ପୁରୀ ଅଫିସ, ୨୧।୨: ମହାଶିବରାତ୍ରି ଅବସରରେ ଶୁକ୍ରବାର ଶ୍ରୀକ୍ଷେତ୍ରର ବିଭିନ୍ନ ଶୈବ ପୀଠରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଶିବ ପଞ୍ଚାକ୍ଷର ମନ୍ତ୍ରରେ ଗୁଞ୍ଜରିତ ହେଉଛି ପୀଠ ପରିସର। ଘଣ୍ଟି, ହହୁଳହୁଳି ଓ ଜୟ ଭୋଲେନାଥ ଧ୍ୱନୀରେ ପ୍ରକମ୍ପିତ ହେଉଛି ପୁରୀ ସହର। ବିଶେଷକରି ପ୍ରସିଦ୍ଧ ଶୈବ ପୀଠ ଶ୍ରୀଲୋକନାଥଙ୍କ ମନ୍ଦିରରେ ଭକ୍ତଙ୍କ ବେସ୍ ଭିଡ଼ ଲାଗିରହିଛି। ଗୁରୁବାର ରାତି ୧୨ଟାରୁ ଦ୍ୱାର ଫିଟାଯାଇ ନୀତିକାନ୍ତି ଚାଲି ରାତି ୨ଟାରୁ ଦର୍ଶନ ଆରମ୍ଭ ହୋଇଛି। ଭକ୍ତମାନେ ଶୃଙ୍ଖଳିତଭାବେ ପ୍ରଭୁ ଲୋକନାଥଙ୍କୁ ଦର୍ଶନ କରୁଛନ୍ତି। ମହାପ୍ରଭୁଙ୍କ ଦର୍ଶନ ଶୁକ୍ରବାର ରାତି ୨ଟା ପର୍ଯ୍ୟନ୍ତ ଚାଲିବ। ରାତି ୨ଟାରୁ ୩ଟା ମଧ୍ୟରେ ହରିହର ପୂଜାଭୋଗ, ଚତୁର୍ଦଶୀ ଭୋଗ, ବଡ଼ସିହାଂର ଭୋଗ ପରେ ରାତି ୩ଟାରେ ମହାଦୀପ ଉଠିବାର ନୀତି ନିର୍ଘଣ୍ଟ ହୋଇଛି।