ମଣିମା ଓ ମଣିଷ

ନିରଞ୍ଜନ ପାଢ଼ୀ

ଗଣତନ୍ତ୍ରର ଗରିମା ମଧ୍ୟରେ ରାଜତନ୍ତ୍ର ବିଲୟ ଲଭିବାର ଇତିହାସ ପୁରୁଣା ହୋଇଗଲାଣି। ଜନତନ୍ତ୍ରର ଜୟଧ୍ୱନି ମଧ୍ୟରେ କେବେଠୁଁ ନିଃଶବ୍ଦ ହୋଇଗଲାଣି ମଣିମା ବୋଲି ଏକ ରାଜକୀୟ ଉଚ୍ଚାରଣ। ଜରିଲଗା ଝଲମଲ ରାଜପୋଷାକ ପିନ୍ଧି, ସିଂହାସନରେ ବସି ମଣିମା ବୋଲାଉଥିବା ରାଜା ମହାରାଜାମାନେ କେବଳ ଯାହା ଏବେ ଦେଖା ମିଳୁଛନ୍ତି ଯାତ୍ରା ପାର୍ଟିରେ ଅବା ଟିଭି ପରଦାରେ। ମାତ୍ର ବିଡମ୍ବନାର ବିଷୟ, ଜନମାନସରେ ବିସ୍ମୃତ ହୋଇଥିବା ମଣିମା ଭଳି ସମ୍ଭ୍ରାନ୍ତ ଶବ୍ଦଟିଏ ତଥାପି ତିଷ୍ଠି ରହିଛି ନିଜକୁ ନିଆରା ବିଚାରୁଥିବା କେଇଜଣ ମହଙ୍ଗା ମଣିଷଙ୍କ ସାମନ୍ତବାଦୀ ମାନସିକତାରେ। ଅତୀତରେ ରାଜବଂଶର ଦାୟାଦଟିଏ ରାଜପୁରରେ ଜନ୍ମ ହେଲା ମାତ୍ରେ ମଣିଷ ଭାବେ କମ୍‌, ଭବିଷ୍ୟତର ମଣିମା ଭାବେ ବେଶି ସ୍ବୀକୃତ ହେଉଥିଲେ। ନିଜ ଲଲାଟରେ ଅଦୃଶ୍ୟ ଭାବେ ଅଙ୍କିତ ମଣିମାର ମୋହରକୁ ନେଇ ରାଜକୀୟ ଔଜ୍ଜ୍ୱଲ୍ୟ ମଧ୍ୟରେ ଲାଳିତ ହେଉଥିଲା ସେମାନଙ୍କ ସୁକୁମାର ଶୈଶବ। ସେମାନଙ୍କ ଓଠର ହସରେ ସାରା ରାଜ୍ୟର ସୁଖ ସମୃଦ୍ଧି ପ୍ରତିଫଳିତ ହେଉଥିଲା ତ ଆଖିର ଲୁହରେ ଝରି ପଡୁଥିଲା ରାଇଜଯାକର ଦୁଃଖ। ଏମିତି ଏକ ସବୁଜ ଶୈଶବ ଯେତେବେଳେ ଦୀପ୍ତିମୟ ଯୌବନରେ ରୂପାନ୍ତରିତ ହେଉଥିଲା, ସେତେବେଳେ ବ୍ରାହ୍ମଣର ବେଦପାଠ ଓ ଶୁଭ ଶଙ୍ଖନାଦ ମଧ୍ୟରେ ଅଭିଷିକ୍ତ ହେଉଥିଲେ ରାଜକୁମାର, ଆସନ୍ତାକାଲିର ମଣିମା!
