହି ଖେଳକୁ ବେଶ୍ ଆନନ୍ଦର ସହ ଉପଭୋଗ କରିଥାନ୍ତି, ସେମାନଙ୍କ ବୈବାହିକ ଜୀବନ ସେତେ ସୁଖମୟ ହୋଇଥାଏ। ଆଉ ସେମାନଙ୍କ ଭିତରେ ପ୍ରେମ ନିବିଡ଼ ହେବା ସହ ଯେତେ ଅସୁବିଧା ଆସିଲେ ବି କେହି କାହାର ହାତ ଛାଡ଼ନ୍ତି ନାହିଁ। ବରଂ ସାହସର ସହ ସେମାନେ ତାହାକୁ ସାମ୍ନା କରିବାକୁ ସମର୍ଥ ହୋଇଥାନ୍ତି। ତେଣୁ ଏହି ପରମ୍ପରା ଯେତେ ବିଚିତ୍ର ଲାଗିଲେ ବି ଏହା ପଛରେ ଥିବା ମହତ୍ ଉଦ୍ଦେଶ୍ୟକୁ ବୁଝି ଏବେ ବି ସ୍କଟଲାଣ୍ଡର କିଛି ସ୍ଥାନରେ ଏହାକୁ ପାଳନ କରାଯାଉଛି।
ବାହାଘର ପୂର୍ବରୁ ଦାନ୍ତକୁ ଫିଲିଂ କରିବାର ପରମ୍ପରା: ଦାନ୍ତ ସମସ୍ୟା ଦେଖାଦେଲେ ସାଧାରଣତଃ ଆମେ ଦନ୍ତ ଚିକିତ୍ସକଙ୍କ ପାଖକୁ ଯାଇଥାଉ। ଦାନ୍ତର ଅବସ୍ଥାକୁ ଦେଖି ଚିକିତ୍ସକ ଆମକୁ ଔଷଧ ଦେଇଥାନ୍ତି ନଚେତ୍ ଫିଲିଂ କିମ୍ବା ରୁଟ୍ କାନାଲ୍ କରିବାକୁ ପରାମର୍ଶ ଦେଇଥାନ୍ତି। ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଇଣ୍ଡୋନେସିଆର ବାଲି ଦ୍ୱୀପରେ ରହିଛି ଏମିତି ଏକ ପରମ୍ପରା, ଯେଉଁଥିରେ ବିବାହ ପୂର୍ବରୁ ଝିଅପୁଅଙ୍କୁ ବାଧ୍ୟତାମୂଳକ ଭାବେ ଦାନ୍ତ ଫିଲିଂ କରିବାକୁ ହୋଇଥାଏ। କିନ୍ତୁ ତାହା କୌଣସି ଡାକ୍ତରଙ୍କ ପାଖେ ନୁହେଁ ବରଂ ସେଠାକାର ପୂରୋହିତଙ୍କ ପାଖରେ। ତେବେ ଡାକ୍ତରଙ୍କ ପାଖେ କରାଯାଉଥିବା ଦାନ୍ତ ଫିଲିଂ ଆଉ ବାଲିରେ ପରମ୍ପରା ଅନୁଯାୟୀ କରାଯାଉଥିବା ଦାନ୍ତ ଫିଲିଂ ଭିତରେ ରହିଥାଏ ଅନେକ ପାର୍ଥକ୍ୟ। ବାଲି ବାସିନ୍ଦାଙ୍କର ବିଶ୍ୱାସ ରହିଛି ଯେ, ଯେଉଁ ମଣିଷଙ୍କ ଭିତରେ ରାଗ, ମୋହ, ମାୟା, କାମ, କ୍ରୋଧ ଓ ଈର୍ଷା ରହିଥାଏ; ସେ ମଣିଷ କାହାକୁ କେତେବେଳେ ଜାଣତରେ ହେଉ ଅବା ଅଜାଣତରେ ଏମିତି କିଛି କଥା କହିଦିଏ; ଯଦ୍ଦ୍ବାରା ସାମ୍ନା ଲୋକର