ଜାତିସଂଘ,୨୬।୪: ମହାମାରୀ କରୋନା ବିଶ୍ୱରେ ଦ୍ରୁତ ଗତିରେ ମାନବାଧିକାର ସଙ୍କଟର ରୂପ ନେବାରେ ଲାଗିଛି। ପୂର୍ଣ୍ଣ ଆଜ୍ଞାନୁବର୍ତ୍ତିତା ଦାବି କରୁଥିବା ରାଷ୍ଟ୍ରଗୁଡ଼ିକ ଏହି ଘାତକ ଭୂତାଣୁକୁ ବ୍ୟକ୍ତିଗତ ମାନବାଧିକାର ହନନ ଲାଗି ବାହାନା ଭାବେ ବ୍ୟବହାର କରିପାରିବେ ନାହିଁ ବୋଲି ଜାତିସଂଘ ପକ୍ଷରୁ ଚେତବାନୀ ଦିଆଯାଇଛି।
ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରେସ୍ ଏକ ଭିଡିଓ ସନ୍ଦେଶରେ କହିଛନ୍ତି, ସାମ୍ପ୍ରତିକ ସ୍ଥିତିରେ କରୋନା ଯୋଗୁ ସ୍ବାସ୍ଥ୍ୟ, ସାମାଜିକ ଓ ଅର୍ଥନୈତିକ ସଙ୍କଟ ଦେଖାଦେବା ସହ ବିଶ୍ୱ ପ୍ରଭାବିତ ହୋଇଛି। କୋଭିଡ୍-୧୯ ଭୂତାଣୁ ଭଳି ଏହାର ପ୍ରଭାବ ମଧ୍ୟ ଭେଦଭାବ ଦେଖେନାହିଁ। କିନ୍ତୁ ଚାଇନା, ଭାରତ, ହଙ୍ଗେରି, ତୁର୍କୀ ଓ ଦକ୍ଷିଣ ଆଫ୍ରିକା ଭଳି କେତେକ ରାଷ୍ଟ୍ରରେ ଏହାର ମୁକାବିଲା କ୍ଷେତ୍ରରେ ଭେଦଭାବ ସାମ୍ନାକୁ ଆସିଛି। ଏହି ଦେଶଗୁଡ଼ିକରେ କେତେକ ନିର୍ଦ୍ଦିଷ୍ଟ ସମୁଦାୟ ଉପରେ ଏହାର ବିଷମ ପ୍ରଭାବ ଦେଖିବାକୁ ମିଳୁଛି। ଘୃଣା ମନ୍ତବ୍ୟ, ଦୁର୍ବଳ ବର୍ଗଙ୍କ ଉପରେ ଆକ୍ରମଣ ଓ ସୁରକ୍ଷା କର୍ମୀଙ୍କ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ସ୍ବାସ୍ଥ୍ୟ ସେବା ପରିଚାଳନାକୁ ନୂ୍ୟନ କରିଦେଉଛି ବୋଲି ଗୁଟେରେସ୍ କହିଛନ୍ତି।
ଜାତିସଂଘ ପକ୍ଷରୁ ଜାରି ଏହି ରିପୋର୍ଟରେ ଆହୁରି କୁହାଯାଇଛି ଯେ, ଶରଣାର୍ଥୀ ଓ ଆଭ୍ୟନ୍ତରୀ ବିସ୍ଥାପିତ ଲୋକେ ବିଶେଷକରି ଦୁର୍ଦ୍ଦଶା ଭୋଗୁଛନ୍ତି। ଅଦ୍ୟାବଧି ବିଶ୍ୱର ୧୩୧ ରାଷ୍ଟ୍ର ସେମାନଙ୍କ ସୀମାକୁ ବନ୍ଦ କରିଦେଲେଣି। ମାତ୍ର ୩୦ ଦେଶରେ ଶରଣ ଆଶାୟୀଙ୍କୁ ପ୍ରବେଶ ପାଇଁ ଅନୁମତି ମିଳୁଛି। କେତେକ ଦେଶରେ ଜାତିଆଣ-ଜାତୀୟତାବାଦ, ଜନବାଦ, ଅଧିନାୟକବାଦ ଓ ମାନବାଧିକାର ପ୍ରତି ବିପଦ ବଢ଼ିଚାଲିଥିବା ପରିପ୍ରେକ୍ଷୀରେ ଏହି ସଙ୍କଟକୁ କେହି କେହି କରୋନା ମୁକାବିଲା ଲାଗି ଏକ ବାହାନା ଭାବେ ଆପଣାଇପାରନ୍ତି। କେତେକ ସମୟରେ ମିଥ୍ୟା ଖବର ଆଳରେ ଖବରଦାତା, ଡାକ୍ତର, ସ୍ବାସ୍ଥ୍ୟକର୍ମୀ ଓ ଅଧିକାର କର୍ମୀ କିମ୍ବା ବିରୋଧୀ ଦଳର ନେତାମାନଙ୍କୁ ଗିରଫ କରାଯାଉଛି। ଅନ୍ଲାଇନ ସର୍ଭିଲାନ୍ସ ଓ ଆକ୍ରମଣାମତ୍କ ସାଇବର ନୀତି ମଜଭୁତ ହେବାରେ ଲାଗିଛି, ଯାହାକି ଗ୍ରହଣୀୟ ନୁହେଁ। ତେବେ ସରକାରମାନେ ଭାଇରସ୍ ସଂକ୍ରମଣ ରୋକିବା ସକାଶେ ସେମାନଙ୍କ ଉଦ୍ୟମ ସମ୍ପର୍କରେ ସ୍ବଚ୍ଛତା ଅବଲମ୍ବନ କରି ସତ୍ୟାସତ୍ୟର ଯାଞ୍ଚ ପାଇଁ ବିରୋଧୀ କିମ୍ବା ସିଭିଲ ସୋସାଇଟି ଗ୍ରୁପ୍ଗୁଡ଼ିକୁ ସୁଯୋଗ ଦେବା ଉଚିତ। ଏଥିପାଇଁ ନୂଆ ଜ୍ଞାନକୌଶଳର ଉପଯୋଗ ବିଶେଷ ଭାବେ ସହାୟକ ହେବ ବୋଲି ଗୁଟେରେସ୍ କହିଛନ୍ତି।
ପ୍ରକାଶ ଯେ, ସଂକ୍ରମଣ ବଢ଼ିଚାଲିଥିବାବେଳେ ଜାତିସଂଘ ମୁଖ୍ୟ ବିଶ୍ୱବ୍ୟାପୀ ଅସ୍ତ୍ରବିରତିର ଆହ୍ବାନ ଦେବା ସହ ଘରୋଇ ହିଂସା ବୃଦ୍ଧି ବିରୋଧରେ ଚେତାବନୀ ଦେଇଛନ୍ତି। ତେବେ ଏହି ସଙ୍କଟରୁ ମୁକ୍ତି ପାଇଁ ସମାଧାନର ବିଶେଷ କିଛି ପନ୍ଥା ବାହାର କରିବାରେ ବିଫଳତାକୁ ନେଇ ଜାତିସଂଘକୁ ବିଭିନ୍ନ ମହଲରେ ସାମଗ୍ରିକ ଭାବେ ସମାଲୋଚନା କରାଯାଉଛି।