କାଳକ୍ରମେ ପୁରୁଣା ରାଜାଙ୍କ ଅବସର ପରେ ସିଂହାସନରେ ବସୁଥିଲେ ନୂଆ ରାଜା। ରାଜ ପରମ୍ପରାର ନବକଳେବର ମଧ୍ୟରେ ପ୍ରଜାମାନେ କିନ୍ତୁ ଯେଉଁଠି ଥିଲେ, ସେଇଠି ରହୁଥିଲେ। ମଣିମାଙ୍କ ନଅରଠାରୁ ସେମାନଙ୍କ ଦୁନିଆର ଦୂରତ୍ୱ କିଛି କମିଯାଉ ନ ଥିଲା। ଦରବାରୀ ସାମନ୍ତଙ୍କ ସ୍ତୁତିଗାନ, ରାଜନର୍ତ୍ତକୀର ଘୁଙ୍ଗୁର ଧ୍ୱନି ଓ ଲାସ୍ୟମୟୀ ଲଳନାଙ୍କ ଯାଦୁକରୀ ଆମନ୍ତ୍ରଣରୁ ମୁକ୍ତ ରହି ଦୁଃଖୀ ପ୍ରଜାଙ୍କର ଦୁଃଖ ମୋଚନ ପାଇଁ ରାଜାଙ୍କର ସମୟ ନ ଥିଲା। ନିଜ ଗୁହାରି ଜଣାଇବାକୁ ଦୂରଦୂରାନ୍ତରୁ ଆସି ଦିନ ଦିନ ଧରି ରାଜଧାନୀରେ ଅପେକ୍ଷା କରୁଥିବା ପ୍ରଜାମାନେ ରାଜାଙ୍କ ସାମାନ୍ୟ ଦର୍ଶନରୁ ମଧ୍ୟ ବଞ୍ଚିତ ହେଉଥିଲେ ଓ ଫେରି ଯାଉଥିଲେ ହୃଦୟରେ ପୁଳାଏ ଅସନ୍ତୋଷ ଭରି, ନିଜ ଅସହାୟତାକୁ ପ୍ରଚଣ୍ଡ ଅଭିଶାପ ଦେଇ।
ଏବେ କିନ୍ତୁ ସମୟ ବଦଳିଛି। ରାଜତନ୍ତ୍ର ବିରୋଧରେ ପୁଞ୍ଜୀଭୂତ ଜନ ଅସନ୍ତୋଷର ବିସ୍ଫୋରଣରେ ଧ୍ୱଂସ ପାଇଛି ସ୍ବେଚ୍ଛାଚାରୀ ସାମନ୍ତବାଦ। ରାଜତନ୍ତ୍ରର ଧ୍ୱଂସସ୍ତୂପ ମଧ୍ୟରୁ ଗଢ଼ିଉଠିଛି ଜନକଲ୍ୟାଣକାରୀ ପ୍ରଜାତନ୍ତ୍ର। ପ୍ରତିଧ୍ୱନିତ ହେଉଛି ବଳିଷ୍ଠ ବିଶ୍ୱାସର ଏକ ଆତ୍ମିକ ଉଚ୍ଚାରଣ- ମୋର, ମୋ ପାଇଁ ଓ ମୋ ଦ୍ୱାରା। ରାଜରାଜୁଡା ଶାସନର କଳଙ୍କିତ କାହାଣୀ ପଢୁଥିବା ସାଧାରଣ ଲୋକଟିଏ ନିଜକୁ ନିଜେ ବୁଝାଉଛି, ରାଜା ଓ ପ୍ରଜା ମଧ୍ୟରେ ଦୁର୍ଲଂଘ୍ୟ ଦୂରତା ଏବେ ଦୂରୀଭୂତ। ମଣିମା ଓ ମଣିଷ ଭିତରେ ପାର୍ଥକ୍ୟ ଏବେ ସଂକୁଚିତ। ମୁଁ ଏବେ ମୁକ୍ତ, ମୁକ୍ତ ମୋର ଜଗତ, ଯେଉଁଠି କେହି ମଣିମା ନାହାନ୍ତି, ଚାରିଆଡେ କେବଳ ମଣିଷ ହିଁ ମଣିଷ।