ହୃଦୟକୁ ଖୁବ୍ ବାଧିଥାଏ। ଅନ୍ୟକୁ କଷ୍ଟ ଦେବାକୁ ବାଲିବାସିନ୍ଦା ଆଦୌ ପସନ୍ଦ କରନ୍ତି ନାହିଁ। ସେଥିପାଇଁ ସେମାନେ ଏହି ଅଜବ ପରମ୍ପରା ପାଳୁଛନ୍ତି। ଏଥିରେ ମୁଖ୍ୟତଃ ଉପର ମାଢ଼ିର ସାମ୍ନାପଟେ ଥିବା ୬ଟି ଦାନ୍ତକୁ କିଛି ସମୟ ପାଇଁ ତୀକ୍ଷ୍ଣ ଧାରୁଆ ଅସ୍ତ୍ରରେ ଘଷିବା ପରେ ସେଥିରେ ଏକ ସ୍ବତନ୍ତ୍ର ପ୍ରକାରର ଲେପ ଟିକେ ଟିକେ ଲଗାଇ ଦିଆଯାଇଥାଏ। ଏହା ଆଦୌ ଯନ୍ତ୍ରଣାଦାୟକ ହୋଇ ନ ଥାଏ। କିନ୍ତୁ ଏହି ପରମ୍ପରା ପାଳିବା ଦ୍ୱାରା କୁଆଡ଼େ ବ୍ୟକ୍ତିଙ୍କ ଭିତରୁ ରାଗ, ମୋହ, ମାୟା, କାମ, କ୍ରୋଧ ଓ ଈର୍ଷା ଦୂର ହୋଇଯାଇଥାଏ ବୋଲି ସେମାନଙ୍କର ବିଶ୍ୱାସ ରହିଛି। ସେଥିପାଇଁ ୬ରୁ ୧୮ ବର୍ଷର ସମସ୍ତ ବାଳିକା, ବାଳକଙ୍କୁ ଏଠାରେ ଉକ୍ତ ପରମ୍ପରା ଅନୁଯାୟୀ ଦାନ୍ତ ଫିଲିଂ କରାଇ ଦିଆଯାଇଥାଏ। ଆଉ ଯେଉଁମାନେ ଏହି ବୟସ ଭିତରେ ନିଜର ଦାନ୍ତ ଫିଲିଂ କରାଇ ନ ଥାନ୍ତି, ସେମାନଙ୍କୁ ବିବାହ ପୂର୍ବରୁ ବାଧ୍ୟତାମୂଳକ ଭାବେ ଏହି ବିଧି ପାଳନ କରିବାକୁ ହୋଇଥାଏ। ତେବେ ଏହି ଦାନ୍ତ ଫିଲିଂ କରାଇବାର ପରମ୍ପରାକୁ ଏଠାରେ ବେଶ୍ ଆନନ୍ଦ ସହକାରେ ବଡ଼ ଉତ୍ସବ ଆକାରରେ ପାଳନ କରାଯାଇଥାଏ। କୁହାଯାଏ, ଏହି ପରମ୍ପରା ଦ୍ୱାରା କେବଳ ଯେ ମଣିଷ ଭିତରୁ ରାଗ, ମୋହ, ମାୟା, କାମ, କ୍ରୋଧ ଓ ଈର୍ଷା ଦୂର ହୁଏ ତାହା ନୁହେଁ, ଜୀବନରେ ବେଶ୍ ଖୁସି ଆସିଥାଏ। ତା’ସହିତ ମୃତ୍ୟୁ ପରେ ମୋକ୍ଷ ପ୍ରାପ୍ତି ବି ହୋଇଥାଏ ବୋଲି ସେମାନଙ୍କର ଗଭୀର ବିଶ୍ୱାସ ରହିଛି।
