ପୁରୀ ଅଫିସ,୧୪।୧୦: ପୁରୀ ଜିଲା ବ୍ରହ୍ମଗିରି ଥାନା ଅଧୀନ ଖଜୁରିଆରେ ସୋମବାର ପୂର୍ବାହ୍ନରେ
ଟିଫିନ ବୋମା ବିସ୍ଫୋରଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ସେ ହେଲେ ଉକ୍ତ ଗ୍ରାମର କୁନ୍ତଳା ପରିଡା(୫୭)। ଚିକିତ୍ସା ପାଇଁ ତାଙ୍କୁ ଜିଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, କୁନ୍ତଳା ଖଜୁରିଆରେ ଥିବା ଶ୍ୟାମ କାଳି ମଠକୁ ଜାଳେଣି କାଠ ଆଣିବା ପାଇଁ ଯାଇଥିଲେ। ସେଠାରେ ଥିବା କାଠ ଭିତରେ ଏକ ଟିଫିନ୍ ରହିଥିଲା। କୁନ୍ତଳା କୌତୁହଳ ବଶତଃ ଏହାକୁ ଖୋଲିବା ମାତ୍ରେ ବିସ୍ଫୋରଣ ଘଟିଥିଲା। ତେବେ ମଠ ପରିସରରେ କିଏ ଓ କାହିଁକି ଟିଫିନ୍ ବୋମା ରଖିଥିଲା ତାହାକୁ ନେଇ ଆଲୋଚନା ଜୋର୍ ଧରିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।