ଅଥଚ ପ୍ରକୃତ ସତ୍ୟ ଏମିତି ଏକ ସ୍ବପ୍ନର କେତେ ନିକଟବର୍ତ୍ତୀ ତାହା ଆମ ଭଳି ମଣିଷ ସମସ୍ତେ ଜାଣନ୍ତି। ଗଣତନ୍ତ୍ରର ବାସନାରେ ବିମୋହିତ ଓ ଏହାର ଗରିମାରେ ଗୌରବାନ୍ବିତ ସାଧାରଣ ମଣିଷଟିର ମୋହଭଙ୍ଗ ସେଦିନରୁ ଘଟି ସାରିଲାଣି, ଯେଉଁଦିନରୁ ସେ ସେକାଳର ରାଜା ଓ ଏକାଳର ରାଜାଙ୍କ ମଧ୍ୟରେ କିଛି ବି ଫରକ ନାହିଁ ବୋଲି ବୁଝିସାରିଲାଣି। ଏବେ ନିର୍ବାଚନ ସରି ଆମ ରାଜ୍ୟରେ ନୂଆ ସରକାର ପ୍ରତିଷ୍ଠା ହେବା ତିନିମାସ ବି ପୂରିନାହିଁ, ଅଥଚ କେଇବର୍ଷ ମନ୍ତ୍ରୀ ଥାଇ ପୁଣି ଏବେ ମନ୍ତ୍ରୀ ହୋଇଥିବା ଜଣେ ଗଣତନ୍ତ୍ରର ଧ୍ୱଜାଧାରୀଙ୍କ ଆଚରଣରେ ଯେଉଁ ମଣିମାତ୍ୱ ଫୁଟି ଉଠିଲା, ତାକୁ ଦେଖି କିଏ ବା କହନ୍ତେ ଯେ ରାଜତନ୍ତ୍ର ତୁଳନାରେ ଗଣତନ୍ତ୍ର ଏକ ବାଞ୍ଛିତ ବରଦାନ!
ନିଜ ବୃତ୍ତିରୁ ଅବସର ନେଇ ଗାଁରେ ରହୁଥିବା ଜଣେ ବୃଦ୍ଧ ନିଜ ଅଞ୍ଚଳରେ ଏକ କଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିବା ନିମନ୍ତେ ମନ୍ତ୍ରୀଙ୍କ ସହଯୋଗ ପାଇଁ ଆସିଥିଲେ ରାଜଧାନୀ। ସାଙ୍ଗରେ ଥିଲେ ଅନ୍ୟ ଦୁଇଜଣ ସମବୟସ୍କ ସହଯୋଗୀ। ମନ୍ତ୍ରୀଙ୍କ ସହ ତାଙ୍କର ପରିଚୟ ସେତେ ଘନିଷ୍ଠ ନ ଥିଲେ ବି ସେ ତାଙ୍କର ଅଜଣା ନ ଥିଲେ। ମନ୍ତ୍ରିତ୍ୱର ମୁକୁଟ ପିନ୍ଧିବା ପୂର୍ବରୁ ନିର୍ବାଚନ ସମୟରେ ନେତା ମହୋଦୟ ତାଙ୍କ ଘରେ ପଖାଳ ଶାଗଭଜା ଖାଇଥିଲେ ଓ ତାଙ୍କ ଲଙ୍ଗଳା ନାତିକୁ କୋଳକୁ ନେଇ ଗେଲ କରିଥିଲେ। ସୁତରାଂ ମାତ୍ର ତିନିମାସ ପୂର୍ବର ଏ ଅନ୍ତରଙ୍ଗତା ଉପରେ ଭରସା କରି ମନ୍ତ୍ରୀଙ୍କ ସହଯୋଗ ସୁଲଭ ହେବ ବୋଲି ବୃଦ୍ଧ ବିଶ୍ୱାସ କରିଥିଲେ। ନିଜର କୌଣସି ବ୍ୟକ୍ତିଗତ ସ୍ବାର୍ଥ ନ ଥାଇ ନିଜ ଗାଁର ସାମୂହିକ କଲ୍ୟାଣ ପାଇଁ ମନ୍ତ୍ରୀଙ୍କ ସାହାଯ୍ୟ ଲୋଡୁଥିବାରୁ ଏହା ଲାଭ କରିବା ଦିଗରେ ସେ ଥିଲେ ଯଥେଷ୍ଟ ଆଶାବାଦୀ।