ବାହାଘରର ମାସେ ପୂର୍ବରୁ କାନ୍ଦିବାର ପରମ୍ପରା: ବାହାଘର ଏକ ଖୁସିର ମୁହୂର୍ତ୍ତ। ଏହା ଦୁଇଟି ଭିନ୍ନ ମଣିଷ ତଥା ଦୁଇ ଅପରିଚିତ ପରିବାର ମଧ୍ୟରେ ପବିତ୍ର ସମ୍ପର୍କ ଗଢ଼ି ଦେଇଥାଏ। ସେଥିପାଇଁ ସମସ୍ତେ ବେଶ୍ ଖୁସି ଥାନ୍ତି। ହେଲେ ଯେତେବେଳେ ବାହାଘର ସରି ଝିଅ ବିଦାବେଳ ଆସେ ସେତେବେଳେ ସମସ୍ତଙ୍କ ଆଖିରେ ଲୁହ ଜକେଇଆସେ। ପାଦରେ ଅଳତା, ମଥାରେ ସିନ୍ଦୂର ଓ ହାତରେ ଶଙ୍ଖା ପିନ୍ଧି ସ୍ବାମୀ ସଙ୍ଗେ ନୂଆ ସଂସାର ଗଢ଼ିବାକୁ ବାପଘରର ଏରୁଣ୍ଡି ଡେଇଁ ଯାଉଥିବା ଝିଅଟି ତା’ର ସମ୍ପର୍କୀୟଙ୍କୁ ଧରି ଭୋ ଭୋ ହୋଇ କାନ୍ଦିବାର ଦୃଶ୍ୟ ବେଶ୍ ହୃଦୟ ବିଦାରକ ହୋଇଥାଏ। ଏଭଳି ପରମ୍ପରା ଆମ ଓଡ଼ିଶାରେ ତଥା ଭାରତର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥାଏ। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଚାଇନାର କିଛି ସ୍ଥାନରେ ବାହାଘର ହେବାର ମାସେ ପୂର୍ବରୁ କାନ୍ଦିବାର ଅଜବ ପରମ୍ପରା ରହିଛି। ଅର୍ଥାତ୍ ଯେଉଁ ଝିଅଟିର ବାହାଘର ଠିକ୍ ହୋଇଯାଇଛି, ସେହି ଝିଅ ଘରର ସ୍ତ୍ରୀଲୋକମାନେ ବାହାଘର ହେବାର ମାସେ ପୂର୍ବରୁ ପ୍ରତିଦିନ କିଛି କିଛି ସମୟ ଝିଅକୁ ଧରି କାନ୍ଦିଥାନ୍ତି। ଅନ୍ୟପକ୍ଷେ ଝିଅ ବି ତା’ର ଘର ଓ ସମ୍ପର୍କୀୟ ସ୍ତ୍ରୀଲୋକଙ୍କୁ ତଥା ଝିଅ ସାଙ୍ଗମାନଙ୍କୁ ଧରି କାନ୍ଦିଥାଏ। ପ୍ରତିଦିନ କାନ୍ଦିବାର ସ୍ବର ଶୁଣିବାକୁ ଭଲ ଲାଗୁ ନ ଥିଲେ ବି ଏହାଦ୍ୱାରା ଝିଅର ବୈବାହିକ ଜୀବନ ସୁଖମୟ ହୋଇଥାଏ ବୋଲି ସେମାନଙ୍କର ବିଶ୍ୱାସ ରହିଛି। ସେଥିପାଇଁ କାହିଁ କେତେ କାଳରୁ ଚାଲିଆସୁଥିବା ଏହି ପରମ୍ପରା ଏବେ ବି ଚାଇନାର କେତେକ ସ୍ଥାନରେ ପାଳନ କରାଯାଉଥିବାର ନଜିର ଦେଖିବାକୁ ମିଳୁଛି।
