ବର୍ଷାଦିନେ ଅନେକଙ୍କଠାରେତ୍ୱଚା ଏବଂ କେଶର ଜତ୍ନକୁ ନେଇ ଚିନ୍ତା ବଢ଼ିଯାଏ । କାରଣ ଦୀର୍ଘ ସମୟ ଓଦା ପାଗରେ ରହିବା କିମ୍ବା ବର୍ଷାପାଣି ସଂସ୍ପର୍ଶରେ ଆସିବା ଦ୍ୱାରା ବ୍ୟାକ୍ଟେରିଆଲ୍ ଏବଂ ଫଙ୍ଗାଲ୍ ଇନ୍ଫେକ୍ସନ ହେବାର ଆଶଙ୍କା ବଢ଼ିଯାଏ। ତେବେ ଏଭଳି ସମସ୍ୟାଠାରୁ ଦୂରେଇ ରହିବା ସହ ସୌନ୍ଦର୍ଯ୍ୟ ବୃଦ୍ଧି ନିମନ୍ତେ କେତେକ ପ୍ରାକୃତିକ ତେଲର ବ୍ୟବହାର ଏଦିନେ ବେଶ୍ ଲାଭଦାୟକ…
ଟି ଟ୍ରି ଅଏଲ୍: ଏହି ତେଲ ବ୍ରଣ, ଦାଗ ଆଦି ସମସ୍ୟା ଦୂର କରିବାରେ ଯେତିକି ସାହାଯ୍ୟ କରେ କେଶକୁ ମଜଭୁତ କରିବାରେ ମଧ୍ୟ ସେତିକି ସାହାଯ୍ୟ କରିଥାଏ। ଏହାକୁ କେଶରେ ଲଗାଇବା ଦ୍ୱାରା ରୁପି ଏବଂ କେଶ ଝଡ଼ିବା ସମସ୍ୟା କମ୍ ହୋଇଥାଏ। ଏହାକୁ ଅଧିକ ଫଳପ୍ରଦ କରିବା ଲାଗି ଏଥିରେ କିଛି ବୁନ୍ଦା ଜୋଜୋବା ଅଏଲ୍ ମଧ୍ୟ ମିଶାଇ ପାରିବେ।
କଶ୍ମୀର ଲାବେଣ୍ଡର ଅଏଲ୍: ଏହି ତେଲରେ ଭରିରହିଛି ଉଭୟ ଆଣ୍ଟିଫଙ୍ଗାଲ ଏବଂ ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ; ଯାହାକି ବିଭିନ୍ନ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଏହାର ମିଠା ସୁଗନ୍ଧ ମୁଡ଼ ଫ୍ରେସ୍ ରଖିବାରେ ସାହାଯ୍ୟ କରିଥାଏ। ଏହାକୁ ସେରମ୍, ଫେସ୍ ଅଏଲ୍, କ୍ରିମ୍ରେ ଏହି ତେଲ କିଛି ବୁନ୍ଦା ମିଶାଇ ଲଗାଇବା ଦ୍ୱାରା କଳା ଦାଗ, ଛାଇ ଦାଗ ଦୂର କରି ତ୍ୱଚାକୁ ସୁନ୍ଦର ଏବଂ ଗ୍ଲୋଇଙ୍ଗ୍ କରିବାରେ ସାହାଯ୍ୟ କରେ।
ପୋମୋଗ୍ରାନେଟ୍ ଅଏଲ୍: ବର୍ଷାଦିନେ ଅନେକଙ୍କ କେଶ ବାରମ୍ବାର ପାଣି ସଂସ୍ପର୍ଶରେ ଆସିବା ଯୋଗୁ ଶୁଷ୍କ ଲାଗିବା ସହ ଏହାର ଚମକ କମିଯାଏ। ଏମିତିରେ ଏହି ତେଲ ଆପଣଙ୍କ ଲାଗି ବେଶ୍ ଉପକାରୀ ହୋଇପାରିବ। ଏହାକୁ ଅଙ୍ଗୁଳି ଟିପ ସାହାଯ୍ୟରେ କେଶ ମୂଳରେ ଲଗାଇ ଧୀରେ ଧୀରେ ମସାଜ କରନ୍ତୁ। ତେଲ କେଶ ମୂଳରେ ଭଲ ଭାବେ ଭେଦିଗଲେ ମୂଳରୁ ଅଗ୍ରଭାଗ ପର୍ଯ୍ୟନ୍ତ ଭଲ ଭାବେ ଲଗାଇ ଦିଅନ୍ତୁ। ମନେ ରଖନ୍ତୁ, ତେଲକୁ କେଶରେ ଲଗାଇ ଆଦୌ ରଗଡ଼ନ୍ତୁ ନାହିଁ। ସେହିପରି ତ୍ୱଚାକୁ କୋମଳ, ବେଦାଗ ଏବଂ ଗ୍ଲୋଇଙ୍ଗ କରିବା ଲାଗି ଏହି ତେଲର କିଛି ବୁନ୍ଦା ନେଇ ଦୁଇ ପାପୁଲିରେ ଭଲ ଭାବେ ଘଷନ୍ତୁ ଏବଂ ତେଲ ଗରମ ଲାଗିଲେ ଏହାକୁ ମୁହଁରେ ସର୍କୁଲାର୍ ମୋଶନ୍ରେ ହାଲୁକା ମସାଜ କରନ୍ତୁ।