ଅବଶ୍ୟ ଏହା ପୂର୍ବରୁ ନିଜ ଅଞ୍ଚଳରେ ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା ସଭାରେ ସେ ତାଙ୍କୁ ଭେଟିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ରାଜଧାନୀରେ ମନ୍ତ୍ରୀ ନିବାସରେ ପହଞ୍ଚି ପ୍ରାୟ ଘଣ୍ଟାଏ ଅପେକ୍ଷା କଲାପରେ ମନ୍ତ୍ରୀଙ୍କର ଦେଖା ମିଳିଲା। ତାଙ୍କୁ ନମସ୍କାର କରି କିଛି କହିବା ପୂର୍ବରୁ ମନ୍ତ୍ରୀ କାର୍‌ରେ ବସି ଗସ୍ତରେ ବାହାରିଗଲେ। ଜଣେ ବୟସ୍କ ଗୁରୁଜନଙ୍କ ନମସ୍କାରର ପ୍ରତିନମସ୍କାର ବା ପୂର୍ବପରିଚୟର ସନ୍ତକ ସ୍ବରୂପ ଛୋଟ ହସଟିଏ ମଧ୍ୟ ତାଙ୍କ ପାଇଁ ମହଙ୍ଗା ହୋଇପଡ଼ିଲା। ବିଷଣ୍ଣଚିତ୍ତ ବୃଦ୍ଧଙ୍କୁ କୁହାଗଲା ମନ୍ତ୍ରୀ ରାତିରେ ଫେରିବେ ଏବଂ ପରଦିନ ସକାଳେ ତାଙ୍କ ସହ ସାକ୍ଷାତ୍‌ ସମ୍ଭବ ହୋଇପାରେ। ଦୁଇ ସହଯୋଗୀଙ୍କ ସହ ସେଦିନ ରାତିରେ ରାଜଧାନୀରେ ରହିଲାବେଳେ ବୃଦ୍ଧ ଅତୀତର ଅନ୍ଧାରି ଗର୍ଭରେ ଉଜ୍ଜ୍ୱଳ ବର୍ତ୍ତମାନଟିର ସ୍ବରୂପକୁ ପ୍ରତ୍ୟକ୍ଷ କରୁଥିଲେ। କଳା ଅତୀତଟି ଏବେ ଧଳା ଦିଶିଲାଣି। ଗାଁ ଭୂଇଁର ପଖାଳ ଶାଗଭଜା ପଟପରିବର୍ତ୍ତନ କରି ରାଜଧାନୀରେ ଚିଙ୍ଗୁଡି ଚିକେନର ରୂପ ନେଲାଣି। ଚାଳଘର ଚଟାଣର ମସିଣା ବିଛଣା ରୂପାନ୍ତରିତ ହେଲାଣି ଏୟାର କଣ୍ଡିଶନ୍‌ଡ କକ୍ଷର ବହଳ କୁଶନ ଶଯ୍ୟାରେ। ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିବା ନେତା ଏବେ ମନ୍ତ୍ରୀ ହେଲେଣି। ସାଧାରଣ ମଣିଷଟିଏ ବେଶ ବଦଳାଇ ମଣିମା ବନିଲେଣି!