ପୁରୁଷମାନେ ନାରୀ ବେଶରେ କରିଥାନ୍ତି ଦେବୀ ପୂଜା: ସାଧାରଣତଃ ବିଜୟାଦଶମୀ ଦିନ ମା’ଙ୍କର ସମସ୍ତ ପୂଜାର୍ଚ୍ଚନା ବିଧି ସରିବା ପରେ ବଙ୍ଗାଳୀ ସମ୍ପ୍ରଦାୟର ସଧବା ନାରୀମାନେ ମା’ଙ୍କୁ ସିନ୍ଦୂର ଲଗାଇ ପୂଜାର୍ଚ୍ଚନା କରି ପରସ୍ପରକୁ ମଧ୍ୟ ସିନ୍ଦୂର ଲଗାଇଥାନ୍ତି। ଏହାକୁ ସାଧାରଣରେ ସିନ୍ଦୂର ଖେଳ ବୋଲି କୁହାଯାଇଥାଏ। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ପଶ୍ଚିମବଙ୍ଗର ହୁଗୁଳି ଜିଲା ଅନ୍ତର୍ଗତ ଚନ୍ଦନନଗର ନାମକ ଏକ ସ୍ଥାନରେ ମହିଳାଙ୍କ ପରିବର୍ତ୍ତେ ପୁରୁଷମାନେ ନାରୀଙ୍କ ପରି ଶାଢି ପିନ୍ଧି ମା’ ଜଗଧାତ୍ରୀଙ୍କର ପୂଜା କରିବାର ଭିନ୍ନ ଏକ ବିଧି ପାଳନ କରିଥାନ୍ତି। ଏହି ପରମ୍ପରା ଏବେକାର ନୁହେଁ ବରଂ ଦୁଇ ଶହ ବର୍ଷରୁ ଊର୍ଦ୍ଧ୍ୱ ସେଠାରେ ଏମିତି ଭାବେ ପୁରୁଷମାନେ ପ୍ରତିବର୍ଷ ମା’ଙ୍କୁ ପୂଜା କରିଆସୁଛନ୍ତି ବୋଲି ସୂଚନା ରହିଛି। ଏହି ପୂଜାରେ ମୁଖ୍ୟତଃ ୧୩ ଜଣ ପୁରୁଷ ନାରୀଙ୍କ ପରି ଶାଢି ପିନ୍ଧି କପାଳରେ ସିନ୍ଦୂର ଲଗାଇ ଓ ମଥାରେ ଓଢ଼ଣି ଟାଣି ରୀତିନୀତି ଅନୁସାରେ ମା’ ଜଗଧାତ୍ରୀଙ୍କର ପୂଜା କରିବାର ନିୟମ ରହିଛି; ଯାହାକୁ ଆଜିଯାଏ ଠିକ୍ ଠିକ୍ ଭାବେ ସ୍ଥାନୀୟ ଲୋକେ ପାଳନ କରି ମା’ଙ୍କର ଆଶୀର୍ବାଦ ପାଇ ଆସୁଛନ୍ତି। ଇତିହାସ ପୃଷ୍ଠାରୁ ଯାହା ଜଣାଯାଏ ଯେ, ଦୁଇ ଶହ ବର୍ଷ ତଳେ ନାରୀମାନେ ଏତେ ବାହାରକୁ ବାହାରୁ ନ ଥିଲେ। ସନ୍ଧ୍ୟା ସମୟରେ ବାହାରିବା ତ ଯେମିତି ତାଙ୍କ ପାଇଁ ନିୟମ ବିରୁଦ୍ଧ ଥିଲା। ସେଥିପାଇଁ ମା’ଙ୍କର ଏହି ପୂଜା କରିବାକୁ ସ୍ଥାନୀୟ ଅଞ୍ଚଳର ପୁରୁଷମାନେ ନାରୀ ବେଶ ହେବାକୁ ବାଧ୍ୟ ହୋଇଥିଲେ ଆଉ ସେବେଠାରୁ ଏହି ପରମ୍ପରା ଆଜିଯାଏ ଚାଲି ଆସୁଛି।
ସ୍ବାମୀ ଜୀବିତ ଥାଇ ବି ବିଧବା ହୋଇଥାନ୍ତି ମହିଳା: ସ୍ବାମୀଙ୍କର ଦୀର୍ଘାୟୁ କାମନା କରି ସଧବା ନାରୀଟିଏ ମଥାରେ ସିନ୍ଦୂର, ହାତରେ ଶଙ୍ଖା ଆଉ ପାଦରେ ଅଳତା ଲଗାଇଥାଏ। ଏହି ତିନୋଟି ଜିନିଷ ପ୍ରତ୍ୟେକ ସଧବାଙ୍କ ପାଇଁ ଖୁବ୍ ମୂଲ୍ୟବାନ ହୋଇଥାଏ। ସ୍ବାମୀ ଜୀବିତ ଥାଉ ଥାଉ ମଥାରୁ ସିନ୍ଦୂର ପୋଛିଦେବା ବା ହାତରୁ ଶଙ୍ଖା ଖୋଲିଦେବାକୁ ଅଶୁଭ ବୋଲି ହିନ୍ଦୁ ଧର୍ମରେ ମାନ୍ୟତା ରହିଛି। କିନ୍ତୁ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଉତ୍ତରପ୍ରଦେଶ ତଥା ବିହାରର କେତେକ ସ୍ଥାନରେ ଗଚଓ୍ବାହା ନାମକ ଏକ ସମ୍ପ୍ରଦାୟର ଲୋକ ବାସ କରିଥାନ୍ତି। ଏହି ସମ୍ପ୍ରଦାୟର ପୁରୁଷମାନେ ମୁଖ୍ୟତଃ ଖଜୁରି ଗଛରୁ ତାଡ଼ି କାଢ଼ି ନିଜର ପରିବାର ଚଳାଇଥାନ୍ତି। ଏହି କାମ ବିଶେଷକରି ସେମାନେ ମେ’ରୁ ଜୁଲାଇ ମାସ ପର୍ଯ୍ୟନ୍ତ କରିଥାନ୍ତି। ବେଳେବେଳେ ତାଡ଼ି କାଢ଼ିବାକୁ ଯାଇ ସେମାନଙ୍କ ଭିତରୁ ଅନେକେ ଗଛରୁ ପଡ଼ି ମୃତ୍ୟୁବରଣ କରିଥାନ୍ତି ଅବା ହାତଗୋଡ଼ ଭାଙ୍ଗି ଅକର୍ମଣ୍ୟ ହୋଇଯାନ୍ତି। ସେଥିପାଇଁ ଏହି ତିନିମାସ ପର୍ଯ୍ୟନ୍ତ ପରିବାରଲୋକେ ବିଶେଷକରି ସ୍ତ୍ରୀ ଲୋକମାନେ ନିଜ ସ୍ବାମୀଙ୍କର ମଙ୍ଗଳ କାମନା କରି ବହୁ ଦୁଃଖରେ ଦିନ ବିତାଇଥାନ୍ତି; ଯେଉଁଥିପାଇଁ ସେମାନେ ସ୍ବାମୀଙ୍କର ଦୀର୍ଘାୟୁ କାମନା କରି ଦେବୀମା’ଙ୍କ ପାଦ ତଳେ ନିଜର ସୁହାଗର ସମସ୍ତ ଚିହ୍ନ ଶଙ୍ଖା, ସିନ୍ଦୂର ତଥା ଅଳତା ଆଦିକୁ ରଖି ଦେଇ ନିଜକୁ ବିଧବା ବେଶରେ ସଜାଇ ଦେଇଥାନ୍ତି। ଆଉ ବିଧବା ନାରୀମାନେ ଯେମିତି ବଞ୍ଚତ୍ଥାନ୍ତି ସେମିତି ଦୁଃଖରେ, କଷ୍ଟରେ ସ୍ବାମୀଙ୍କୁ ଝୁରିଝୁରି ରହିଥାନ୍ତି। ତିନିମାସ ପରେ ଖଜୁରି ଗଛରୁ ତାଡ଼ି ଆଣିବା କାମ ସରିଗଲେ ସେମାନେ ପୁନର୍ବାର ମା’ଙ୍କ ପାଖରେ ପୂଜାର୍ଚ୍ଚନା କରି ଶଙ୍ଖା, ସିନ୍ଦୂର ପିନ୍ଧି ସ୍ବାମୀଙ୍କ ସହ ଖୁସିରେ ଜୀବନ ଅତିବାହିତ କରିଥାନ୍ତି। କିନ୍ତୁ ଏହି ତିନିମାସ ଭିତରେ ଯାହାଙ୍କର ସ୍ବାମୀ ମରିଯାନ୍ତି, ସେମାନଙ୍କୁ କେବଳ ଏହି ତିନିମାସ ନୁହେଁ ସାରା ଜୀବନ ସ୍ବାମୀହରାର ଯନ୍ତ୍ରଣା ସହିବାକୁ ହୋଇଥାଏ।
ମୃତବ୍ୟକ୍ତିଙ୍କର ଚୁଟି କାଟି ରଖିବାର ପରମ୍ପରା: ପରିବାରରେ କାହାର ମୃତ୍ୟୁ ହୋଇଗଲେ ତାଙ୍କର ଅସ୍ଥିକୁ ଗଙ୍ଗାନଦୀ ଅବା ତ୍ରିବେଣୀ ସଙ୍ଗମରେ ବିସର୍ଜନ କରିବାର ବିଧି ଆମ ଭିତରୁ ଅନେକେ ଶୁଣିଛେ ବା ଜାଣିଛେ। କିନ୍ତୁ କେବେ କୌଣସି ମୃତ୍ୟବ୍ୟକ୍ତିଙ୍କର ଚୁଟିକୁ କାଟି ତାହାକୁ ସାଇତି ରଖିବାର ପରମ୍ପରା ବିଷୟରେ ହୁଏତ ଆମ ଭିତରୁ କମ୍ ଜାଣିଥିବେ। ହେଲେ ଏମିତି ଏକ ଅଜବ ପରମ୍ପରା ରହିଛି ଚାଇନାରେ ବସବାସ କରୁଥିବା ମିଆଓ ନାମକ ଏକ ସମ୍ପ୍ରଦାୟର ଲୋକମାନଙ୍କ ଭିତରେ। ଏହି ସମ୍ପ୍ରଦାୟରେ କୌଣସି ବୟୋଜ୍ୟେଷ୍ଠଙ୍କର ମୃତ୍ୟ ହୋଇଗଲେ ତାଙ୍କ ସମ୍ପର୍କୀୟମାନେ ଉକ୍ତ ମୃତବ୍ୟକ୍ତିଙ୍କର ଚୁଟିକୁ କାଟିଆଣି ସେଥିରେ ଏକ ସ୍ବତନ୍ତ୍ର ପ୍ରକାରର ଓ୍ବିଗ୍ ତିଆରି କରି ନିଜ ପାଖରେ ସାଇତି ରଖିଥାନ୍ତି। ଆଉ ସେହି ଓ୍ବିଗ୍କୁ ସେମାନେ ବାହାଘର ହେଉ ଅବା କୌଣସି ବିଶେଷ କାର୍ଯ୍ୟକ୍ରମ ସମୟରେ ମୁଣ୍ଡରେ ଧାରଣ କରିଥାନ୍ତି। ଏହାଦ୍ୱାରା ସେମାନଙ୍କୁ କୁଆଡ଼େ ଉକ୍ତ ମୃତ ବୟୋଜ୍ୟେଷ୍ଠଙ୍କର ଆଶୀର୍ବାଦ ମିଳିଥାଏ ବୋଲି ସେମାନଙ୍କର ବିଶ୍ୱାସ ରହିଛି।
ପରସ୍ପର ଉପରକୁ ଛେପ ଫୋପାଡ଼ିବାର ପରମ୍ପରା: ଆମ ଭିତରୁ କେହି ଛେପ ପକାଇଲାବେଳେ ଯଦି ଭୁଲ୍ରେ ବି କାହା ଉପରେ ଟିକେ ଛେପ ପଡ଼ିଯାଏ, ତା’ହେଲେ ନିଜକୁ ଖୁବ୍ ଖରାପ ଲାଗିଥାଏ। ତାଙ୍କୁ ଭୁଲ୍ ନ ମାଗିଲା ପର୍ଯ୍ୟନ୍ତ ମନ କେମିତି ଗୋଳେଇ ଘାଣ୍ଟି ହେଉଥାଏ। କିନ୍ତୁ ଜାଣିଶୁଣି କେହି କାହା ଉପରକୁ ଛେପ ପକାଇବା ଘଟଣା ଶୁଣିଲେ ହିଁ ଅଜବ ଲାଗୁଛି ନା! କିନ୍ତୁ ଏମିତି ଏକ ଅଜବ ପରମ୍ପରା ପାଳନ କରି ଆସୁଛନ୍ତି ଆଫ୍ରିକାରେ ବାସ କରୁଥିବା