ପରଦିନ ପ୍ରଭାତରେ ମନ୍ତ୍ରୀଙ୍କ ସହ ସାକ୍ଷାତ୍‌ ହେଲା। ମନ୍ତ୍ରୀ ଚିହ୍ନିଲେ ନାହିଁ କି ବୃଦ୍ଧ ଚିହ୍ନା ଦେଲେନାହିଁ। ତାଙ୍କ ଦରଖାସ୍ତ ଉପରେ ଥରେ ଆଖି ବୁଲାଇ ଦସ୍ତଖତଟିଏ ଦେଇ ବିଭାଗୀୟ ଅଧିକାରୀଙ୍କ ନିକଟକୁ ପଠାଇଦେବା ପାଇଁ ନିଜ ବ୍ୟକ୍ତିଗତ ସହାୟକଙ୍କୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ। ବିସ୍ମିତ ହେଲେ ବୃଦ୍ଧ। ପରିଚିତ ମନ୍ତ୍ରୀଙ୍କ ସାହାଯ୍ୟ ଆଶାରେ ଏତେ ଦୂରରୁ ଅନ୍ୟ ଦୁହିଁଙ୍କ ସହ ସେ ରାଜଧାନୀକୁ ଆସିଲେ। ବ୍ୟୟବହୁଳ ନଗରୀରେ ବତିଶ ଘଣ୍ଟାର ଅପେକ୍ଷା ପରେ ମନ୍ତ୍ରୀଙ୍କ ସାକ୍ଷାତ୍‌ ମିଳିଲା ଯେ ବତିଶ ସେକେଣ୍ଡରେ ସବୁ ଶେଷ। ବିଚଳିତ ବୋଧକରି ସେ ଦ୍ୱିତୀୟ ବାର ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିବାରୁ ବିରକ୍ତି ପ୍ରକାଶ କରି ସେ କହିଲେ, କେବଳ ଜଣଙ୍କୁ ଏତେ ସମୟ ଦେଲେ ଅନ୍ୟମାନଙ୍କ କଥା ଶୁଣିବି କେତେବେଳେ।
ଏ ଅନୁଭବ କେବଳ ଜଣେ ବୃଦ୍ଧଙ୍କର ନୁହେଁ, ଶହ ଶହ ବୃଦ୍ଧଙ୍କର, ସହସ୍ର ସହସ୍ର ଯୁବକଙ୍କର ଓ ଲକ୍ଷ ଲକ୍ଷ ସାଧାରଣ ମଣିଷଙ୍କର, ଯେଉଁମାନଙ୍କର ପ୍ରଥମ ଓ ସର୍ବଶେଷ ପରିଚୟ ହେଉଛି ସାଧାରଣ। ରାଜତନ୍ତ୍ର ହେଉ କି ଗଣତନ୍ତ୍ର, ସବୁ ତନ୍ତ୍ରରେ ସବୁବେଳେ ଏହି ସାଧାରଣ ମଣିଷ ମଣିମା ବୋଲାଉଥିବା ଅସାଧାରଣ ମଣିଷଙ୍କଠୁଁ ଯୋଜନ ଯୋଜନ ଦୂରତ୍ୱରେ।
ଦିନେ ରାଜତନ୍ତ୍ରର ସ୍ବେଚ୍ଛାଚାରିତା ବିରୋଧରେ ଏମାନଙ୍କ ପୁଞ୍ଜୀଭୂତ ଅସନ୍ତୋଷ ସଂଗଠିତ ରୂପ ନେଇ ମଣିମାମାନଙ୍କ ମଣି ହରଣ କରି ନେଇଥିଲା। ରାଜତନ୍ତ୍ର ସ୍ଥାନରେ ପ୍ରତିଷ୍ଠିତ ହୋଇଥିଲା ଜନତନ୍ତ୍ର। ମଣିଷ ଭାବିଥିଲା, ମଣିଷର ମର୍ଯ୍ୟାଦା ବୃଦ୍ଧି ପାଇଲା ଏଥର। ରାଜବଂଶରେ ଜନ୍ମ ନେଇ ଆଉ କେହି ମଣିମା ବୋଲାଇବେ ନାହିଁ କି ସାଧାରଣ ମଣିଷଠାରୁ ଦୂରେଇ ଯାଇ ଏକ ଅପହଞ୍ଚ ଇଲାକାର ଅଧୀଶ୍ୱର ବୋଲାଇବେ ନାହିଁ।
ଅଥଚ ଗଣତନ୍ତ୍ରରେ ବି ମୁକ୍ତି ନାହିଁ ମଣିଷର। ଏଠି ମଧ୍ୟ ବନ୍ଦୀ ତା’ର ବ୍ୟକ୍ତିସତ୍ତା। ଗଣତନ୍ତ୍ରର ମଣିମାମାନଙ୍କ ଇଚ୍ଛା ନିକଟରେ ବନ୍ଦୀ ତା’ର ସ୍ବାଧୀନତା। ସେମାନଙ୍କୁ ସବୁ କଥାରେ ଆଗକୁ ଛାଡିଦେଇ କାକୁସ୍ଥକିଙ୍କର ଭାବେ ପଛରେ ଅପେକ୍ଷା କରି ରହିବାକୁ ଯେମିତି ତା’ର ଜନ୍ମ। ରାଜତନ୍ତ୍ର ଥିଲା ଯେମିତି, ଗଣତନ୍ତ୍ର ହେଲା ସେମିତି। କେବଳ ଫରକ ଏତିକି, ରାଜତନ୍ତ୍ରରେ ରାଜଜନ୍ମାମାନେ ମଣିମା ବୋଲାଉଥିବା ବେଳେ ଗଣତନ୍ତ୍ରରେ ତାରି ଭିତରୁ ଜଣେ ସାଧାରଣ ମଣିଷ ସିଂହାସନ ଆରୋହଣ କରୁଛି ଓ କେଇଦିନ ମଧ୍ୟରେ ଅଚାନକ ଏମିତି ଦୂରେଇ ଯାଉଛି ଯେ ରାଜକୀୟ ଜୀବନଚର୍ଯ୍ୟା ମଧ୍ୟରେ ସେ ପାଲଟିଯାଉଛି ଅପହଞ୍ଚ ଇଲାକାର ଅଧୀଶ୍ୱର। ରାଜା, ପ୍ରଜା, ଶାସକ ଶାସିତର ଭିନ୍ନ ଭିନ୍ନ ପରିଭାଷା ମଧ୍ୟରେ କେଉଁଠି କେଜାଣି ହଜିଯାଉଛି ନିରୋଳା ମଣିଷର ପରିଚୟ। ମଣିମା ନ ଥାଇ କେବଳ ମଣିଷରେ ଭରପୂର ଜଗତଟିଏ ପାଇବାକୁ ଆଉ କେଉଁ ତନ୍ତ୍ର ଯାଏ ଅପେକ୍ଷା କରିବାକୁ ପଡ଼ିବ କେଜାଣି।
ପ୍ରଜ୍ଞା ନିଳୟ, ବିଦ୍ୟାପତିନଗର, ଚକେଇସିହାଣି, ଭୁବନେଶ୍ୱର, ମୋ-୮୮୯୫୬୨୪୧୦୫