ମାସାଈ ସମ୍ପ୍ରଦାୟର ଲୋକମାନେ। ସେମାନଙ୍କର ବିଶ୍ୱାସ ରହିଛି ଯେ, ପରସ୍ପର ଉପରକୁ ଛେପ ପକାପକି ହେଲେ ଭଲ ପାଇବା ବଢ଼ିଥାଏ ଆଉ ସମ୍ପର୍କ ମଜଭୁତ୍ ହୋଇଥାଏ। ଏଥିସହିତ କାହାରି ଖରାପ ଦୃଷ୍ଟି ସେମାନଙ୍କ ଉପରେ ପଡ଼ି ନ ଥାଏ।
କଫିନ୍କୁ ମାଟି ତଳେ ନ ପୋତି ଝୁଲାଇ ଦେଇଥାନ୍ତି: ଅନ୍ତିମ ସତ୍କାରକୁ ନେଇ ଭିନ୍ନ ଭିନ୍ନ ଧର୍ମରେ ଭିନ୍ନ ଭିନ୍ନ ପରମ୍ପରା ରହିଛି। କେଉଁ ଧର୍ମରେ ଜୁଇ ଜାଳି ମୃତବ୍ୟକ୍ତିଙ୍କର ଅନ୍ତିମ ସତ୍କାର କରାଯାଇଥାଏ ତ ଆଉ କେଉଁ ଧର୍ମ ମୃତବ୍ୟକ୍ତିଙ୍କୁ କଫିନ୍ରେ ଭର୍ତ୍ତି କରି ମାଟି ତଳେ ପୋତି ଦିଆଯାଏ। କିନ୍ତୁ ଫିଲିପାଇନ୍ସରେ ବାସ କରୁଥିବା ଇଗୋରୋଟ୍ ନାମକ ଏକ ସମ୍ପ୍ରଦାୟର ଲୋକମାନେ ତାଙ୍କର ସମ୍ପର୍କୀୟ କାହାର ମୃତ୍ୟୁ ହୋଇଗଲେ ତାଙ୍କ ମୃତ ଦେହକୁ କଫିନ୍ରେ ଭର୍ତ୍ତି କରି ନିକଟରେ ଥିବା ପାହାଡ଼ରେ ଝୁଲାଇ ଦେଇଥାନ୍ତି। କାରଣ ମାଟି ତଳେ ପୋତିଦେଲେ ସେମାନଙ୍କର କାଳେ ଅପମାନ ହେବ ଆଉ ସେମାନଙ୍କର ଆତ୍ମା ଶୀଘ୍ର ମୁକ୍ତି ପାଇପାରିବ ନାହିଁ, ସେଥିପାଇଁ ସେମାନେ ମୃତବ୍ୟକ୍ତିଙ୍କର କଫିନ୍କୁ ମାଟି ତଳେ ନ ପୋତି ପାହାଡ଼ରେ ଝୁଲାଇ ଦେଇଥାନ୍ତି। ଏପରି କରି ସେମାନେ ମୃତବ୍ୟକ୍ତିଙ୍କୁ ସମ୍ମାନ ଦେଇଥାନ୍ତି ବୋଲି ସେମାନଙ୍କର ବିଶ୍ୱାସ ରହିଛି।
ଯେ କୌଣସି ପରମ୍ପରା ହେଉ ନା କାହିଁକି ଯଦି ତାହାକୁ ଶ୍ରଦ୍ଧା ଆଉ ବିଶ୍ୱାସ ସହକାରେ ପାଳନ କରାଯାଏ ତା’ହେଲେ ତାହା ବେଶିଦିନ ଯାଏ ତିଷ୍ଠି ରହିଥାଏ। ଏଇ ଯେମିତି ଏଠାରେ ଉଲ୍ଲେଖ କରାଯାଇଥିବା କିଛି ଅଜବ ପରମ୍ପରାକୁ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଲୋକେ ବିଶ୍ୱାସର ସହ ପାଳନ କରି ଭିନ୍ନ ଏକ ଉଦାହରଣ ସୃଷ୍ଟି କରିପାରିଛନ୍ତି।