Enter your email to get our daily news in your inbox.

All Right Reserved By Dharitri.Com

ସାଧୁ ସାବଧାନ

ର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ନେତାମାନଙ୍କର ଲୋକଙ୍କ ପ୍ରତି ବ୍ୟବହାର ଭିତରେ ଏତେ ଫରକ ହେବ ବୋଲି ଆଗରୁ ସାଧାରଣ ଲୋକେ ଭାବିପାରୁ ନ...

ପ୍ରାଣବର୍ଷା

ଗୀତାରେ ଭଗବାନ କୃଷ୍ଣ କହନ୍ତି, ‘ଯଜ୍ଞାଦ ଭବତି ପର୍ଜନ୍ୟଃ’ ଅର୍ଥାତ୍‌ ଯଜ୍ଞ ଦ୍ୱାରା ପର୍ଜନ୍ୟ ବର୍ଷା ହୁଏ। ଲୋକେ ବର୍ଷାର ଅର୍ଥ ପାଣିବର୍ଷାକୁ ବୁଝନ୍ତି, ଏହା...

ହିନ୍ଦୁଙ୍କ ସାଦା ଖାଦ୍ୟ

ଓଡ଼ିଶାରେ ଯଦି ଆପଣ ଶାକାହାର ଖାଦ୍ୟ ଖାଇବାକୁ ଚାହାନ୍ତି, ତେବେ ‘ସାଦା’ ଖାଦ୍ୟ ମାଗିବାକୁ ପଡ଼େ। ଯେତେବେଳେ ବୌଦ୍ଧଧର୍ମ ଏବଂ ଜୈନଧର୍ମ ଓଡ଼ିଶାର ପ୍ରମୁଖ ଧର୍ମ...

ଏଇ ଭାରତରେ

ଭାରତରେ ଏବେ ଅନେକ ସହରରେ ବାୟୁ ପ୍ରଦୂଷଣ ଅସହ୍ୟ ହୋଇପଡ଼ିଛି। ବିଶେଷକରି ଦିଲ୍ଲୀରେ ବାହାରକୁ ବାହାରିବା ବିପଜ୍ଜନକ ହୋଇଯାଇଛି। ସ୍କୁଲ ବନ୍ଦ କରିବାକୁ ପଡ଼ୁଛି। ଏବେ...

ବ୍ୟାଙ୍କିଙ୍ଗ୍‌ରେ ସାଇବର ସୁରକ୍ଷା

ବର୍ତ୍ତମାନ ବ୍ୟାଙ୍କିଙ୍ଗ୍‌ କ୍ଷେତ୍ରରେ ସାଇବର ସୁରକ୍ଷାର ଆବଶ୍ୟକତା ବହୁତ ବେଶି। କାରଣ ଲୋକମାନେ ସମୟ ଅଭାବରୁ ଅନ୍‌ଲାଇନ ମାଧ୍ୟମରେ ବ୍ୟାଙ୍କ କାରବାର କରୁଛନ୍ତି। ଆଉ ସାଇବର...

ନିଜର ଦୂରଦୃଷ୍ଟି ଓ ସଂକଳ୍ପ ବଳରେ ଭାରତକୁ ଗଢ଼ିଥିବା ରାଷ୍ଟ୍ରନେତା ଅଟଳଜୀଙ୍କୁ ଶ୍ରଦ୍ଧାଞ୍ଜଳି

ଆଜି ୨୫ ଡିସେମ୍ବର, ଆମ ସମସ୍ତଙ୍କ ପାଇଁ ଏକ ବିଶେଷ ଦିନ। ଆମ ଦେଶ ଆମର ପ୍ରିୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀଙ୍କ...

ବୃଦ୍ଧାବସ୍ଥାର ଅନୁଚିନ୍ତା

ଆମ ସମାଜରେ ଦେଖିବାକୁ ମିଳୁଛି ବୃଦ୍ଧାବସ୍ଥାର ଅସହାୟତା। ବୃଦ୍ଧାବସ୍ଥାରେ ସନ୍ତାନମାନେ ହିଁ ଏକମାତ୍ର ଭରସା। ଯେତେ ବୃଦ୍ଧାଶ୍ରମ କି ଆଶ୍ରମ ହେଉ ତାହା କେବେ ବି...

ଜଳ ଆସିଲା କେଉଁଠୁ

ପୃଥିବୀକୁ ‘ଜଳଗ୍ରହ’ ବୋଲି କୁହାଯାଏ। କାରଣ ସୌରଜଗତ ଏବଂ ଅଦ୍ୟାବଧି ଏହା ବାହାରେ ଆବିଷ୍କୃତ ଶତାଧିକ ଗ୍ରହମାନଙ୍କ ମଧ୍ୟରେ ଏକମାତ୍ର ଏଥିରେ ହିଁ ରହିଛି ପ୍ରଚୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri